ରଫ୍ ଖାତା
************
“ଏଇ, କଣ କରୁଛ ଯେ ସେତେବେଳୁ ? ନନା, ବୋଉ, ଦାଦା, ଖୁଡ଼ୀ ସମସ୍ତେ ତମକୁ ଖୋଜୁଛନ୍ତି, ଯାଅ ତାଙ୍କ ସହ ଦେଖା କର, ଟିକେ କଥା ହୁଅ । ବାହାଘରର ଏତେ ଦିନ ପରେ ଆମେ ଆଜି ଆସିଛେ । ତମେ ଏଇ ଦାଣ୍ଡଘରଟାରେ ଅଟକି ଯାଇ ସେ ବହି ଥାକଟା ପାଖରେ କଣ କରୁଛ ଯେ । ମଧୁ, ଶୁଭୁଛି ନା ନାହିଁ ତମକୁ ?”
“ତମେ କଥା ହୁଅ ନା ସମସ୍ତଙ୍କ ସହ । ଜ୍ବାଇଁ ପୁଅ ଏତେ ଦିନ ପରେ ଆସିଛନ୍ତି ନା । ସମସ୍ତେ ତମକୁ ଖୋଜୁଛନ୍ତି, ମତେ ନୁହଁ ମ ।” “ହଉ ହେଲା ବାବା, ମୁଁ ତ ଦେଖା କଲି, କଥା ବି ହେଲି, ଏବେ ତମେ ଯାଅ, ସମସ୍ତେ ମତେ ପଚାରୁଛନ୍ତି, ‘ ମଧୁ କାହିଁ, ମଧୁ କାହିଁ ‘ ସେ ଦାଣ୍ଡଘରୁ ଆସୁନି କାହିଁକି ?”
“ସେକଥା ଛାଡ଼ ମ, ଏଠିକି ଆସିଲ, ଏଇଟା ଦେଖ ।”
“ଆରେ ମଧୁ, ଏଇଟା ତ ତମ ପିଲାଦିନର ରଫଖାତା । ଏଯାଏଁ ଅଛି ! ଏଇ ଦେଖ ନା ଏଠି ତମ ହସ୍ତାକ୍ଷର ଅପେକ୍ଷା ମୋ ହସ୍ତାକ୍ଷର ବେଶୀ ଅଛି ।” “ହଁ, ଗୁରୁଜୀ ଯେତେ ବୁଝାଇଲେ ବି ତମେ ଥରେ ନ ବୁଝାଇଦେଲେ ମୁଁ ପରା ଗଣିତ ବୁଝି ପାରେନି ।” “ଆରେ, ଏ ପୃଷ୍ଠା ଟା ଚିରା ହେଇଛି ଯେ…?” “ଭୁଲି ଗଲ ତମେ ! ସେଥିରେ ପରା ଆମେ କାଗଜ ଡ଼ଙ୍ଗା କରି ନଈରେ ଭସେଇଥିଲେ ।” “ହଁ, ମନେ ଅଛି, ଆଉ ସେଥିରେ ଲେଖା ଥିଲା ‘ରାଜୀବ ସହ ମଧୁ’, ଯାହା ଆଜି ଆମ ଘର କାନ୍ଥରେ ଲେଖା ସରିଛି ।” “କୁଆଡ଼େ ଗଲା ସେ ଦିନ ସବୁ ! ଏଇ ଦେଖ, ସେଦିନ ନଈକୂଳକୁ ତମ ସହ ଦେଖା କରି ଆସିବାରେ ଡେରି ହେଲା ବୋଲି ରାଗତକ ସବୁ ଏଇ ରଫଖାତା ଉପରେ ବାହାର କରିଦେଇଛ, କଲମକୁ ଜୋର୍ ରେ ଗାରେଇ ।”
“ଏଇ ଖାତା ଆରମ୍ଭରୁ ଶେଷ ଯାଏଁ ଥରେ ଦେଖିଲ, ଗୁରୁଜୀଙ୍କ ନାଲି କଲମର ଗାର ଧୀରେ ଧୀରେ କମି କମି ଆସିଛି ଶେଷ ଆଡ଼କୁ । ଏଇଟା କାହା ପାଇଁ ସମ୍ଭବ ଜାଣ ?” “ମୋ ପାଇଁ, ଆଉ କାହା ପାଇଁ ଯେ, ହା ହା ହା ।” “ସତରେ, ତମେ ମୋ ଜୀବନରେ ଆସିବା ପରେ ମୋର ସବୁ କିଛି ସୁଧୁରିଗଲା । ତମ ବିନା ମୁଁ…….” “ମୋ ବିନା ତମେ………” “ତମ ବିନା ମୁଁ………..” “ମୋ ବିନା ତମେ…….କଣ ଯେ ? କୁହ ତ ।” “କଣ ମ ବୁଝି ପାରୁନ, ତମ ବିନା ମୁଁ……….ତମ ବିନା ମୁଁ ଗଣିତରେ ଫେଲ ହେଇଥାନ୍ତି । ହା ହା ହା ।” “ତମେ ବି ନା ମଧୁ, ମୁଁ ଭାବିଥିଲି….” “କଣ ଭାବିଥିଲ ଯେ ?” “ସେ କିଛି ନୁହେଁ, ଚାଲ ସମସ୍ତେ ଖୋଜୁଛନ୍ତି ତମକୁ ।”
ସେପଟେ ବୋଉ ଆଉ ଖୁଡ଼ୀ କଥା ହେଉଥାନ୍ତି, “ଝିଅ ଏତେ ଦିନ ପରେ ଆଜି ଘରକୁ ଆସିଛି । କେମିତି କଣ କରିବା ଯେ, ଝିଅ କଣ ଖାଲି ହାତରେ ଶାଶୁ ଘରକୁ ଫେରିବ ! ନା ନା ।”
“ଧେତ୍, ସମସ୍ତେ ଏମିତି କଣ କଥା ହେଉଛନ୍ତି ଯେ, ମୋର ଆଉ କଣ ଦରକାର୍ । ଯିଏ ଦରକାର୍ ଥିଲା ତାକୁ ତ ମୁଁ ପାଇ ସାରିଛି ।” ରଫଖାତାଟିକୁ ବ୍ୟାଗ୍ ରେ ପୁରାଉ ପୁରାଉ ରାଜୀବଙ୍କୁ କହିଲା ମଧୁ ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra
679 total views, 1 views today