ସମୟ ସାଥିରେ ବର୍ଷ ଗଡିଯାଏ
ବଢିଯାଏ ମାସ ଦିନ
ଚାହିଁଲେ ହିସାବ ରଖିପାରେ ନାହିଁ
ଡାକିନିଏ କାଳ ଯମ।
ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ପ୍ରିୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ କଲମରୁ ନିଃସୃତ “ଉଷ୍ଣ ଅପରାହ୍ନ” କବିତା ରୁ ଆନୀତ।ଏଠାରେ ଶ୍ରୀ ସେଠୀ ସମୟର ଅଙ୍କାବଙ୍କା ଗତି ଭିତରେ କିଭଳି ଭାବରେ ଦିନ, ମାସ, ବର୍ଷ ବିତିଯାଏ ଏବଂ ମଣିଷ କେମିତି ସେ କରାଳ ର ଗତି ଭିତରେ ବେହିସାବୀ ଭାବେ ଜୀବନ ବିତେଇଯାଏ ,ସେ ବିଷୟରେ ସୁନ୍ଦର ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି ।
ସମୟ ବିତିଚାଲୁଛି , ବିତିଚାଲିବ।ସମୟର ଚକରେ ସଂସାର ର ରଥ ସବୁବେଳେ ଗଡିଚାଲେ ।ମଣିଷକୁ ତାର କ୍ଷୁଦ୍ର ଜୀବନକାଳ ମଧ୍ୟରେ ବହୁବିଧ କାର୍ଯ୍ୟ କରିବା କୁ ହୋଇଥାଏ । ଜୀବନର କର୍ମମୟ ବ୍ୟସ୍ତତା ଭିତରେ ସ୍ଵଂୟ କୁ ଭୁଲି ହେଇଯାଏ କେବେକେବେ। ଏ ଭିତରେ ବିତି ଯାଉଥାଏ ଗଣ୍ଡା ଗଣ୍ଡା ସମୟ , ଯାହାର ହିସାବ ମଣିଷ ରଖି ପାରେନା ଏବଂ ଏହି ହିସାବ , ବେହିସାବର କଡ଼ା ଗଣ୍ଡା ହିସାବ କରୁକରୁ ବିତିଯାଇଥାଏ ଜୀବନର ସୂର୍ଯ୍ୟାସ୍ତ , ଅପରାହ୍ନ , ମଧ୍ୟାହ୍ନ ଆଉ ରାତ୍ର ଏବଂ ଉପନୀତ ହେଇଯାଇଥାଏ ବୟସର ଅନ୍ତିମାବସ୍ଥା । ହଜିଯାଇଥିବା ସମୟ ଆଉ ଫେରେନା କି ଆସୁଥିବା ସମୟ ବି ସମୟ ପୂର୍ବରୁ ଚାଲି ଆସେନା ।ସମୟ ସିନା ଚାଲିଯାଏ ହେଲେ ଛାଡ଼ି ଦେଇଯାଏ ପଦଚିହ୍ନ ଆଉ ଜୀବନ ର ଅନେକ ସ୍ମୃତି।
ସମୟ ଏକ ଅନୁଭବ, ଶବ୍ଦ ଚାତୁରୀ ରେ ତାର ସମ୍ପୂର୍ଣ୍ଣ ବର୍ଣ୍ଣନା ଅସମ୍ଭବ ।ତଥାପି ମଣିଷ କିଭଳି ଭାବେ ସମୟ ର ଗତି ସହ ତାଳ ଦେଇ ଚାଲୁଥାଏ ଏବଂ ଚାଲୁ ଚାଲୁ କେମିତି ଜୀବନର , ବୟସର ଆନ୍ତିମାବସ୍ଥା ପହଞ୍ଚି ଯାଇଥାଏ ସେ ବିଷୟରେ ଶ୍ରୀ ସେଠୀ ଏଠାରେ ବେଶ୍ ମନଛୁଆଁ ଭାବେ ପ୍ରତିପାଦିତ କରିଛନ୍ତି ।
ତୃପ୍ତିମୟୀ ରାଉଳ
Truptimayee Roul
Dist – Angul