“ଗାଁ ରେ ସଢ଼ନ୍ତି ବୁଢା ବାପା ମା ‘
ପୁଅ ଚାହୁଁ ନାହିଁ ମୁହଁ
ସହର ସୁନ୍ଦରୀ ଅବିବେକି ବୋହୂ
କାମନାର ଅଗ୍ନିସୁଅ।
“ଗାଁ ରେ ସଢ଼ନ୍ତି………. ଅଗ୍ନିସୁଅ” ।
ଆଲୋଚ୍ୟ କବିତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମ୍ମାନସ୍ପଦ ସଭାପତି ମହୋଦୟ ଶ୍ରୀ ପ୍ରଶାନ୍ତ କୁମାର ସେଠୀ ଙ୍କ ରଚିତ ” ଉଷ୍ଣ ଅପରାହ୍ନ”
କବିତାରୁ ଆନିତ । ଏଠାରେ କବି ବହୁତ ସୁନ୍ଦର ଭାବରେ ଆଧୁନିକତାର ବଶବର୍ତ୍ତୀ ହୋଇ ଆମ ସମାଜରେ ବାସ୍ତବରେ ଘଟି ଯାଉଥିବା ଘଟଣାକୁ ନେଇ ବର୍ଣ୍ଣନା କରିଛନ୍ତି ।
ସତରେ ଆଜିକା ସମାଜରେ ମଣିଷ ବିବେକ ଶୂନ୍ୟ ହୋଇଯାଇଛି । କ୍ଷଣ ଭଙ୍ଗୁର ଜୀବନରେ ସେ ନିଜ ଜନ୍ମ କରିଥିବା ପିତାମାତା ଙ୍କୁ ଭୁଲିଯାଇଛି । ଯେଉଁ ମାନଙ୍କ ଲହୁ ଲୁହାଣ , ଶ୍ରମ ରେ ଆଜି ଏତେ ବଡ ମଣିଷ ହୋଇ ପାରିଛି ସେମାନଙ୍କୁ ପାଦରେ ଠେଲି ଦେଇ ଚାଲିଯାଉଛି ସହରୀ ଜୀବନ ଯାପନ କରିବାକୁ । ଗାଁ ରେ ତାଙ୍କ ବାପା ମା କେମିତି ଅଛନ୍ତି କ’ଣ ସେ କଥା ସେ ଭୁଲି ଯାଇଛନ୍ତି । ତାଙ୍କ ମୁହଁ ଅନେଇଁବା ତ ଦୂରର କଥା ବୋଧେ ସେ ଭୂଳିଯାଇଛନ୍ତି ଯେ ତା ମା ‘ବାପା ବୋଲି ଦୁଇଜଣ ଅଛନ୍ତି । ଧିକ୍କାର ତାର ପୁଅ ପଣିଆକୁ !!
କେତେ ଅସୁମାରି ଆଶା ନେଇ ବାପା ମା ସ୍ୱପ୍ନର ବାଲିଘର ତୋଳିଥାନ୍ତି କିନ୍ତୁ ସେ ବାଲିଘର ଭାଙ୍ଗି ଚୂରମାର୍ ହୋଇଯାଏ । ବୟସ ବଢିବା କ୍ଷଣି ହାତରୁ ଦିହାତ କରି ଦିଅନ୍ତି ଘରକୁ ବୋହୂ ଟିଏ ଆସି ଘରକୁ ସମ୍ପୂର୍ଣ କରିଦେବ, ଲକ୍ଷ୍ମୀ ପରି ସୌନ୍ଦର୍ଯ୍ୟ ବଢାଇବ । ଅସହାୟ ସମୟେ ସାହା ହେବ କିନ୍ତୁ ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ ନା ବୃଦ୍ଧ ବାପା ମା ଙ୍କୁ ନିଜ ବାପା ମା ଭଳି ଭାବି ପାରୁଛି ????? ନିଜ ସ୍ବାର୍ଥ ପରତା ଯୋଗୁଁ , ନିଜ ର ଅଏସ୍, ଆରାମ , କାମନା, ବ୍ୟସନ ପାଇଁ ସେ ବୁଢା ବାପା ମା ଙ୍କ ଠାରୁ ଦୂରକୁ ନେଇ ଚାଲି ଯାଉଚି ତାଙ୍କ ଜନ୍ମକରିଥିବା ପୁଅ କୁ ସହରକୁ । କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଯେଉଁ ବାପା ମା ଙ୍କୁ ସେମାନେ ଏତେ ଅନାଦର କରୁଛନ୍ତି ସମୟ ଆସିବ ସେହି ବାପା ମା ଙ୍କୁ ଖୋଜିଲେ ମଧ୍ୟ ଆଉ ପାଇ ପାରିବେ ନାହିଁ । ସେ ସମୟ ବହୁତ୍ ଦୂରକୁ ଚାଲି ଯାଇଥିବ। ବାପା ମା ଜୀବନରେ କେବଳ ଥରୁଟିଏ ଆସିଥାନ୍ତି । ଏହାର ମୂଲ୍ୟ ବୁଝିବା ଉଚିତ୍।
ବାସ୍ତବରେ କବିଙ୍କ ମନୋଭାବ କୁ ଅଜସ୍ର ପ୍ରଣାମ । ଏକ ଶିକ୍ଷଣୀୟ ବାର୍ତ୍ତା ଝରାଇବା ସହିତ ବାସ୍ତବତା ର ଚିତ୍ରକୁ ସୃଜନୀ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି । ଆଜିର ସମାଜକୁ ସମସ୍ତ ପୁଅ, ବୋହୂ ଙ୍କୁ ସମୟ ଥିବା ଆଗରୁ ପରିସ୍ଥିତି କୁ ସୁଧାରି ବିବେକ ସହ କାର୍ଯ୍ୟ କରି ପିତାମାତା ଙ୍କ ମୂଲ୍ୟବୋଧ କୁ ଆପଣାଇ ନେବାକୁ ଉତ୍ସାହିତ କରିଛନ୍ତି । କର୍ତ୍ତବ୍ୟ ର ବାସନା କୁ ମନେ ପକାଇଦେବାର ପ୍ରୟାସ କରିଛନ୍ତି ।
ଟିଲି ମଲ୍ଲିକ , ବଲାଙ୍ଗୀର