ରଫଖାତା
********
ସବୁଗୁଡାକ ବିକ୍ରିହେବ ଆଜ୍ଞା !
ହଁ…
କାଗଜବିକାଳି ବୋଧେ ଏତେଗୁଡିଏ ଖାତା, ବହି, ଖବରକାଗଜ ଦେଖି ଓଜନ କରିବାକୁ କୁଣ୍ଠା ପ୍ରକାଶ କରୁଥିଲା l ରତ୍ନା ତା ମନ କଥା ବୁଝିପାରିବା ଭଳି କହିଲା, ” ମଉସା, ସବୁ ବହି, ଖାତା ଓଜନ କଲାବେଳକୁ ଅଧିକ ସମୟ ଲାଗିବ, ମୋର ବି କଲେଜ ଯିବାର ଅଛି, ତେଣୁ ଆନୁମାନିକ ଗୋଟେ ଦର ପକାଇଦିଅ l ” “ଆଚ୍ଛା, ହେଉ “, କହିଲେ ମଉସା l କିଛି ସମୟ ଚିନ୍ତା କରି କହିଲେ, ” ଟଙ୍କା ବାର ‘ଶ ଦେବି l ” ହଉ ତା ହେଲେ….., ପ୍ରକୃତରେ ତାର ଟଙ୍କାର ଆବଶ୍ୟକତା ନାଁ ଥିଲା, ମୁଖ୍ୟ କଥା କାଗଜଗଦା ହଟି ପରିଷ୍କାର ହେବା ଦରକାର ଥିଲା l ତେଣୁ ଟଙ୍କା ପାଇଁ ମୂଲଚାଲ କଲାନାହିଁ l
“ମଉସା, ଖବର କାଗଜର ଛୁଟିଦିନ ଓ ବିଶେଷାଙ୍କ କେତୋଟି ଅଲଗା କରିଦିଏ, ତାପରେ ତୁମେ ସେସବୁ ବସ୍ତାରେ ବାନ୍ଧିନେବ l” ରତ୍ନା କିଛି ଛୁଟିଦିନ କାଗଜ ବାଛୁବାଛୁ ସୁନ୍ଦର ଗୋଲାପ ଫୁଲର କିଛି ଅଂଶ ଖାତାରୁ ବାହାରି ଦିଶିଲା, ଇସ ! କି ସୁନ୍ଦର ଚିତ୍ର ! ପଢିବା ସମୟରୁ କାଢି ସେ ଚିତ୍ର କରୁଥିଲା l ଚିତ୍ର କରିବା ତା ସଉକ ଥିଲା l ଏପରିକି ପ୍ରତ୍ୟେକ ଖାତାର ଆରମ୍ଭ, ଶେଷ ଓ ଉତ୍ତର ଶେଷରେ ନିଶ୍ଚିତ ଚିତ୍ରଟିଏ ଥିବ lକାଳେ ପିଲାଦିନର ଆଉ କିଛି ଚିତ୍ର ଥିବ ଭାବି ଖାତାଟିକୁ ଆଡେଇ ଚାଲିଲା, ପୁରୁଣା ଦିନର ଲେଖା, ଚିତ୍ର, ସାଙ୍ଗଙ୍କ ଫଟୋସବୁ ପୁରୁଣା ସ୍ମୃତିକୁ ତାଜା କରୁଥାନ୍ତି ଓ ଖୁସି ଭରୁଥାନ୍ତି l ସେଦିନର ରଫଖାତା ଆଜି ଅତି ଆଦରର ସ୍ମୃତି ଝୁଡି l ହଠାତ ଚିଠିଟିଏ ଖାତା ଭିତରେ ଦେଖି ଚମକି ପଡିଲା l
ରଶ୍ମି ! ରଶ୍ମିର ଚିଠି ! ଏଇଠି ! ପୁଣି ଖାତା ଭିତରେ ! ସବୁ ଚିଠି ଓ ତା ଦିଆ ଉପହାର ତ ସେ ତାକୁ ଫେରେଇ ଦେଇଥିଲା କେବେଠୁ ! ପୁଣି ଏଠିକି କେମିତି ଆସିଲା ? କଣ ଲେଖାହୋଇଛି ସେଥିରେ ! ଆମୂଳଚୁଳ ପଢିନେଲା ଏକା ନିଃଶ୍ୱାସରେ…. ଦୀର୍ଘଶ୍ୱାସଟେ ବାହାରିଗଲା ଅଜାଣତରେ… ଏ ଚିଠିଟି ଆଗରୁ ପଢ଼ିଥାନ୍ତା ଭଲା !
କଟିଥିବା ସମ୍ପର୍କ କେଉଁଠୁ ଆନ୍ତରିକତାର ପରଶରେ କଅଁଳି ଉଠିଲା l ବୟସର ଅପରାହ୍ନ ରେ ବି ରଶ୍ମିକୁ ଖୋଜିବାକୁ ତା ମନ ଆଲୋକ ରଶ୍ମିର ବେଗରେ ଧାଇଁବାକୁ ଲାଗିଲା,
କେଉଁଠି, କିପରି ଖୋଜିବ ରଶ୍ମିକୁ ! ଅନ୍ତତଃ ତା ଭୁଲ ପାଇଁ କ୍ଷମାପ୍ରାର୍ଥୀ ତ ହୋଇପାରିବ l ତା ମନର ଅସୁମାରୀ ଆଶା, ଅନେକ ପ୍ରଶ୍ନର ଭିଡ, ଜୀବନ ସଂଗ୍ରାମର ଉତ୍ଥାନ ପତନକୁ ସମୀକ୍ଷା କରୁ କରୁ ହଠାତ କାଗଜ ଵାଲା ମଉସାର ଡାକରେ ଅପ୍ରତିଭ ହୋଇଉଠୁଥିବା ରତ୍ନା ସାମନାରେ ଗଦା ହୋଇଥିବା ଅଳିଆ କାଗଜରୁ ଆବିଷ୍କାର କରୁଥିଲା ନିଜ ଅତୀତ ଓ ଉଜୁଡା ଭବିଷ୍ୟତ…
ଚିନ୍ମୟୀ ମହାପାତ୍ର, ଅନଗୁଳ
Chinmayee Mohapatra, Angul.