ସମ୍ପର୍କର ମାନେ କିଛି ଏଠି ନାହିଁ
ସବୁ ଲାଗେ ମୂଲ୍ୟହୀନ
ମଣିଷର ତଣ୍ଟି କାଟୁଛି ମଣିଷ
ମିଛେ ମୁଖେ ହରିନାମ
ସମ୍ପର୍କର ମାନେ_ _ _ _ _ ମୁଖେ ହରିନାମ।
ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ସଭାପତି ଶ୍ରୀ. ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ ‘ ଉଷ୍ଣ ଅପରାହ୍ନ ‘ କବିତାରୁ ଆନ୍ନିତ। ଏଠାରେ କବି ଶ୍ରୀ. ସେଠୀ ସମାଜରେ ଘଟୁଥିବା ମଣିଷର ଅଧୋପତନ ତଥା ତା’ର ସ୍ୱାର୍ଥପରତାକୁ ଦର୍ଶାଇଛନ୍ତି ଉକ୍ତ ପଂକ୍ତି ମାଧ୍ୟମରେ।
ଆଜିର ଦୁନିଆ ଗୋଟିଏ ମାୟାନଗରୀ ଆଉ କୁହେଳିକମୟ ପାଲଟି ଯାଇଛି, ଯେଉଁଠି ମଣିଷର ସ୍ବାର୍ଥ ପାଖରେ କୌଣସି ଜୀବ ତ୍ରାହି ପାଇ ପାରେନି। ଏଠାରେ ସବୁ ସମ୍ପର୍କ ମଣିଷ ଗଢେ ନିଜ ସ୍ବାର୍ଥ ଆଉ ସୁବିଧା ପାଇଁ। ମାତ୍ର ନିଜ କାର୍ଯ୍ୟ ହାସଲ ପରେ ସେ ମଧୁର ସମ୍ପର୍କରେ ଯବନିକା ପକାଇ ଦିଏ। ଆଜି ସମାଜରେ ପତିପତ୍ନୀ ସମ୍ପର୍କରେ ମଧୁରତା ଅନେକାଂଶରେ ଦୂର ହେଇ ଗଲାଣି, ବାହାଘରର ଦୁଇ ମାସରେ ଛାଡ଼ପତ୍ର ହୋଇ ଯାଉଛି। ପୁଅଝିଅମାନେ କଷ୍ଟ ସହିଥିବା ବାପା ମା’ଙ୍କୁ ସମ୍ମାନ ଦେବା ଦୂର କଥା ପଦେ ମିଠା କଥା କହିବାକୁ ଇଚ୍ଛା ପ୍ରକାଶ କରନ୍ତିନି।
ସବୁସତ୍ବେ ସମାଜରେ ମଣିଷଟିଏ ବାପା ମା’ଙ୍କୁ ବାଡେଇ ମଣିଷମାନଙ୍କୁ କଷ୍ଟ ଦେଇ ଏବଂ ଚୋରି, ଡକାୟତି, ଟାଉଟରି କରି ଭଗବାନଙ୍କୁ ପୂଜା ଆଉ ଜପ କରେ, ନାନାଦି ମନ୍ଦିର ଯାଇ ମାନସିକ କରେ ଆଉ ଅନେକ ଅର୍ଥ ବ୍ୟୟ କରେ। ହେଲେ ଏମିତି ମଣିଷର ସେହି ପାପଗୁଡ଼ିକ କେଉଁ ମନ୍ଦିରର ଧୂଳିରେ ପୋଛିହେବ, ତାହା ବିଚାର୍ଯ୍ୟ।
ବାସ୍ତବରେ ମଣିଷର ସ୍ୱାର୍ଥପରତାର ଗତିକୁ ସାର୍ କବିତାରେ ସୁନ୍ଦର ଭାବରେ ଦର୍ଶାଇଛନ୍ତି, ଯାହା ବାସ୍ତବିକ୍ ଭାବଗର୍ଭକ।
ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
କେନ୍ଦ୍ରାପଡା