* ସମୟ ସାଥୀରେ ବର୍ଷ ଗଡିଯାଏ
ବଢିଯାଏ ମାସ ଦିନ
ଚାହିଁଲେ ହିସାବ ରଖିପାରେ ନାହିଁ
ଡାକିନିଏ କାଳ ଯମ ।
“ସମୟ ସାଥୀରେ……….. କାଳ ଯମ।”
ଆଲୋଚ୍ୟ କବିତାଂଶଟି ଆମ୍ଭ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ସମ୍ମାନନୀୟ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ ବିରଚିତ “ଉଷ୍ଣ ଅପରାହ୍ନ” କବିତାର ଦ୍ଵିତୀୟ ପଦରୁ ଉଦ୍ଧୃତ। ଆଲୋଚ୍ୟ ପ୍ରସଙ୍ଗରେ କବି ତାଙ୍କ ଲେଖନୀ ମାଧ୍ୟମରେ ମୃତ୍ୟୁର ସର୍ବଗ୍ରାସୀ କରାଳ ରୂପକୁ ଚିତ୍ରିତ କରିଛନ୍ତି।
କ୍ଷଣସ୍ଥାୟୀ ମଣିଷ ଜୀବନରେ ସମୟ, କେବେ କାହାପାଇଁ ଅପେକ୍ଷା କରେନାହିଁ।ସମୟର ଗତି ଯେତିକି ମାତ୍ରାରେ ଆଗେଇ ଚାଲିଥାଏ,ଠିକ୍ ଅନୁରୂପ ଭାବରେ ମନୁଷ୍ୟର ଆୟୁଷ ରେଖାର ଗତି ମଧ୍ୟ ସେତିକି ପରିମାଣରେ ଲିଭି ଆସୁଥାଏ।ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ସମତାଳରେ ପୃଥିବୀ ପୃଷ୍ଠରେ ଗଡ଼ି ଚାଲିଥାଏ ଦିନ,ମାସ ଓ ବର୍ଷର ଆୟୁଷରୂପୀ ଗତି।
ମଣିଷ ଜୀବନ କାଳର ଅଧୀନ ।ଜୀବନର ପ୍ରତି ମୋଡରେ କାଳ ତା’କୁ ଛକି ବସିଥାଏ।ଆଖିରେ ଆସକ୍ତ ଭାବର ଅନ୍ଧ ପୁଟୁଳି ବାନ୍ଧି ମଣିଷ କାଳକୁ ଚିହ୍ନି ପାରେନାହିଁ।ସେ ସଂସାରରେ ମାୟାମୋହର ଛଦ୍ମ ମରୀଚିକା ପଛରେ ପଡ଼ି ଆସକ୍ତ ଭାବରେ ବନ୍ଧା ହୋଇଥାଏ।ପ୍ରକୃତରେ ସେ ଜାଣିପାରେ ନାହିଁ ଯେ,ତା’ର ଆୟୁଷ କ୍ଷୟ ହେବା ସହିତ ମୋହ ମାୟାର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। କାଳ କେଉଁ ମୁହୂର୍ତ୍ତରେ ଆକସ୍ମିକ ଭାବେ ଆସି ସର୍ବାଗ୍ରେ ଗ୍ରାସ କରିବ ତାହା କେହି କହିପାରିବେ ନାହିଁ।କାଳର କବଳିତ ହୋଇ ସେ ତାଡନା ଭୋଗ କରିଥାଏ।ମଣିଷ ମାୟାର ସମୟ ଶେଯରେ ଶୋଇ କଡ ଲେଉଟିଲା ବେଳକୁ ମୁହୂର୍ତ୍ତରେ କାଳ ଯମ କେତେବେଳେ ଆସି ତାକୁ ଡ଼ାକି ନେଇଯିବ,ତାହାର ହିସାବ କେହି ରଖିପାରନ୍ତି ନାହିଁ।
ତେଣୁ ବାସ୍ତବିକ ମାୟା ସଂସାର ସାଗରରେ ବିଲୀନ ହେବା ଆଗରୁ ମଣିଷ ଜୀବନର ବାସ୍ତବ ସତ୍ୟତାକୁ ଉପଲବ୍ଧି କରିବା ଏକାନ୍ତ ଆବଶ୍ୟକ।କବିଙ୍କ ଲେଖନୀ ମୁନରେ ଜୀବନ ପ୍ରତି ତାତ୍ବିକ ଦୃଷ୍ଟିଭଙ୍ଗୀ ଉଚ୍ଚଭାବ ପୂର୍ଣ୍ଣ ମନେହୁଏ।
ନାମ – ଶାଶ୍ଵତୀ ନନ୍ଦ
କଟକ