ସମ୍ପର୍କର ମାନେ କିଛି ଏଠି ନାହିଁ
ସବୁ ଲାଗେ ମୂଲ୍ୟହୀନ
ମଣିଷର ତଣ୍ଟି କାଟୁଛି ମଣିଷ
ମିଛେ ମୁଖେ ହରିନାମ ।
ସମ୍ପର୍କର ମାନେ……… ମୁଖେ ହରିନାମ।
ଆଲୋଚ୍ୟ କବିତାଂଶ ଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କ କଲମ ନିଃସୃତ ‘ଉଷ୍ଣ ଅପରାହ୍ନ’ କବିତାରୁ ସଂଗୃହିତ। ଏଠାରେ କବି ଶ୍ରୀଯୁକ୍ତ ସେଠୀ ତତ୍କାଳୀନ ସମୟରେ କିପରି ମାନବିକତା ପତନ ଘଟି ସ୍ୱାର୍ଥପରତା ର ରାଜୁତି ଚାଲିଛି ସେ ବିଷୟକୁ ଉପସ୍ଥାପନା କରିଛନ୍ତି ଉକ୍ତ ପଂକ୍ତି ମାଧ୍ୟମରେ।
ବାସ୍ତବରେ ଆଧୁନିକ ସଭ୍ୟତା ର କୁପ୍ରଭାବ ହେଉ ଅଥବା ମାନବିକତାର ମୃତ୍ୟୁ ; ମଣିଷ ଆଜି ସାଜିଛି ରାକ୍ଷସ! ସମ୍ପର୍କକୁ ସ୍ୱାର୍ଥ ର ଶୂଳିରେ ହତ୍ୟା କରୁଛି ବାରମ୍ବାର। ତେବେ ଏ ପଦ ରେ ସମ୍ପର୍କର ମୂଲ୍ୟ ବୁଝିନପାରି ମଣିଷ ହତାଦର କରୁଥିବା ସ୍ପଷ୍ଟ ଭାବରେ ଯୁକ୍ତି ବାଢ଼ିଛନ୍ତି ସ୍ରଷ୍ଟା। ଚୋରି, ଡକାୟତି, ହିଂସା, ହତ୍ୟା ଏବେ ଚରମସୀମା ରେ । ଗାଁ ରୁ ସହର କେହିବି ବର୍ତ୍ତିପାରିନାହାନ୍ତି । ବିଶ୍ଵ ର କୋଣ ଅନୁକୋଣରୁ ଶୁଭୁଛି ହିଂସା ର ସ୍ୱର। ମନୁଷ୍ୟ ହିଁ ସାଜୁଛି ମନୁଷ୍ୟର ଶତୃ।
କେବଳ ଆଧ୍ୟାତ୍ମିକତାର ସାହାରା ନେଇ ଅନେକ ବିରାଡ଼ି ବୈଷ୍ଣବ ଆଜି ସମାଜକୁ କଳୁଷିତ କରୁଛନ୍ତି।
ଜନହିତକର କାର୍ଯ୍ୟ ରୁ ନିବୃତ ରହି ଲୋକ ଦେଖାଣିଆ ଭକ୍ତି ରେ ଆଶ୍ରିତ ସମସ୍ତେ। ଭୋକିଲା ପେଟକୁ ମୁଠାଏ ଦାନା ନ ଦେଇ ମିଛରେ ମନ୍ଦିର ଯାଇ ବଦାନ୍ୟ ହେବାର ପରିଚୟ ଖୋଜିଛନ୍ତି। ଏ ପଟେ ପରକୁ ଶୋଷଣ କରି ପରୋକ୍ଷରେ ତଣ୍ଟି ଚିପି ଲୁଣ୍ଠନ କରୁଛି ତ ଅନ୍ୟପଟେ ସାଧୁ ପାଲଟିବାର ଅଭିନୟ କରୁଛି। ଏମିତି ଏକ ବହୁରୂପୀ ଜୀବ ହୋଇଗଲାଣି ମନୁଷ୍ୟ ।
କବିଙ୍କ ଏହି ପଦଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ପ୍ରଶଂସନୀୟ ହେଇଛି। ବାସ୍ତବିକ ସମାଜରେ ସମ୍ପର୍କକୁ ଗୋଇଠା ମାରି ସ୍ୱାର୍ଥ ରେ ଲିପ୍ତ ରହି ଅନ୍ୟର କ୍ଷତି ସାଧନ କରୁଥିବା ମଣିଷ-ଚରିତ୍ରର ନଗ୍ନ ଚିତ୍ର ଚିତ୍ରିତ ହୋଇଛି।
★ ରିଙ୍କୁ ମେହେର,
ଲାଠୋର (ବଲାଙ୍ଗିର)