*ରଫଖାତା*
କେତେ ବର୍ଷ ପରେ ସନାତନ ବାବୁ ଆଜି ଗାଁକୁ ଫେରିଛନ୍ତି। ନିଜ ଅନିଚ୍ଛା ସତ୍ତ୍ବେ ମଧ୍ୟ ଧର୍ମପତ୍ନୀ ବୀଣାଦେବୀଙ୍କ ପରାମର୍ଶ କ୍ରମେ ସେ ଆସିଛନ୍ତି ନିଜ ପୈତୃକ ସଂପତ୍ତି ରୂପକ ଚାରିବଖରା ଘରକୁ ଆଉ କାହା ହାତରେ ସମର୍ପିବାକୁ। ନିଜର ପିଲାଦିନ, ବୋଉର ସ୍ନେହବୋଲା ପଣତଠୁ ବାପାଙ୍କ ନାଲି ଆଖି ପର୍ଯ୍ୟନ୍ତ ସବୁ ସ୍ମୃତି ସମାଧିସ୍ଥ ଏଇ ଘରେ।
ଶେଷଥର ପାଇଁ ନିରେଖି ଦେଖୁଥାନ୍ତି ନିଜ ବାପା ମାଁ ଛାଡ଼ି ଯାଇଥିବା ଶେଷ ସନ୍ତକ ରୂପକ ଘରଟିକୁ। ହଠାତ୍ ତାଙ୍କ ନଜର ପଡ଼ିଲା ଭଙ୍ଗା ଆଲମିରା ତଳେ ପଡିଥିବା ଏକ ପୁରୁଣା ଖାତା ଉପରେ।କେଜାଣି କେତେ ବର୍ଷରୁ ବହଳେ ଧୂଳିର ପରସ୍ତ ନିଜ ଉପରେ ଢାଙ୍କିଦେଇ ପଡ଼ି ରହିଛି ସେଇ ଆଲାମିରା ତଳେ। ଝାଡି ଝୁଡ଼ି ତାକୁ ସଫାକରି ନିଜ ବ୍ୟାଗରେ ପୁରେଇ ଆଣିଲେ ସନାତନ ବାବୁ।
ବାପା ମାଁଙ୍କ ଗରିବ ହେବାର ଅସହାୟତା ଖୁବ୍ ଭଲ ଭାବେ ଜଣା ଥିବାରୁ ପିଲାଟି ଦିନୁ କେବେ କିଛି ଜିଦ୍ କରି ନ ଥିବା ସନାତନ ବାବୁ କେତେ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରଫଖାତା ସ୍କୁଲରେ ବ୍ୟବହାର କରୁଥିଲେ ହୁଏତ ସେଇଟା ତାଙ୍କର ବି ମନେ ନ ଥିବ। ବାପାଙ୍କ ଉପରେ ଖାତାଟିଏ ପାଇଁ ବୋଝ ନ ପଡୁ ସେଥିପାଇଁ ସେ ରଫଖାତାରେ ପେନସିଲରେ ଲେଖି ରବର ମାଧ୍ୟମରେ ତାକୁ ଲିଭେଇ ଦେଉଥିଲେ।ଏମିତି କେତେ ବର୍ଷ ପର୍ଯ୍ୟନ୍ତ ସେଇ ଗୋଟିଏ ରଫଖାତାରେ କଷିଛନ୍ତି ଜୀବନର ସବୁ ମାନସାଙ୍କ।
“ଘରେ କ’ଣ ଭଲ ଖାତା ନା କାଗଜର ଅଭାବ ଅଛି ଯେ ତୁମେ ସବୁଦିନ ଏଇ ମଇଳା ରଦି ହେଇ ସାରିଥିବା ଖାତାଟିକୁ ଧରି ବସିଛ?”
ବୀଣାଦେବୀଙ୍କ ଏଇ ଭଳି ଅଭିଯୋଗ ଭରା ବାକ୍ୟ ଶୁଣି ପୁରୁଣା ସ୍ମୃତିର ମାନସ ପଟରୁ ବାହାରି ଆସି ସନାତନ ବାବୁ ମନେ ମନେ
ଭାବୁଥାନ୍ତି “ଏଇ ରଫଖାତାଟି ମୋ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଯେ ସେଇଟା ତୁମେ ବୁଝିପାରିବନି”।
Manju rani behera ମଞ୍ଜୁ ରାଣୀ ବେହେରା
Menda,subarnapur।