ରଫଖାତା‘
ମାନସିକ ହସ୍ପିଟାଲର ଏକ ନଂ ୱାର୍ଡ ୧୪ ନଂ ବେଡରେ ପଡି ଛଟପଟ ହେଉଥାନ୍ତି ସୁମତୀ ଦେବୀ। ବିକ୍ରୁତ ମସ୍ତିଷ୍କ ରେ ଏଣୁ ତେଣୁ ଗୀତ ଗୁଡିକ ବାହାରି ପଡୁଥାଏ ତାଙ୍କ ପାଟିରୁ। ଚାରିଜଣ ୱାର୍ଡ ବଏ ତାଙ୍କୁ ଜୋର୍ କରି ଟାଣି ନେଉଥିଲେ ଗୋଟିଏ ରୁମ୍ କୁ। ଖଟରେ ସମଗ୍ର ଶରୀରକୁ ବାନ୍ଧି ଦେଇ କରେଣ୍ଟ ଯୋଗେ ଦେଇ ଚାଲିଲେ ସକ୍।କିଛି ସମୟ ଛଟପଟ ହେବା ପରେ ନିସ୍ତେଜ ହୋଇ ପଡିଲା ତାଙ୍କର ସକ୍ରିୟ ଶରୀର।
କିଛି ଦିନ ହସ୍ପିଟାଲରେ ରହିବା ପରେ ଫେରୁଥାନ୍ତି ଘରକୁ। ଶାଶୁ, ଶ୍ବଶୁର, ନଣନ୍ଦ, ଦିଅର ଓ ସ୍ବାମୀ ଙ୍କ ଅତ୍ୟାଚାର ସହି ନ ପାରି ମାନସିକ ରୋଗୀ ଟିଏ ହୋଇ ଯାଇଥିଲେ। ସମସ୍ତଙ୍କ ଅଜାଣତରେ ଦିନେ ଘରୁ ଗୋଡ କାଢ଼ି କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। କେତେଜଣ ବଦାନ୍ଯ ବ୍ଯକ୍ତି ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରି ଚାଲି ଯାଇଥିଲେ। ସ୍ବାମୀ ସମସ୍ତ ବିଷୟ ଅବଗତ ହେବା ପରେ ତାଙ୍କୁ ନେଇ ଆସିଥିଲେ ଘରକୁ। ଚାକିରି କାଳରେ ଏଣେ ତେଣେ ବୁଲାବୁଲି କରି ଶେଷରେ ଅବସର ସମୟ ଆସିଗଲା। ଏକମାତ୍ର ସନ୍ତାନ ହୋଇ ଥିବାରୁ ସ୍ବାମୀଙ୍କୁ ସାଥିରେ ନେଇ ନିଜ ଜନ୍ମ ମାଟିକୁ ଫେରି ଆସିଥିଲେ। ପଛରେ ରହିଗଲା ନର୍କ ସମ ଶାଶୁଘର। ଏକ ମାତ୍ର ପୁତ୍ର ଓ ପୁତ୍ର ବଧୂ ଡାକ୍ତର ଭାବେ ସହରରେ ରହୁଥିଲେ।
ସ୍ବାମୀ ସ୍ତ୍ରୀ ଦୁହେଁ ଗ୍ରାମ୍ୟ ଜୀବନକୁ ଆଦରି ନେଇଥିଲେ। କିନ୍ତୁ, ମାନସିକ ବିକାର ପାଇଁ ଔଷଧ ସେବନ ନିହାତି ଜରୁରୀ ହୋଇ ପଡିଥିଲା। ଜୀବନରେ ପତି ସୋହାଗିନୀ ହେବା ତାଙ୍କ ଭାଗ୍ଯରେ ନଥିଲା। ପ୍ରତିଟି ମୁହୂର୍ତ୍ତ ଶାରୀରିକ ଓ ମାନସିକ ନିର୍ଯାତନା ଯେପରି ତାଙ୍କ ପଥ ଚାହିଁ ରହିଥିଲା। ହଠାତ୍ ଦିନେ ତାଙ୍କ ଜୀବନରେ ଅକାଳ ଚଡକ ପଡିଲା। ହୃଦ୍ଘାତ ରେ ସ୍ବାମୀ ଆରପାରିକୁ ଚାଲି ଗଲେ। ପୁତ୍ର, ପୁତ୍ର ବଧୂ କେବେ କେମିତି ଗାଁ କୁ ଆସି ଚାଷରୁ ଅର୍ଜିତ ଚାଉଳ, ମୁଗ, ବିରି ଓ ପେନସନ୍ ଟଙ୍କା ଛଡେଇ ନେଇ ଚାଲିଯା’ନ୍ତି। ବଞ୍ଚିବା ପାଇଁ କେବଳ ଟଙ୍କା କେଇଟା ଓ ଔଷଧ ହୋଇଥାଏ ତାଙ୍କ ଜୀବନର ସର୍ବସ୍ବ।
ଏକୁଟିଆ ଅସହାୟା ସୁମତୀ ହେଲେ ଶଯ୍ୟାଶାୟୀ।ପୁତ୍ର ଓ ବଧୂ ନେଇ ଗଲେ ପାଖକୁ। ହେଲେ, ଏ କଣ? ସେ ରହିଲେ ସରଭେଣ୍ଟ ରୁମ୍ରେ।ଘୃଣାରେ ତାଙ୍କ ପ୍ରତି ଦୃଷ୍ଟି ଦେଲେ ନାହିଁ। ବ୍ରାହ୍ମଣ ବିଧବା ମହିଳାର ସେବା କଲା ଜଣେ ସୁଇପର୍।
ବାଷ୍ପରୁଦ୍ଧ ହୋଇ ସେ ଓଲଟାଉ ଥାନ୍ତି ତାଙ୍କ ଜୀବନର ରଫ୍ ଖାତା। ଯାହାର ପ୍ରଥମ ପୃଷ୍ଠା ଟି ସୁନ୍ଦର ଥିଲା। ବିବାହ ପରର ପ୍ରତ୍ୟେକ ପୃଷ୍ଠା ଯନ୍ତ୍ରଣା ଦାୟକ। ଆଖିରେ ବେଦନାର ଅଶ୍ରୁ। ଅମଣିଷର ହାତଧରି ଓ ଅମଣିଷକୁ ଜନ୍ମ ଦେଇ ନିଜ ଜୀବନକୁ ନିନ୍ଦୁ ଥିଲେ। ଦିନେ ସକାଳେ ଲିଭି ଯାଇଥଲା ତାଙ୍କ ଜୀବନ ଦୀପ। ସୁଇପର୍ ମାନେ ତାଙ୍କ ମୃତ ଶରୀରକୁ ବୋହି ନେଉଥଲେ।ପୁତ୍ର ମୁଖାଗ୍ନି ଦେଇ କରୁଥିଲା ପୁତ୍ରର କର୍ତ୍ତବ୍ଯ।
ସୁମତୀ ଦେବୀଙ୍କ ଜୀବନ ରଫ୍ ଖାତାର ପ୍ରତ୍ୟେକ ପୃଷ୍ଠା ହୁତୁ ହୁତୁ ହୋଇ ଜଳୁଥଲା ଶ୍ମଶାନ ଚିତାରେ ।
ଭାରତୀ ପଣ୍ଡା
ବୁର୍ଲା, ସମ୍ବଲପୁର
୯୪୩୮୬୪୪୧୫୩
422 total views, 1 views today