#ନିଷ୍ଫଳ_ବୟସ*
ରକ୍ତ ଜୁଡୁବୁଡୁ ନିଷ୍ଫଳ ବୟସ
ଦେହଗଛ ଉହଳରେ
ତୋଫା ଚେହେରାକୁ ଅଲୋଡ଼ା ଅଳିଆ
ମୋତେ ଅଟ୍ଟହାସ୍ୟ କରେ।।
ପତ୍ର କଅଁଲୁଚି ଦେହ ଗଛଟାରେ
ଚମ ଧୁଡୁ ଧୁଡୁ ମୋର
ପକ୍ଷିଣୀର ପରିତ୍ୟକ୍ତ ନିଡ଼ ସମ
ଏହି ଜୀବନଟା ଛାର।।
ଜୀବ ଶ୍ବାସଗୀତି ମନେ ଆଣେ ପ୍ରୀତି
ଏହି ମାୟା ସଂସାରରେ
ମରମର ବ୍ୟଥା ନିବୁଜେ ସାଇତା
ଏହି ମୋ ହୃଦ କାନ୍ଥରେ।।
ରହି ରହି ରଟେ କାଳପେଚା ଏଠି
ଦେହ ଛପର ଉପରେ
ବେଳ ରତ ରତ ହେଲା ଚାଲ ଏବେ
ବସି ମହିଷ ଉପରେ।।
ଧମକ ଦେଲାଣି ଅରଣା ମହିଷ
ମୃତ୍ୟୁ ମୋର ସନ୍ନିକଟ
ପ୍ରସ୍ତୁତ ହେବାକୁ ସମୟତ ନାହିଁ
ଆସିଯିବେ ଯମ ଦୂତ।।
ଦୁଃଖ ସହିବାକୁ ନାହିଁ ମୋ ଶକତି
ଯାହା ଭାଗ୍ୟେ ଲେଖାଅଛି
ମଉଳା ଡାଳରୁ ପ୍ରାଣ ପକ୍ଷୀଟି
ଉଡିବ ନିଶ୍ଚେ ଜାଣିଛି।।
ଶଇତାନ କରମ ମୋହର ଯିବେ
ସାଥି ହୋଇ ଯମପୁର
ନିଶ୍ଚୟ ଭୋଗିବି ନରକ ଯନ୍ତ୍ରଣା
ଏକଥାଟି ହେବ ସାର।।
ରାମ ନାମ କେହି ଶୁଣାଇ ଦିଅରେ
କର୍ଣ୍ଣ ପଟହରେ ମୋର
ପ୍ରଭୁନାମ ଶୁଣି ସୁଖରେ ଚଳିବି
ଦିବ୍ୟ ସରଗ ପୁର।।
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ସମ୍ପାଦକ,
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର।