ତୁମେ ମୋ ଆଖିର ସତ ସପନ
ଜୀବନ ଦାଣ୍ଡରେ ଚଲିବା ବେଳରେ
ଦେଖିଛି କେତେ ସପନ
ସେ ସବୁ ସପନ ନହୁଏ ପୁରଣ
ବିଳାପ କରଇ ମନ।
ଦିନର ସପନ କୁହୁଡ଼ି ସମାନ
ରାତିରେ ଯାଏ ଉଭେଇ
ରାତିର ସପନ ଝୁରୁଥାଏ ମନ
କାଳେ ସତ ହେବ ସେହି।
ସପନ ବଣିକ ସାଜିଛି ମୁଁ ଦେଖ
ସପନ ସଉଦା ପାଇଁ
ଅସଲି ସପନ କିଣିବାକୁ ମନ
ସଦା ବ୍ୟାକୁଳ ହୁଅଇ।
ହେ କଳା କହ୍ନାଇ ତୁମବିନା କାହିଁ
ନାହିଁ ଅସଲି ସପନ
ତୁମେ ମୋ ଆଖିର ସତ ସପନର
ସଉଦା କଳାବଦନ।
ସେ ସଉଦା ପାଇଁ ଖୋଜିବୁଲେ ମୁହିଁ
ଏ ମାୟା ସଂସାରେ ରହି
ଭାବର ଧନକୁ ଧରିବୁଲେ ତାକୁ
ମନ ଗଣ୍ଠିଲିରେ ମୁହିଁ।
କେବେ ମୁଁ ପାଇବି ଗଣ୍ଠିଲି ଖୋଲିବି
ଗଣ୍ଠିଲି ହେବ ହାଲୁକା
ସତେ ଏ ଜୀବନେ ପାଇବିକି ଦିନେ
ବଣିଜା କରନ୍ତି ଏକା।
ପାଇଗଲେ ତୋତେ ଧନ୍ୟ ହ୍ବନ୍ତି ସତେ
ମିଳିଯା ତୁ ମୋତେ ଥରେ
ତୋ ସାଥେ ବେପାର କରିବାକୁ ମୋର
ମନ ଦିନରାତି ଝୁରେ।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ