**ତୁମେ ଆଉ ମୁଁ*
ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ,
ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ ।
ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ ,
ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ ।
ତୁମେ ତ ସେ ଦୀର୍ଘ ଦରିଆର ନୀର, ଗଭୀର ଅମାପ ମାପ,
ମୁଁ ସଂଶୟ – ପୂର୍ଣ୍ଣ ସମୂହ ସଲିଳ ,ନାଶି କି ପାରିବି ତାପ ।
ତୁମେ ତ ସେ ମୋହିଲା ମଳୟ ଝୁଙ୍କ, ଶୀତଳତା ଦିଅ ଭରି,
ମୁଁ ଉଷ୍ମ ନିଦାଘର ଝାଞ୍ଜି-ସମୀର, ପାରିବି କି ତୃପ୍ତ କରି ?
ତୁମେ ତ ସେ ଶୁକ୍ଲ ପକ୍ଷେ ଜହ୍ନ ଜ୍ୟୋତ୍ସ୍ନା, ମାଦକତା ଭରି ଦିଅ ,
ମୁଁ ସେ ମିଞ୍ଜି ମିଞ୍ଜି କରୁଥିବା ତାରା, ହୋଇକି ପାରିବି ପ୍ରିୟ ?
ତୁମେ ତ ସେ ମଧୁର ନିର୍ଝର ଝର, ହେବ ନାହିଁ କେବେ ଶେଷ,
ମୁଁ ସେ ଅସରାଏ ତୁଚ୍ଛ ବର୍ଷା ଛିଟା, କରି କି ପାରିବି ତୋଷ ???
ତୁମେ ତ ଅମୂଲ୍ୟ ଅସରନ୍ତି ଖଣି, ଆକଳନ କି କରିହେବ ?
ମୁଁ ଜଳି ସାରିଥିବା କଳା ଅଙ୍ଗାର, ମୂଲ୍ୟ ମୋତେ କିଏ ଦେବ ?
ସୁମିତ୍ରା ନାୟକ
ବାଜପୁରା
କଟକ