ପ୍ରଜାପତି
______________
ଏକା ଥିଲି ଫିକା ଥିଲି,
ରଙ୍ଗ କଣ ଜାଣି ନଥିଲି
ତୁମର ଚିକ୍ ମିକ୍ ରୂପ ଦେଖି ତୁମ ପଛରେ ଧାଇଁଗଲି ।
ଦେଖିଲି, ତୁମ ଚାରିପଟେ ରଙ୍ଗୀନ ଫୁଲମାନଙ୍କ ଭିଡ଼,
ତୁମେ ତନ୍ମୟ ତାଙ୍କ ଭିତରେ,
ମୋ ପାଦର ରକ୍ତ ଥିଲା ମୂଲ୍ୟହୀନ
ସେମାନଙ୍କ ମଧୁ ଆଗରେ ।
ପ୍ରାପ୍ତିର ନିଶା ମୋର ଉଭେଇଗଲା
ଜୀବନର ଆଶା ବି ମରିଗଲା,
ବାସ୍ କ୍ଷତାକ୍ତ ହୃଦୟ ଭିତରେ
ସେଇ ନିଃସର୍ତ୍ତ ସ୍ନେହ ଟିକକ ରହିଗଲା ।
ଲୁହ ଭର୍ତ୍ତି ଆଖି ଦୁଇଟିର ଭାର ବୋହି ବୋହି
ମୁଁ ଫେରିଲି ବାସ୍ତବତାକୁ,
ତାର ଲୁଣିଆପଣ କିନ୍ତୁ ପ୍ରଭାବିତ କରି ପାରିଲାନି
ମୋ ମଧୁର ସ୍ବପ୍ନକୁ ।
ମୋ ପାପୁଲିରେ ତୁମ ସ୍ପର୍ଶ
ଆଜି ବାଧ୍ୟ କଲା ବିଶ୍ୱାସ କରିବାକୁ,
ମୁଁ ଫୁଲ ନୁହେଁ ସତ
କିନ୍ତୁ ତୁମେ କେମିତି ଭାଙ୍ଗିବାକୁ ଦେଇ ପାରିଥାନ୍ତ
ମୋ କୋମଳ ମନର ନୀରିହପଣକୁ ।
✍🏻 ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ