ବାପା କାନ୍ଦନ୍ତି
(ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଟିଏ)
ବୋଉ କହେ ମୁଁ ଯେବେ ମେଡ଼ିକାଲ ରେ ଜନ୍ମହେଲି ସେଦିନ ପ୍ରଥମ କରି ମୋ ବାପା କାନ୍ଦିଥିଲେ କିନ୍ତୁ ଖୁବ୍ ଖୁସିରେ ମୁଁ ପୁଅ ବୋଲି । ଚାରି କି ପାଞ୍ଚ ବର୍ଷ ବୟସରେ ଗୋଟିଏ ଟୀକା ନେବାକୁ ପଡ଼େ ଯାହା ସେଦିନ ମୁଁ ନେଇଥିଲି ଆଉ ଦିନଟା ଯାକ କାନ୍ଦିଥିଲି ମଧ୍ଯ । ରାତି ହେଲା ମୋ ବୋଉ କୁ ବାପା କହିଲେ ” ହେଇ ଶୁଣ ପୁଅ କୁ ମୋତେ ଦିଅ ଆଉ ତୁମେ ଟିକେ ରେଷ୍ଟ ନିଅ ” । ମୋ ବୋଉର ଆଖି ଲାଗିଗଲା ପରେ ମୋର ଇଞ୍ଜେକ୍ସନ କଥା ମନେପଡ଼ିଗଲା । ନିର୍ଘାତ ଖାଲି କାନ୍ଦିଲି । ମୋ ବାପା କଣ କମ୍ କି ସେ ବି ମୋତେ ସାରା ସଂସାରର ଦାୟିତ୍ୱ ବହୁଥିବା ତାଙ୍କର ସେଇ ମଜବୁତ୍ କାନ୍ଧରେ ଶୁଆଇ ଆମ ବାରଣ୍ଡା ପଟକୁ ବାହାରିଲେ ମୋତେ ଜହ୍ନ ଦେଖେଇ ଶୁଆଇଦେବେ ହେଲେ ମୋତେ ଭାରି କଷ୍ଟ ହେଉଥାଏ ବୋଲି ମୁଁ ମିଛି ମିଛିକା ତାଙ୍କ କାନ୍ଧରେ ମୁହଁ ଯାକି ଶୋଇବାର ଅଭିନୟ କରୁଥାଏ ।ମୋର ଝାପ୍ସା ଝାପ୍ସା ମନେଅଛି କିଛି ସମୟର ବ୍ୟବଧାନ ପରେ ମୋ ଗାଲରେ କିଛି ଉଷୁମ ପାଣି କେହିଜଣେ ବୁନ୍ଦାଏ ବୁନ୍ଦାଏ ପକାଉଛି ଭଳି ମନେହେଲା ଆଖି ଖୋଲି ସିଧା ସିଧା ବପାଙ୍କ ମୁହଁ ଆଡ଼କୁ ଅନେଇଲି ଦେଖିଲି ଝାପ୍ସା ଜହ୍ନ ଆଲୁଅରେ ମୋ ପାଇଁ ଅହରହ ସୁନେଲି ସ୍ୱପ୍ନର ବୀଜ ବୁଣୁଥିବା ମୋ ବାପାଙ୍କ ସେଇ ଗହିରିଆ ଆଖି ଦୁଇଟିରୁ ସେଇ ଉଷୁମ ପାଣି ସବୁ ବାହାରୁଛି କିନ୍ତୁ ସେତେବେଳେ ମୋ ବାପା କାନ୍ଦୁଥିଲେ ବୋଲି ମୁଁ ଜମା ଜାଣିନଥିଲି ସେଭଳି ଦୃଷ୍ଟିଶକ୍ତି ସେତେବେଳେ ମୋ ଆଖିକୁ ଛୁଇଁ ନଥିଲା।
ଛୋଟରୁ ବଡ଼ ହେଲି ।ତେଲ ଲୁଣ ସଂସାର ବିଷୟରେ କିଛି କିଛି ଜାଣିଲି କିନ୍ତୁ ମୋ ବାପାଙ୍କର ସେଇ କଳାଦାଗ ପଡ଼ିଥିବା ଆଖିରୁ ଅନେକ ସମୟରେ ବାହାରୁଥିବା ଉଷୁମ ପାଣି ର ରହସ୍ୟ ବିଷୟରେ କିଛି ବୁଝିପାରିନଥିଲି। ବୋଉ କୁ ଅନେକ ଥର ପଚାରିଛି ହେଲେ କଣ ହେବ ସେ ସବୁବେଳେ ସେଇ ଗୋଟିଏ କଥା କହେ ” ତୁ ଯେବେ ବାପା ହେବୁ ସେତେବେଳେ ଆପେ ଆପେ ବୁଝିଯିବୁ ତୋ ବାପାଙ୍କ ଆଖିର ସେଇ ଉଷୁମ ପାଣିର ରହସ୍ୟ ” । ହଉ ଠିକ୍ ଅଛି ଦେଖିବା ସେ ସମୟ ଆସୁ କହି ନିଜକୁ ମୁଁ ଥାପୁଡ଼ି ଦିଏ।
ସମୟ ଆସିଲା ମୋର ବାହାଘର ବି ହେଲା କିନ୍ତୁ ଏଥର ମୋ ବାପାଙ୍କ ଆଖିରେ ଟିକିଏ ଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ପାଇଲି ମୁଁ । ପୂର୍ବରୁ ଖାଲି ସେଇ ଉଷୁମ ପାଣି ବହିବାର ଦେଖିଥିଲି ହେଲେ ଏବେ ତାଙ୍କ ଆଖି ଖାଲି ଓଦାଳିଆ ଓଦାଳିଆ ଲାଗୁଥିଲା । ଆଖି କୋଣ ସବୁ ସେଇ ଉଷୁମ ପାଣି ସବୁକୁ ଲୁଚେଇବାପାଇଁ ଅହରହ ପ୍ରୟାସ କରୁଥାନ୍ତି ଆଉ ସଫଳତାର ସହିତ ଲୁଚାଇ ପକାନ୍ତି ହେଲେ ଆଖି ତାଙ୍କର ସେମିତି ଅନେକ ସମୟରେ ଛଳଛଳ ଦେଖାଯାଉଥାଏ । ଏଥର କିନ୍ତୁ ଆଉ ମୋ ମନକୁ ମୁଁ ବୁଝେଇ ପାରିଲିନି ଭାବିଲି ଏବେ ତ ମୋତେ ପୁର୍ଣ୍ଣ ସ୍ୱାଧୀନତା ମିଳିଛି ତେବେ ଯାଉଛି ସେଇ ରହସ୍ୟ କୁ ଟିକେ ପାଖରୁ ଦେଖିବି ଯାହା ମୋ ବାପାଙ୍କ ଆଖିର।
ସମ୍ପୂର୍ଣ୍ଣ ପ୍ରସ୍ତୁତି ପର୍ବ ସାରି ସେଦିନ ଅଫିସରୁ ଛୁଟି ନେଇ ଘରେ ରହିଲି। ଦେଖିଲି ସକାଳର ଚା କପ୍ ଟା ତାଙ୍କ ହାତକୁ ଆସିବା ବଦଳରେ ତାଙ୍କ ହାତ ଟା କେମିତି ଯାଉଛି ଘରପାଖ ଦୋକାନୀର ପେପର୍ କପ୍ ଯୁକ୍ତ ଚା ପାଖକୁ। ହଁ ଦେଖିଲି ଭାତଖିଆ ବେଳେ ରୋହୀ ମାଛ ଝୋଳ କୁ ଟିଫିନ ରେ ଲୁଚାଇ ତାଙ୍କୁ କେମିତି ଡାଲି ଆଉ ଆଳୁ ଚକଟା ଦେଇ ଭାତ ପରସା ଯାଉଛି । ଆହୁରି ଦେଖିଲି ରାତିରେ ଛଅ ପଟ ରୁଟି ଖାଉଥିବା ଲୋକଟିକୁ କେମିତି ସୁସ୍ଥ ରଖିବା ଛଳରେ ମାତ୍ର ଦୁଇ ପଟ ରୁଟି ଦିଆଯାଉଛି ତାହା ପୁଣି ଖାଲି ପିଆଜ ସହିତ।
ନା ଆଉ ଦେଖିବାର ସାହାସ ମୋର ନଥିଲା ସେଦିନ । ସବୁବେଳେ ନିଜ ଝିଅ ଭାବୁଥିବା ତାଙ୍କ ବୋହୁ ଯେତେବେଳେ ଚିତ୍କାର କରି ତାଙ୍କୁ କହେ ” ଆଜି ଏତିକି ହେଇଛି ଖାଇଲେ ଖାଅ ନହେଲେ ଯାଅ ” ବାସ୍ ସେତେବେଳେ ମୋ ଛାତିରୁ କେମିତି ଗୋଟେ ଅଲଗା ପ୍ରକାର ଆବାଜ୍ ବାହାରେ । ଧଡ଼….ଧଡ଼….ଧଡ଼….ସମାନ ଏମିତି ଆବାଜ୍ ଆଉ ମୋ ଆଖି ଯାହା ମୋ ଜୀଅନ୍ତା ଈଶ୍ୱର ମୋ ବାପାଙ୍କ ଦାନ ତାର ସ୍ଥିତି ସେତେବେଳେ ଅବିକଳ ମୋ ବାପାଙ୍କ ପରି । ସେଇ ସମାନ ଓଦାଳିଆ ଓଦାଳିଆ ଆଉ ଅବିରତ ବହୁଥିବା ଉଷୁମ ପାଣି ର ଭଣ୍ଡାର।
ହୁଁ ଏବେ ମୁଁ ବୁଝିଲି ସେଇ ଅନେକ ଦିନର ଅଦେଖା ରହସ୍ୟକୁ ତେବେ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ….ବାପା କାନ୍ଦନ୍ତି..ହଁ ମୋ ବାପା କାନ୍ଦନ୍ତି….।ବାପା କାନ୍ଦନ୍ତି କିନ୍ତୁ ମୁଁ ଦେଖିପାରେନା ।ସେଭଳି ଦୃଷ୍ଟିଶକ୍ତି ମୋର ଆଜି ଯାଏଁ ହେଇନଥିଲା ? ହଁ ବାପା ଖୁବ୍ କାନ୍ଦନ୍ତି ହେଲେ ଆଖି ସହିତ ନୁହଁ ହୃଦୟ ସହିତ ମିଶି ଏବେ ଏବେ ମୁଁ ସୁରାକ୍ ପାଇଲି।
ଜିତେନ୍ଦ୍ର ଗିରି
ବାଲେଶ୍ଵର।