ଛବି ବହି
ଛବି ବହି ଯୁଗ ରଚି ଯାଏ ଦେଖ
ଶିଶୁ ଉପଯୋଗୀ ବହିରେ ସାର,
ଶିଶୁ ମନ ଜାଣି ଶିକ୍ଷା ଦିଏ ପୁଣି
ସରଳ ଶିକ୍ଷଣ ମୂଳ ଆଧାର।
ପ୍ରକୃତି ଦରବ ଦେଖା ଶୁଣା ଭାବ
ନାନା ରଙ୍ଗେ ଛବି ବହିରେ ଅଙ୍କା,
ଦେଖି ଚିହ୍ନି ଜାଣି ହୁଅନ୍ତି ବଖାଣି
ଶବ୍ଦରୁ ଅକ୍ଷର ପାଆନ୍ତି ଶିକ୍ଷା,
ସରଳ ବାକ୍ୟରେ ଢଗ ଢମାଳିରେ
ସଜାଇ ହୋଇଛି ଶିଶୁ ସଂସାର,
ଛବି ବହି ଯୁଗ ରଚି ଯାଏ ଦେଖ
ଶିଶୁ ଉପଯୋଗୀ ବହିରେ ସାର।
ଅକ୍ଷର ବନାନ ଯୁକ୍ତାକ୍ଷର ମାନ
କ୍ରମେ ଛବି ସଂଗେ ହୋଇଛି ଖଞ୍ଜା,
ସର୍କସ କାହାଣୀ ଜୀବ ଜନ୍ତୁ ଆଣି
ଭରିଛି ଛବିରେ ଦେଉଛି ମଜା।
ଶିଶୁ ମନୋଭାବ ଛବିରେ ସରାଗ
ଢଗରେ ଗପରେ ଖେଳରେ ରସେ,
ମଲାଟକୁ ଦେଖି ଫେରେ ନାହିଁ ଆଖି
ଗଣତି ଭଣତି କରେ ତା ପାଶେ,
କ୍ଷୁଦ୍ର ଅଟେ ସତ କେଡ଼ି କି ମହତ
ତା’ ଲାଗି ଶିଶୁଙ୍କ ହସେ ସଂସାର,
ଶିଶୁ ମନ ଜାଣି ଶିକ୍ଷା ଦିଏ ପୁଣି
ସରଳ ଶିକ୍ଷଣ ମୂଳ ଆଧାର।
ବହି ନାହିଁ ଏତ ସହି କି ସଙ୍ଗାତ
ଶିଶୁ ଜଗତର ମହା ବିନ୍ଧାଣି,
ଶିଶୁ ମୂଳଦୁଆ ଆଣ୍ଟେ କରେ ଠିଆ
ଶିଶୁ ପାରେ ଶେଷେ ଜଗତ ଜିଣି!
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪
40 total views, 1 views today