ବୋଉ ପାଇଁ କିଛି ବ୍ୟଥା
ବୋଉ ଲୋ ବୋଉ
ଦଶ ମାସ ଗର୍ଭ କିପରି ସହୁ !
ପେଟରେ ନାତକୁ ଅମୃତ ମଣି ତୁ ସବୁ ଘରକାମ ଚଳେଇ ନେଉ।
ବୋଉ ଲୋ ବୋଉ
କେଉଁ ଉପାଦାନେ ତୁ ଗଢା ଆଉ !
ତୋ ପିନ୍ଧା ଲୁଗାରେ ସୁସୁ କରିଦେଲେ ଆରପଟ କାନି ବଦଳି ଦେଉ।
ବୋଉ ଲୋ ବୋଉ
ଥଣ୍ଡା କି ଜରକୁ ଡରୁ ନଥାଉ !
ମୁତ କାନିଟାକୂ ନିଜେ ପିନ୍ଧିଦେଇ ସୁଖିଲାକୁ ମତେ ଘୋଡେଇ ଦେଉ।
ବୋଉ ଲୋ ବୋଉ
ମୋଡ଼ିମାଡ଼ି ହୋଇ କିପରି ରହୁ !
ଆମ ସପନକୁ ସାକାର କରିବୁ ଆପଣା ସପନ ଘୋଡେଇ ଦେଉ।
ବୋଉଲୋ ବୋଉ
କ’ଣ ଖାଉ କେତେବେଳେ ଶୋଉ !
ତୁ କେଡେ ମିଛେଇଟେ ଭୋକ ନାହିଁ ବୋଲି କିପରି କହୁ।
ବୋଉଲୋ ବୋଉ
ଭୋକ ଶୋଷ ସବୁ ଚଳେଇ ଦେଉ !
ଘରେ ମୁଁ ନଥିଲେ ନିଜ ଭାଗ ଖାଦ୍ଯ ମୋ ପାଇଁ ଘୋଡେଇ ରଖି ତୁ ଦେଉ।
ବୋଉଲୋ ବୋଉ
ତୋ ଦେହରେ ବଳ କେଉଁଠି ଥାଉ !
ରାତି ନପାହୁଣୁ ନିଦରୁ ଉଠୁ ସଭିଏଁ ଶୋଇଲେ ବିଛଣା ଯାଉ।
ବୋଉଲୋ ବୋଉ
ଏତେ ଅଭାବରେ ସଦା ତୁ ଥାଉ !
ମୁଁ ଯେତେବେଳେ ବାହାରକୁ ଯାଏ ନୋଟ ଖଣ୍ଡିଏ ଗୁଞ୍ଜି ତୁ ଦେଉ।
ବୋଉଲୋ ବୋଉ
ମଥାରେ ମଥାଏ ସିନ୍ଦୁର ନାଉ !
ପରିବାର ସୁଖ ମନାସିବା ପାଇଁ ଉପାସ ପେଟରେ ମନ୍ଦିର ଧାଉଁ।
ବୋଉ ଲୋ ବୋଉ
କେତେ ଗାଳିମନ୍ଦ ତୁ ଖାଉଥାଉ !
ମୋ ଭୁଲପାଇଁ ରାଗିବେ ବାପା ସେଥିପାଇଁ ସବୁ ଘୋଡେଇ ଦେଉ।
ବୋଉ ଲୋ ବୋଉ
ମମ୍ମି ଡାକେ ବୋଉ ମିଳେ କି ଆଉ !
ମମ୍ମି ସିନା ଖାଲି ଜନମ କରେ ବୋଉ ପରି ସିଏ ହେବକି ଆଉ !
ବୋଉଲୋ ବୋଉ
ସବୁ ଜନମରେ ତୁ ମିଳୁଥାଉ !
ମୋପରି କୁପୁତ୍ର ତତେ ନମିଳୁ ଏତିକି କଥା ମୋ ମନରେ ରହୁ।
ବୋଉଲୋ ବୋଉ
ସରଗ ଦେବତା ପଛକୁ ଥାଉ !
ତୋ ଗୁଣ ଗାଇଲେ ପୋଥିଟିଏ ହେବ ଆଜିପାଇଁ ଲେଖା ଏତିକି ଥାଉ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ୱର।