ସୀତା ନବମୀ
ବୈଶାଖ ମାସର ଶୁକ୍ଳ ନବମୀ ତିଥି ସୀତା ନବମୀ ନାମରେ ପ୍ରସିଦ୍ଧ। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ଆଶାରେ ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ଭୂମିକୁ ସମତଳ କରିବା ଉଦ୍ଦେଶ୍ଯରେ ହଳ ଚଲାଇଲା ବେଳେ ଦ୍ବିପ୍ରହରରେ ପୃଥିବୀରୁ ଏକ ସୁନ୍ଦର କନ୍ୟା ପ୍ରକଟ ହୋଇଥିଲେ। ସିଏ ବାସ୍ତବରେ ମହାଲକ୍ଷ୍ମୀଙ୍କ ଅବତାର ଥିଲେ। ତାଙ୍କର ବିବାହ ଦଶରଥଙ୍କ ପୁତ୍ର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହ ହୋଇଥିଲା, ଶିବଧନୁରେ ଗୁଣ ଚଢାଇବାର ପ୍ରତିଜ୍ଞା ପୁରଣ କରି। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଶ୍ରୀରାମ ନବମୀ ହୋଇଥିଲା ବେଳେ ଏହା ସୀତା ନବମୀ ଭାବରେ ଖ୍ୟାତ, ଠିକ୍ ଯେଉଁପରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଏକମାସ ପରେ ରାଧାଷ୍ଟମୀ ପାଳିତ ହୁଏ।
ସୀତା ଧରିତ୍ରୀ ସୁତା ଭାବରେ ମାତାଙ୍କ ପରି ଅତ୍ୟନ୍ତ ସୁଶୀଳା ଓ ସହନଶୀଳା। ଶ୍ରୀରାମଙ୍କ ଅଭିଷେ ବନ୍ଦ ହେବା ବା ବନବାସ ଶୁଣି ସେ ବିଚଳିତ ହେବା ପରିବର୍ତ୍ତେ ହସିହସି ପତିଙ୍କ ସହ ବନବାସ ବରଣ କରିଥିଲେ ତପସ୍ଵିନୀ ବେଶରେ ତଥା ପତିଙ୍କୂ ସମସ୍ତ ସୁଖ ଦେବାର ପ୍ରଯତ୍ନ କରିଥିଲେ। ମହାବଳୀ ରାବଣ ସୀତାଚୋରି କରି ଅଶୋକ ବନରେ ରଖି ପାଟରାଣୀ କରିବାର ଯେତେ ପ୍ରଲୋଭନ ଦେଖାଇଲା ମାତା ତାକୁ ପ୍ରତ୍ୟାଖ୍ୟାନ କରିନଥିଲେ, ବରଂ ରାବଣ ଭୟଭୀତ କରିବାକୁ ଚେଷ୍ଟିତ ହେଲେ ସାମାନ୍ଯ ତୃଣଟିଏ ସମ୍ମୁଖରେ ରଖି ତାଙ୍କ ସତୀତ୍ଵ ବଳରେ ନିଜକୁ ସୁରକ୍ଷିତ ରଖି ପାରଥିଲେ। ଯେତେବେଳେ ସୀତାଠାବ କରିବାକୁ ଯାଇ ହନୁମାନ ଲଙ୍କାରେ ସୀତାଙ୍କୁ ଭେଟି ନିଜ କାନ୍ଧରେ ବସାଇ ସମୁଦ୍ର ପାରି କରି ନେଇ ଯିବାର ପ୍ରସ୍ତାବ ଦେଇଥିଲେ ସ୍ନେହବୋଳା କଥା କହି ସୀତା ଏହାକୁ ବାରଣ କରିଥିଲେ।
ରାବଣକୁ ସଂବଂଶେ ନିପାତ କରି ଶ୍ରୀରାମ ସୀତା ଉଦ୍ଧାର କଲେ ସତ ଏକ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ କହିଥିଲେ। ମାତା ସୀତା ସେଥିରେ ଉତ୍ତୀର୍ଣ୍ଣ ହୋଇ ଅଯୋଧ୍ୟାର ରାଣୀ ହେଲେ ସତ, ଜନକଲ୍ୟାଣ ପାଇଁ ଧରାବରିତ ମାତା ଲକ୍ଷ୍ମୀଙ୍କର ସୁଖ କାହିଁ। ପୁଣି ପ୍ରଜାଙ୍କ ନିକଟରେ ଆଦର୍ଶ ପ୍ରତିଷ୍ଠା ପାଇଁ ଗର୍ଭାବସ୍ଥାରେ ଶ୍ରୀରାମ ତାଙ୍କୁ ବନବ ପଠାଇଲେ। ବାଲ୍ମୀକଙ୍କ ଆଶ୍ରମରେ ଆଶ୍ରୟ ନେଇ ଦୁଇ ପୁତ କୁଶ ଲବଙ୍କୁ ସେ ପିତାଙ୍କ ଆଦର୍ଶରେ ଗଢିଥିଲେ। ମାତ୍ର ଶ୍ରୀରାମ ବାମ ପାର୍ଶ୍ୱରେ ସୁବର୍ଣ୍ଣ ସୀତା ପ୍ରତିଷ୍ଠା କରି ଅଶ୍ୱମେଧ ଯଜ୍ଞ କରିବା ଜାଣିବାରୁ ମାତା ଦୁଃଖରେ ମ୍ରିୟମାଣ ହୋଇ ଧରିତ୍ରୀ ମାତାଙ୍କ ଗର୍ଭରେ ସ୍ଥାନ ମାଗିଲେ। ଧରଣୀ ଦୁଇଫାଳ ହୋଇ ତାଙ୍କ ପୁତ୍ରୀଙ୍କ ଇଛା ପୁରଣ କରିଥିଲେ।
ସୀତା ନବମୀ ଦିନ ଭକ୍ତିପ୍ରାଣ ଜନମାନେ ଜାନକୀ ସ୍ତୋତ୍ର, ଶ୍ରୀରାମଚରିତ ମାନସ ଏବଂ ଶ୍ରୀ ସୁନ୍ଦରାକାଣ୍ଡ ପାଠ କଲେ ପୁଣ୍ୟଦାୟୀ ହୋଇଥାଏ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ୱର।