*ମୂର୍ତ୍ତିର ମୋହ*
ହେ ଶିଳ୍ପୀ ପ୍ରବର!
ନିହାଣ ମୁନରେ
ଯେତେ କଷ୍ଟ ପଛେ ଦେଉଛ ଦିଅ
ପ୍ରତିଟି ପ୍ରାଣୀର
ପ୍ରୀତି ପରଶରେ
ପୂଜା ପାଉଥିବି ସାଜି ମୁଁ ଦିଅଁ।
ମୋର ଶରୀରର
ଶୋଣିତର ଧାର
ସହିଯିବ କ୍ଳେଶ ଧୈର୍ଯ୍ୟର ସହ
ପଥରରେ ନୁହେଁ
ପ୍ରତିମା ପୂଜାରେ
ସଫଳତା ଶ୍ରେୟ ପ୍ରାପ୍ତି ନିଶ୍ଚୟ ।
ପୟର ମୋ ପରା
ଫୁଲର ପାଖୁଡା
କୋମଳ ପରଶ ସୁଖକୁ ଖୋଜେ
ଦୀପିକା ଆଲୋକ
ଦିବ୍ୟ ଦୀପଶିଖା
କର୍ପୂର ଚନ୍ଦନ ସୁଗନ୍ଧେ ମଜ୍ଜେ।
ମନରେ ମୋହର
ମନ୍ଦିର ମମତା
ଜାଗିଅଛି ଭାରି ଆସକ୍ତି ନେଇ
ମସ୍ତକେ ମୋହର
ନାରିକେଳ ପିଟା
ସହିପାରିବିନି କହୁଛି ମୁହିଁ।
ଶ୍ରେଷ୍ଠ କାରିଗର
ଜୀବନ ଜାତକ
ନିହାଣ ମୁନରେ ଦିଅ ହେ ଲେଖି
ଛାର ପଥର ମୁଁ
ପ୍ରଣମ୍ୟ ସାଜିବି
କେତେ ପାପୀ ତପୀ ଅଞ୍ଜଳି ସାକ୍ଷୀ।
ସାଜି ରୂପକାର
ସଜ୍ଜାଅ ଆକାର
ଝରିଯାଉ ପଛେ ଆଖିରୁ ଲୁହ
ସଞ୍ଜ ସକାଳର
ଘଣ୍ଟ ଆଳତିରେ
ପୂଜାର୍ଚ୍ଚନା ଯୋଗ୍ୟ ମୂର୍ତ୍ତିର ମୋହ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ରାକମା ,ଭାପୁର, ନୟାଗଡ଼