‘ରାମୁଲୁ’
ଉଠାଅ ତାକୁ ଉଠାଅ ରେ
ବୁଢାଟା ପଡ଼ିଗଲା
ମୁଣ୍ଡଫୁଣ୍ଡ ବୁଲେଇ ଦେଇଥିବ କି କଣ
ବେଗ୍ ଟା କାନ୍ଧରୁ କାଢ଼ି ପାଣି ଛିଞ୍ଚ
ବେଗ୍ ଟା ଅଣ୍ଡାଳନି
ସେଥିରେ ଥିବ କାଳେ
ତା’ ଗୁରୁଆରୀ ପାଇଁ ପୁରି ଆଳୁକଷା
ନହେଲେ ବୁଟଭଜା କି ସୁନପାପଡି
ଆରେ ହେ
ଏ ତ ରାମୁଲୁ ବୁଢ଼ା
ଏଇ ଟାଉଁସିଆ ଖରାଟାରେ…!
ହଅ କାମରୁ ଫେରିଥିବ
ଅବା କାମ ନ ପାଇ…
ପରିବାର ପେଟକୁ ଫିଙ୍ଗି ଫିଙ୍ଗି
ଉପାସ ରୁ ପେଟେ ଯାହାର
ନିତି ଦିନିଆ ଆହାର
ହାଡୁଆ ଛାତିରେ
ହାଡୁଆ ମନୋବଳ ରେ
ନିଇତି ନିଲାମ ହବାକୁ
ଧାଇଁ ଆସେ ଛକକୁ
ଚୁଲି ଜଳିବ ଯେ ଦିନ ଦି’ଟାରେ
ଗୁରୁଆରୀ ତେଣେ ଚାହିଁ ଥିବ
ଛାଡ଼ ତାକୁ…ଆଗ ଉଠାଅ
ପାଣି ଛିଞ୍ଚ…ହୋଅସ ଆସିଲା କି…!
ସମସ୍ତେ ବଲଵଲ ଅନେଇଛ ଯେ
କାମ ର ଦାଉ
କାମ ନମିଳିବାର ଦାଉ
ପେଟ ର ଦାଉ
ପରିବାରର ଦାଉ..କିଏ ବୁଝିଛ ରେ
ଘୋଷାରି ଚାଲିଛି ସେ
ଏସବୁକୁ ତା’ ବେଗ୍ ରେ ପୁରେଇ
କେତେ ଖୋଜୁଛ ତା’ ଭିତରେ
ଆଖି ଖୋଲିଲା କି ଦେଖ…
ହେଇ ତ ଆଖି ମିଟିମିଟି କଲାଣି
ହୋଅସ ଆସିଲାଣି ତାହେଲେ
ବଞ୍ଚିଛି ତ ରାମୁଲୁ ଟା
କେତେ ବା ବଞ୍ଚିବ ଆଉ
ଏଇମିତି ନିଇତି
ଭୋକରୁ ପେଟେ ଖାଇ…
ନେଇଯାଅ ରେ ଟିକେ
ଛାଡ଼ି ଆସିବ ତା’ ଟିଣା ଘରେ
ଚୁନଭାଟି ତଳ ସାହିରେ
ଗୁରୁଆରୀ ଯେ
ତା’ ଫେରିବା ବାଟକୁ ଚାହିଁ ଥିବ…।।
ଜୁମର ନାଥ ପାତ୍ର
୯୯୩୮୩୬୮୭୨୫
୬୩୭୦୨୯୮୪୪୦