ଭିନ୍ନ ଏକ ସମ୍ପର୍କ
ମୁଁ ପ୍ରଶ୍ନର ବିରାଟ ସାଗର
ସେ ନୀରବତାର ଭଟ୍ଟା ଜୁଆର
ମୁଁ ପଚାରି ଚାଲେ
ସେ ନିରବତା ତିଳେ ନ ଖୋଲେ…..!!
ମୁଁ ଅଭିମାନର ପାହାଡ଼ି ଝରଣା
ସେ ବାସ୍ତବତାର ପଥରରେ ଗଣା
ମୁଁ ଝରି ଯାଏ ମାନ ବଖାଣି କୁଳୁକୁଳୁ ଶବଦେ
ସେ ଶୋଇଥାଏ ସେମିତି ଅଜଣା ନିଦେ…..!!
ମୁଁ ଅଭିଯୋଗର ସଂଗ୍ରହ ଅମାର
ସେ ପଦେ ଉକ୍ତିରେ ଟାଣେ ଲକ୍ଷ୍ମଣ ଗାର
ମୁଁ ବାଢିଚାଲେ ସାଇତା ମେଞ୍ଚାଏ ସ୍ବପ୍ନ ଓ ଆଶାର ସମ୍ଭାର
ସେ ଶୁଣାଏ ଗୋଟେ ଧାଡି
‘ତୁ ମୋର ମୁଁ ତୋର’ …..!!
ମୁଁ କହେ ମୋ ଇଚ୍ଛା ର କାହାଣୀ
ସେ ଦେଖେ ଧାଉଁଥିବା ସମୟର ଠାଣି
ମୁଁ ଦୁନିଆ ବୋଲି ତାକୁ ଦେଖେ
ସେ ଦୁନିଆରେ ମୋତେ ରଖେ…..!!
ଭାବ ଚିନ୍ତା କର୍ମ ପ୍ରେମରେ
ସେ ଆକାଶ ହେଲେ ମୁଁ ମାଟି
କେଜାଣି କେଉଁ ଭାଗ୍ୟ ବଳେ
ସମ୍ପର୍କେ ହେଲୁ ଏକାଠି….!!
ଟଣା ଓଟରା ରେ ଚାଲୁ ଏ ବନ୍ଧନ ନାଆ ଆମର
ଗୋଟିଏ ଉକ୍ତିରେ ମନକୁ ବୁଝାଏ
“ସେ ମୋର ମୁଁ ତା’ର”……!!