ଖଟିଖିଆ
କିଏ କହୁଅଛି ଦାଦନ ଅଟଇ
ଖଟିଖିଆ ନାମେ ଜଣା
ଏଠି ଅନ୍ୟମାନେ ଏକଥା ଶୁଣି ଯେ
କରୁଛନ୍ତି ମନ ଊଣା।
କୃଷକ କହୁଛି ପ୍ରକୃତରେ ସିଏ
ଅଟଇ ଯେ ଖଟିଖିଆ
ସୁନାର ଫସଲ ଖେଳାଇ ଦେଉଛି
ତା’ ଲାଗି ହସେ ଦୁନିଆ।
ଏଭଳି ଭିଡନ୍ତି ସଭିଏଁ ଯେ ଏଠି
ନିଜ କରମ ବଖାଣି
ପ୍ରକୃତରେ ଯିଏ ଖଟିଖିଆ ସିଏ
ଚୁପ ଥାଏ ଜାଣି ଶୁଣି।
ପରିଶ୍ରମ ମୂଲ୍ୟ ଯିଏ ଗୋ ପାଇଲା
ସେ କିବା ଏଥିରେ ଗଣା?
ବିନା ସ୍ୱାର୍ଥ ଥାଇ ଯେ କର୍ମ କରଇ
ସଭିଙ୍କ ପାଖେ ଅଜଣା।
ଖଟିଖିଆ ଅଟେ ଚାଷୀର ବଳଦ
ବିନା ସ୍ୱାର୍ଥେ ନିତି ଖଟେ
କ୍ଷେତ ଆରମ୍ଭ ଠୁ ଅମଳ ଯାଏ ତା’
ପିଠିର ଚମଡା ଫାଟେ।
ନଡା ତୋରାଣୀରେ ପେଟକୁ ଫୁଲେଇ
ମାଲିକର କଥା ମାନେ
ଆଜି ସେ ଅଲୋଡା ଆଧୁନିକ ପଥେ
ନାହିଁ କାହାରି ଙ୍କ ମନେ।
ଦ୍ୱିତୀୟରେ ଅଟେ ଖଟିଖିଆ ନାରୀ
ସକାଳ ଠୁ ରାତି ଯାଏ
ଝିଅ ହେଉ ଅବା ବୋହୂ ଟିଏ ହେଉ
ସର୍ବ ସେବା କରୁଥାଏ।
ତା’ ପାରିଶ୍ରମିକ କେବେ କେ’ ଦେଇଛି
ବୁଝିଛି କେ’ ମନ କଥା
ହସି ହସି କର୍ମେ ଭୁଲିଯାଏ ତା’ର
ଦେହର ପ୍ରତି ଟି ବ୍ୟଥା।