ମୋ ଗାଆଁ
ନୀଳ ଆକାଶର ଚିକିମିକି ତାରା
ମୋର ଗାଆଁ ଦେଖି ହସେ
ମାଟିର ମମତା ମହାନ ମୂଲକ
ଝରଣା ତଟିନୀ ଦେଶେ।
ପ୍ରଭାତକାଳୀନ ସୂରୁଜ ଉଦୟେ
ପ୍ରାଚୀର ଲଲାଟ ଶୋଭା
ବର୍ଷା, ବସନ୍ତ ଓ ବୈଶାଖ ବେଳାରେ
ଭିନ୍ନା ଭିନ୍ନ ସ୍ମୃତି ବିଭା।
ମୋ ଗାଆଁ ସୁନ୍ଦର ମମତା ପାଇଁ କି
ଯେଉଁଠି ଶିଖିଛି ଚାଲି
ବାହାର ବିଦେଶ ନଲାଗେ ନିଜର
ଗାଆଁ ଆପଣାର ବୋଲି।
ବିଶ୍ବାସ ଭରସା ମୋ ସାଇପଡିଶା
ଗାଆଁ ସ୍ମୃତି ଅପାସୋରା
ଗିରି ବନ ନଦୀ ପୁଷ୍କରିଣୀ ଆଦି
କରିଦିଏ ଆତ୍ମହରା।
ସୁନ୍ଦର ମୋ ଗାଆଁ ସୁନ୍ଦର ସଂସ୍କୃତି
ସୁନ୍ଦର ତା’ ଧୂଳିବାଲି
ସୁରଭି ପରଶେ ଯା’ର ଉପବନ
ହସୁଥାଏ ଖିଲିଖିଲି।
ବାଲ୍ୟ ଜୀବନର ମଧୁସ୍ମୃତିଶାଳା
ମୋର ଗାଆଁ ପରିବେଶ
ଅନାବିଳ ସ୍ନେହ ଭାଇଚାରା ଭାବ
ସଂପର୍କର ଭାବାବେଶ।
ମୋ ଗାଆଁ ମନ୍ଦିର ଘଣ୍ଟ ଘଣ୍ଟା ଘଣ୍ଟି
ନଈକୂଳ ତୋଟାମାଳ
ସାଙ୍ଗସାଥୀ ମେଳ ଅତି ଆପଣାର
ଆତ୍ମବିଶ୍ଵାସର କୋଳ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ରାକମା, ଭାପୁର, ନୟାଗଡ଼