ଖାଣ୍ଟି ଓଡ଼ିଆ ଝିଅ
ତୁଳସୀ ମୂଳରେ
ଢାଳେ ପାଣି ସକାଳ ସନ୍ଧ୍ୟାରେ
ମଥାରେ ଟାଣି ଓଢଣୀ
ଜାଳେ ନିତି ସଞ୍ଜବତୀ ଠାକୁର ପାଖରେ
ନିଏ ମୁଁହି ନାମ ନିତି ଇଷ୍ଟ ଦେବୀଙ୍କର।
କାମନା ମୋ ଶୁଭ ଚିନ୍ତା ସଂସାର ମଙ୍ଗଳ
ପୂଜେ ଶାଶୁ ଶଶୁରଙ୍କୁ ମଣି ମୁଁ ଦେବତା
କାର୍ତ୍ତିକର ସକାଳ ସ୍ନାହାନ
ପ୍ରତିଦିନ ମାହାତ୍ମ୍ୟ ବର୍ଣ୍ଣନ
ପୂର୍ଣ୍ଣିମାରେ ଡ଼ଙ୍ଗା ଭସା ପର୍ବ
ଉଦ୍ଜୀବିତ କରେ ସ୍ମୃତି ମୋ ପୂର୍ବ ସଂସ୍କୃତି।
ଏଣ୍ଡୁରିରେ ହଳଦୀର ବାସ୍ନା ଆଉ ପଢ଼ୁଆଁ ପରବ
ମାର୍ଗଶିର ଝୋଟି ଚିତା ମାଣବସା ଓଷା
ଲକ୍ଷ୍ୟ ଥାଏ ଲକ୍ଷ୍ମୀଙ୍କର ଆଶିଷ ବରଷା
ଵାରମାସେ ଘରେ ମୋର ହୁଏ ତେର ଓଷା
ଋତୁ ଅନୁସାରେ ଏଠି ହୁଏ ପିଠାପଣା
ଉପବାସ କରେ କେବେ ରହି ମୁଁ ନିର୍ଜଳା
ହାଣ୍ଡି ଶେଷ ମୁଠାଏ ଅନ୍ନରେ
ହୃଦୟ ମୋ ଲଭେ ଶାନ୍ତି
ଦେଖି ହସ ସ୍ଵାମୀ ଆଉ ସନ୍ତାନ ମୁଖରେ।
ପାଳଇ ମୁଁ ରଜପର୍ବ ବସୁମତୀ ସ୍ନାନ
ଦୋଳି ଝୁଲେ ଗଛଡ଼ାଳେ ମୁହେଁ ରଖି ପାନ
ସଜାଏ ମୁଁ ଧାନ ମୁଠି
ଅକ୍ଷୟ ତୃତୀୟା ତିଥିରେ
ଯୋଡେ ହାତ ଆପେ ଆପେ ମନ୍ଦିର ଘଣ୍ଟିରେ
ଷଠି ଓଷା ସୂର୍ଯ୍ୟ ପୂଜା ଗଣେଶ ଚତୁର୍ଥୀ
ପାଠ ପଢେ ଶିଶୁ ମୋର ଖଡ଼ି ଛୁଆଁ ସାରି
ଗୁରୁ ପୂଜା ଶ୍ରୀପଞ୍ଚମୀ ସରସ୍ଵତୀ ସ୍ମରି
ଅତିଥିକୁ କରେ ଚର୍ଚ୍ଚା ଦେବତା ରୂପରେ
ନୁହେଁ ଅବା ରୂପବତୀ ସୁନ୍ଦରୀ ରମଣୀ
ଖାଣ୍ଟି ଓଡିଆ ଝିଅ ମୁଁ
ଜାୟା ଜନନୀ ଦୁହିତା ଭଗିନୀ।
ଅରୁଣ କୁମାର ମହାପାତ୍ର
ବୈଜ୍ଞାନିକ ଅଧିକାରୀ
ଅଶ୍ଵପୁରମ, ତେଲେଙ୍ଗାନା