ବଖରାଏ ଘର
କଳା ଶାଢ଼ୀ ପିନ୍ଧି ପ୍ରକୃତି ଘନ ଅନ୍ଧାର, ଜନଶୁନ୍ୟ ରାତି, ତାରକା ଶୁନ୍ୟ ଆକାଶ କଳା ବାଦଲରେ ଥିଲା ଆଚ୍ଛନ୍ନ | ଧୀରେ ଧୀରେ ଖସିଲା ଆକାଶରୁ ବର୍ଷାର ବିନ୍ଦୁ | ବର୍ଷାରୁ ବଂଚିବାକୁ ଯାଇ ପାଖରେ ଥିବା ବଖରାଏ ଘର ଭିତରକୁ ଆମେ ଚାଲିଗଲୁ | ଘରଟି ଥିଲା ବହୁତ ପୁରୁଣା, ପୋଡ଼ା କାନ୍ଥ ଗୁଡ଼ିକ କଳା କଳା ଦେଖା ଯାଉଥାଏ ଆଉ କେହି ଜଣେ ଯେପରି ଆମକୁ କିଛି କହିବାକୁ ଚେଷ୍ଟା କରୁଛି ବୋଲି ଅନୁଭବ ହେଉଥିଲା | ବଡ଼ ଆଶ୍ଚର୍ଯ୍ୟର କଥା ୨ଘଣ୍ଟା ବିତିଗଲା ହେଲେ ଛାଡ଼ି ନଥିଲା ବର୍ଷା | ହଠାତ ଶୁଭିଲା, “ହେ ଈଶ୍ବର, କଣ ଆମ ପାଇଁ ନ୍ୟାୟର ସଂଜ୍ଞା ଏଇଆ ? ” ମୁଁ ପଚାରିଲି କିଏ ତୁମେ, ଆମକୁ ଶୁଣି ପାରୁଛ ? ଜଣା ନାହିଁ କିଏ ଥିଲେ ସିଏ ମହିଳା, ହେଲେ ଏପରି ଲାଗୁଥିଲା ଯେମିତି ଅନେକ ଦୁଃଖକୁ ସିଏ କହିବାକୁ ଚାହୁଁଛନ୍ତି ହେଲେ, ଶୁଣିବାକୁ କେହି ବି ନାହାଁନ୍ତି | ସେ ଆସିଲେ ଆଉ ମୋ ଠୁ ପ୍ରତିଶୃତି ପାଇବା ପରେ କହିଥିଲେ ସବୁ ଘଟଣା |
ଆଜକୁ ପ୍ରାୟ ୩ବର୍ଷ ତଳର କଥା | ସେ ବସ୍ତିରେ ଶିକ୍ଷା କହିଲେ କେହି ବି କିଛି ବୁଝନ୍ତି ନାହିଁ | ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ନେଇ ଛୋଟିଆ ବସ୍ତିଟିଏ | ସଖାଳୁ ଉଠିଲେ ସମସ୍ତେ ବାହାରି ଯାଆନ୍ତି ଆଉ ସୁରୁଜ ନଇଁଲେ ଫେରି ଆସନ୍ତି ଘରକୁ | ଗାଁର ଉଚ୍ଚ ଶିକ୍ଷିତ ବାବୁ ବାବୁଆଣୀ ମାନଙ୍କ ଘରେ, ଏ ବସ୍ତିର ସ୍ତ୍ରୀ ଲୋକମାନେ ବାସନମଜା, ଘର ଓଳା କାମ କରନ୍ତି ଆଉ ପୁରୁଷ ମାନେ ତାଙ୍କ ଇଟା ଭାଟିରେ ଆଉ ଜମିରେ ମଜୁରୀ ଲାଗନ୍ତି | ସୁଖ ଶାନ୍ତିରେ କଟେ ଜୀବନ |
ଅସୁବିଧା ଆରମ୍ଭ ହେଲା ସେବେ, ଯେବେ ସହରରେ ଜଣେ ନେତାର ପୁଅକୁ ପରୀକ୍ଷା ହଲରେ କପି କରିବା ସମୟରେ ଧରିଥିଲି ବୋଲି ମୋର ବଦଳି ହୋଇଥିଲା ଏ ଗାଁକୁ ଆଉ ମୁଁ ଆସିଥିଲି ଏ ଗାଁର ସରକାରୀ ସ୍କୁଲକୁ ଶିକ୍ଷୟିତ୍ରୀ ସାଜି | ଆସି ଦେଖେ ତ ସ୍କୁଲରେ ମଜୁରୀ ଲାଗି ଇଟା ବୋହୁଥାନ୍ତି ବସ୍ତିର ଛୋଟ ଛୋଟ ପିଲା | ପରେ ତାଙ୍କ ବାପା ମା’ଙ୍କ ସହ କଥା ହୋଇ ସ୍କୁଲକୁ ଆଣେ ତ ଆଡ଼ମିସନ ପାଇଁ ମନା କରିଦେଇଥିଲେ ପ୍ରଧାନଶିକ୍ଷକ | ଏସ୍ଟିଡ଼ି ବୁଥକୁ ଯାଇ ସହରର ଅନେକ ଅଫିସରଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ କେହି ବି ଏକଥା ଶୁଣିଲେ ନାହିଁ | କାରଣ ଆଦିବାସୀ ଛୁଆଙ୍କ ସହ ପଢ଼ିଲେ ସଭ୍ୟ ପିଲାମାନେ କୁଆଡ଼େ ଅସଭ୍ୟ ହୋଇଯିବେ | ସରପଞ୍ଚଙ୍କ ନିର୍ଦ୍ଦେଶରେ ସେପାଇଁ ସମସ୍ତେ ଚୁପ |
ପିଲାମାନଙ୍କୁ ପଢ଼ାଇବା ପାଇଁ ମୁଁ ମଧ୍ୟ ଅଟଳ ସିଦ୍ଧାନ୍ତ ନେଇ ସାରିଥିଲି | ସେଥିପାଇଁ ବସ୍ତି ଲୋକଙ୍କୁ କହି ତିଆରି କରିଥିଲି ଏହି ବଖରାଏ କୁଡ଼ିଆ ଘର | ବର୍ତ୍ତମାନ ସେହି ବଖରାଏ ଘରେ ଗଢ଼ା ହେଉଥିଲା ଆଦିବାସୀ ପିଲାଙ୍କ ନୂଆ ପରିଚୟ | ଗୋଟିଏ ଦିନ ସରପଞ୍ଚ ଜାଣିବାକୁ ପାଇଲେ ଯେ, ତାଙ୍କ ଇଟା ଭାଟିରେ ଥିବା ବସ୍ତି ଛୁଆ ଆଉ ନ ଆସି ପାଠ ପଢ଼ିବା ପାଇଁ ଯାଉଛନ୍ତି | ଶେଷରେ ଶ୍ରମିକ ଅଭାବରୁ ମାନ୍ଦା ପଡିଗଲା ସରପଞ୍ଚଙ୍କ ବେପାର | ରକ୍ତ ଚାଉଳ ଚୋବେଇ ସରପଞ୍ଚ ଆଉ ତାଙ୍କ ଲୋକମାନେ ଦିନେ ଆସି ପହଁଚିଲେ | ପଢ଼ୁଥିବା ସବୁ ପିଲାଙ୍କୁ ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼ ମାରିଲେ, ମୁଁ ରୋକିବାରୁ ମତେ ମଧ୍ୟ ମାରିଲେ | ଯିଏ ବି ବସ୍ତିବାସୀ ରୋକିଲେ ତାଙ୍କୁ ସିଧା ଗୁଳି କରିଦେଲେ | ମୋ ପାଇଁ ଦୁଇଟି ବିକଳ୍ପ ରଖିଥିଲେ, ଏ ଗାଁ ଛାଡ଼ି ଯିବି ନଚେତ ଏଇଠି ମରିବି | ଆଉ ମୁଁ ମଧ୍ୟ କହିଥିଲି, “ଶିକ୍ଷା ସଭିଙ୍କ ମାନବିକ ଅଧିକାର, ଆଉ ତାକୁ ଛଡ଼ାଇ ନେବା ଅନ୍ୟାୟ | ମୁଁ ବଂଚିଥିବା ଯାଏ ଏମିତି ହେବାକୁ ଦେବିନି | ମରିଯିବି ପଛେ ଏ ଘରୁ ପାଦେ ବି ଘୁଞ୍ଚିବି ନାହିଁ |” ଶେଷରେ ଏଇ ଘର ଭିତରେ ହିଁ ହୋଇଥିଲା ମୋ ସହ ଦୁଷ୍କର୍ମ ଆଉ ମୋତେ ୟାରି ଭିତରେ ବନ୍ଦ କରି ଘର ସହ ଜାଳି ଦିଆଗଲା |
ଏବେ କୁହ ହେ, ଧଳା ପୋଷାକ ପିନ୍ଧା ସଭ୍ୟ ସମାଜର ଶିକ୍ଷିତ ନାଗରିକ, ଆଦିବାସୀ ହେବା କଣ ଭୁଲ ? କଣ ଥିଲା ସେଦିନ ମୋର ଭୁଲ ? କଣ ସେ ଗରିବ ପିଲାଙ୍କୁ ତାଙ୍କ ଅଧିକାର ଦେବା ଥିଲା ଭୁଲ ନାଁ ଅନ୍ୟାୟକୁ ମୁଣ୍ଡପାତି ନ ସହିବାଟା ଥିଲା ଭୁଲ ? କୁହ ହେ ସଭ୍ୟ ସମାଜ କୁହ ?
ହଠାତ ସେ ମହିଳା ଜଣକ ଶାନ୍ତ ପଡିଗଲେ | କାହିଁକି, ଉପରକୁ ଚାହିଁ ଦେଖିବା ବେଳକୁ ଆଉ କେହି ବି ନଥିଲେ ସେ ଘରେ | ସେତେବେଳକୁ ବର୍ଷା ବି ଛାଡ଼ି ସାରିଥାଏ |
ମୁଁ ମୋ ବିଷୟରେ କହିବାକୁ ଭୁଲିଗଲି ମୁଁ ଥିଲି ଜଣେ ଆଇ.ପି.ଏସ ଅଫିସର | ସେଠୁ ଆସିବା ପରେ ପୁରୁଣା ଫାଇଲ୍ସକୁ ଖୋଲିଥିଲି ଆଉ ସେ ସମସ୍ତ ଦୋଷୀଙ୍କୁ ଦଣ୍ଡ ଦେଇଥିଲି | ଶେଷରେ ଏତିକି କହିବି,”ସଭ୍ୟ ସମାଜ ଯେତେଦିନ ଯାଏ ସଭ୍ୟତାର ବାସ୍ତବ ସଂଜ୍ଞା ନ ବୁଝିଥିବ, ସେଯାଏଁ ବଖରାଏ ଘର ଭିତରେ ଜଳୁଥିବ ଏମିତି ନିର୍ଦୋଷଙ୍କ ଶରୀର” |
ହୃଦୟ ରଞ୍ଜନ ପରିଡ଼ା