ବଖରାଏ ଘର
ଗାଁ ମଝିରେ ପୂର୍ବ ପଶ୍ଚିମ ହୋଇ ଲମ୍ବି ଯାଇଛି ଏକ ରାସ୍ତା । ଆଉ ସେଇ ରାସ୍ତାର ଗୋଟିଏ କଡରେ ରହିଛି ଡାଳ ପତ୍ର ରେ ତିଆରି ହୋଇଥିବା ଚାରି ଛ ହାତର ଗୋଟିଏ କୁଡ଼ିଆ । ସେହି କୁଡ଼ିଆ ଭିତରେ ରହିଛି ଗୋଟିଏ ଜୀବନ ଦୀପ । ଜରାଜୀର୍ଣ୍ଣ ଶୁଷ୍କ ଶରୀର ସାଙ୍ଗକୁ ବାହାରକୁ ସ୍ପଷ୍ଟ ଦେଖାଯାଉଛି ପଞ୍ଜରା କାଠି । ଧୋବ ଫରଫର ପାଚିଲା କେଶ ସହିତ ବେକ ପାଖକୁ ଦାଢ଼ି ମଧ୍ୟ ଲମ୍ବି ଯାଇଛି । ସେ କୁଡ଼ିଆ ଘରେ ରହୁଥିବା ସେଇ ଅସହାୟ ସନା ମଉସା ଥିଲେ ଦିନେ ବରାସାହି ଗାଁ ର ଜଣେ ପରିଚିତ ବ୍ୟବସାୟୀ । ଘରେ ତାଙ୍କର କୌଣସି ଅସୁବିଧା ନଥାଏ । କିନ୍ତୁ ସମୟ ସବୁବେଳେ ସମାନ ଯାଏନି । ତାଙ୍କର ତିନି ପୁଅଙ୍କର ବାହା ଘର ପରେ ଭାଗ ହୋଇ ଯାଇଛି ସନା ମଉସାଙ୍କ ସବୁ ସମ୍ପତ୍ତି । ବଡ଼ ଓ ସାନ ପୁଅ ବୋହୂ ମାନଙ୍କୁ ନେଇ ସହରରେ ରହିବାକୁ ଚାଲିଗଲେ । ମଝିଆ ପୁଅ ଅବା କେତେ ଦିନ ବୁଢା ବାପାଙ୍କୁ ଖାଇବାକୁ ଦେଵ । ଶେଷକୁ ସେ ମଧ୍ୟ ସବୁ ସମ୍ପର୍କଜୁ ଛିନ୍ନ କରି ଦେଇ ବୁଢ଼ା ବାପଟାକୁ ଘରୁ ବାହାରକୁ ବାହାର କରି ଦେଇଛି । ସନା ମଉସା ବିଚରା ଆଖିର ଲୁହକୁ ଓଠରେ ପିଇ ଦେଇ ଚାଲି ଆସିଛି । ଏଇ ରାସ୍ତା କଡରେ ଖରା ଦିନରେ ଖୋଲା ଯାଇଥିବା ଅସ୍ଥାୟୀ ଜଳଛତ୍ର ଭିତରେ ନିଜ ବୁଜୁଳିଟାକୁ ଥୋଇ ସେଇଠି ରହି ଯାଇଛି ଆଜି ଯାଏ । ବାଟରେ ଯାଉଥିବା ଲୋକଙ୍କୁ ପାଣି ପିଇବାକୁ ଦେଇ ସେମାନଙ୍କ ଠାରୁ ଯାହା ପାଏ ଚଲେ । ଦିନେ ଦିନେ ପେଟରେ ଓଦା କନା ଦେଇ ମଧ୍ୟ ଶୋଇପଡ଼େ । ଏମିତି ଆଉ କେତେ ଦିନ ଚାଲିବ । ଆଗକୁ ବରଷା ଦିନ କୋଉଠି ଗୋଟିଏ ଭଲ ଜାଗା ଟିକେ ନହେଲେ କେମିତି ବରଷାରେ ରହି ହେବ ।
ଶେଷରେ କେତେ ଲୋକଙ୍କ କହିବା ପରେ ସନା ମଉସା ଯାଇଛି ସରପଞ୍ଚ ପାଖକୁ ଘର ଖଣ୍ଡିଏ ଲେଖି ଦବା ପାଇଁ । ସେ ରହୁଥିବା ଜାଗାରୁ ପଞ୍ଚାୟତ ଅଫିସ ୫ କିଲୋମିଟର ବାଟ । ବୁଢ଼ା ନିଜ ବାଡିଟି ଧରି ଅଣ୍ଟା ନଇଁ ନଇଁ ସକାଳୁ ବାହାରି ପଡିଲା । କିଛି ବାଟ ଏମିତି ଚାଲି ଥକି ଯାଇ ବସିପଡ଼େ । କିନ୍ତୁ ହାରି ନଯାଇ ଗୋଟେ ଗୋଟେ ପାଦ ଆଗକୁ ବଢ଼ାଉ ଥାଏ । ଏମିତି ଦୁଇ ଘଣ୍ଟା ପରେ ସନା ମଉସା ପହଞ୍ଚିଛି ପଞ୍ଚାୟତରେ । କିଛି ସମୟ ବାରଣ୍ଡାରେ ବସି ପଡ଼ି ଅଫିସ ଭିତରକୁ ପଶିଛି । ଭିତରେ ବସିଛନ୍ତି ସରପଞ୍ଚ ମାଧବ ବାବୁ ଏବଂ ପିଅନ ରାଧୁଆ । ଦୁଇ ଜଣଙ୍କ ଭିତରେ କଣ ଗୋଟାଏ ସଲା ସୁତୁରା ଚାଲିଥାଏ । ସନା ମଉସା ସରପଞ୍ଚ ବାବୁଙ୍କୁ ମୁଣ୍ଡିଆଟିଏ ମାରିଛି ଆଉ ନିଜ ଦୁଃଖ ଜଣାଇଛି । ଯେମିତି ବି ହେଉ ଘର ଖଣ୍ଡିଏ କରି ଦିଅନ୍ତୁ ଆଜ୍ଞା ଆପଣଙ୍କ ମଙ୍ଗଳ ହେବ।
ତା ପରେ ପିଅନ ରାଧୁଆ ସନା ମଉସାଙ୍କୁ ଗୋଟିଏ କଡ଼କୁ ଡାକି ନେଇଛି । ରାଧୁଆ ମଉସାଙ୍କୁ ବୁଝେଇ ଦେଇଛି ଯେ ସେ ଯଦି ଘର ପାଇବାକୁ ଚାହୁଁଛି ତେବେ ବାବୁଙ୍କ ପକେଟକୁ ଟିକେ ଗରମ କରିବାକୁ ହେବ । ଶେଷରେ ବହୁ ବୁଝା ସୁଝା କଲା ପରେ ୫୦୦ଟଙ୍କାରେ ରାଜି ହୋଇଛନ୍ତି ଦୁଇ ଜଣ । ପାଞ୍ଚ ଦିନ ଭିତରେ ସେ ଯଦି ୫୦୦ ଟଙ୍କା ନଦେଵ ତେବେ ତାକୁ ଘର ମିଳିବ ନାହିଁ ବୋଲି ବାବୁ କହି ଦେଲେ । ବୁଢ଼ା ୫୦୦ ଟଙ୍କା ଅବା କୋଉଠୁ ପାଇବ । ମନ ଦୁଃଖରେ ଫେରି ଆସିଲା ତାର ସେଇ ଡାଳ ପତ୍ରରେ ତିଆରି କୁଡ଼ିଆ ଘରକୁ ।
ସେଇ ବଖରାଏ ଘର ପାଇଁ ଏଣିକି ସେ ଖଜୁରୀ କୋଳି ଗୋଟାଇ ବିକିଲା ତ କେତେବେଳେ ଭିକ ମାଗି ପୁଣି କାହା ଘର ଓଳାଇ ଦି ପଇସା ପାଇ ସଞ୍ଚୟ କଲା। ଏମିତି ମାସ ଶେଷରେ ତାର କିଛି ଟଙ୍କା ଜମା ହୋଇଗଲା। ବୁଢା ଏଥର ଧାଇଁଲା ପଂଚାୟତ କୁ ସେଇ ବଖରାଏ ଘର ପାଇବା ଆଶାରେ । ସରପଞ୍ଚକୁ ଦଣ୍ଡବତ କରି ନିଜ ଅଣ୍ଟିରୁ ବାହାର କଲା ତାର ସେଇ ନଖାଇ ନପିଇ ରୋଜଗାର କରିଥିବା ଧନକୁ । ବଡ଼ କରୁଣ ଦୃଷ୍ଟିରେ ସରପଞ୍ଚ ବାବୁଙ୍କ ଆଡକୁ ଚାହିଁ ତାର ଥରଥର ହାତରେ ବଢ଼େଇ ଦେଇଛି ସବୁ ଟଙ୍କା । ଆଉ ପଚାରିଛି ଆଜ୍ଞା ଏଥର ମିଳି ଯିବ ତ ମୋ ବଖରାଏ ଘର ? ସରପଞ୍ଚ ବବୁ ଟିକେ ହସି ଦେଇ କହିଲେ, ହଁ ନିଶ୍ଚୟ ମିଳିବ, ଏଇ ସଦା କାଗଜରେ ଆଙ୍ଗୁଠି ଚିହ୍ନ ଦେଇ ବର୍ତ୍ତମାନ ତୁମେ ଯାଅ ।
ବୁଢା ଏଥର ନିଶ୍ଚିନ୍ତରେ ରହିଲା ତାକୁ ଘର ନିଶ୍ଚୟ ମିଳିବ । କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ତିନି ମାସ ବିତି ଯାଇଥିଲେ ମଧ୍ୟ ବୁଢ଼ାର ସେ ବଖରାଏ ଘର ହୋଇ ପାରିନି ।
ଶେଷରେ ଦିନେ ସନ୍ଧ୍ୟା ସମୟରେ ଜୋରରେ ପବନ ସାଙ୍ଗକୁ ବର୍ଷା ହେଲା । ବୁଢ଼ାର ଡାଳ ପତ୍ର କୁଡ଼ିଆ ପବନରେ ଛିନ୍ ଛତ୍ର ହୋଇଗଲା । ଆଉ ସେଇ ବରଷା ମାଡ଼ରେ କେତେବେଳେ ଯେ ବୁଢ଼ାର ଜୀବନ ଦୀପଟା ଲିଭିଗଲା କାହାକୁ ଜଣା ନାହିଁ। ବୁଢ଼ାର ଯେଉଁ ଆଶା ଟିକକ ଥିଲା ତା’ର ବଖରାଏ ଘର ପାଇଁ ତାହା ଯେମିତି ସେଇ ବରଷା ରାତିରେ ହିଁ ତା ସହିତ ଭାସି ଗଲା ।
ସମାପ୍ତ
ଚୁନିଲ କୁମାର ଗଙ୍ଗ ଦେଵ
କଳାହାଣ୍ଡି
Chunil Kumar Gangdev