ବଖରାଏ ଘର
କିଏ କହୁଥିଲା ତାକୁ ରୁମ୍ ନମ୍ବର ୨୨ ତ ପୁଣି କିଏ ଆସର ଘର ହେଲେ ସେ ମୋ ପାଇଁ ଥିଲା ଖାଲି ବଖରାଏ ଘର ,ଯେତେବେଳେ ମୁଁ ପ୍ରଥମ କରି ସେଠାକୁ ଯାଇଥିଲି।
ମୁଁ ଆପଣା ପଣ ହରେଇଥିଲି,ହଜାଇଥିଲି ଠିକଣା।ଧେତ୍, ଏ ବୟସ ପାଇଁ ସବୁ ନାଟ।ପିଲାଦିନଟା ବୋଉ କୋଳରେ, ଯୁବା ବେଳଟା ଅଫିସ୍ ଭିତରେ ଆଉ ବାକି ଜୀବନ ଜୀଇଁବା ପାଇଁ ମିଳିଗଲା ମତେ ଏ ବଖରାଏ ଘର। ଛି!! ଘର ସିନା ନିଜ ଲୋକଙ୍କୁ ନେଇ ହୁଏ ହେଲେ ଏଠି ତ ସବୁ ପର।ଦେଖୁନ ମୋ ଆଗରେ ବସିଛି ଜଣେ ବୁଢୀ କେଜାଣି ତାକୁ ବି ରହିବାକୁ ଏଠି ଥିଲା? ପାନ ଛେପ ରେ ଝୋଟି ଆଙ୍କି ସାରିଲାଣି ଯେ!!! ଏଠି ସବୁ ମଉଜ ମସ୍ତିରେ ମଶଗୁଲ।ଦେଖି ଜମା ଲାଗୁ ନଥିଲା କି ଏମାନେ ମଧ୍ୟ ଆପଣା ଲୋକର ଛୁରା ମାଡ଼ରେ କ୍ଷତ ବିକ୍ଷତ।ସତେ ଯେମିତି ଏମାନେ ସତ୍ୟକୁ ଘଉଡାଇ ଦେଉଥିଲେ ନିଜ ହସଖୁସିରେ ପୁଣି ବୟସକୁ କାରାଗାରରେ ରଖି ଜୀବନକୁ ଉପଭୋଗ କରିବାର ନାଟକ କରୁଥିଲେ।ଏମିତି ଚିଡଚିଡ ପଣ ଭିତରେ ଗୋଟିଏ ଦିନ କଟି ଥିଲା ମୋର ବୃଦ୍ଧାଶ୍ରମରେ।
ଜୀବନ ଯାକ ଖଟିଛି ଢେର୍।ମାସ ଶେଷରେ ମିଳୁଥିବା ଟଙ୍କା ବିଞ୍ଚି ଛୁଆଙ୍କୁ ଶିକ୍ଷିତ କରିଥିଲି ହେଲେ ଶିକ୍ଷା ସହ ସଂସ୍କାର ବି ଶିଖେଇବା ଜରୁରୀ ସେତିକି ବୁଝିଲା ବେଳକୁ ମତେ ପଠେଇ ଦେଲେ ଏଇ ବଖୁରିଏ ଘରକୁ।ଭାବିଥିଲି ବାକି ଜୀବନ କଟିବ ମୋର ନାତି ନାତୁଣୀଙ୍କ କୋଳାହଳରେ ହେଲେ ଭାଗ୍ୟ କି ଚାପୁଡ଼ା ମାରିଲା ଦେଖ!!
ଏତିକି ଭିତରେ ସେ ପାନ ଖାଉଥିବା ବୁଢ଼ୀ ଉଠି ଆସି ମୋ ହାତରେ ପାନ ଖଣ୍ଡେ ଧରେଇ ଦେଇ କହିଲା, “ଭାଇ ଡାକିବି ନା ବନ୍ଧୁ?” ମୁଁ କିଛି କହିଲିନି,ସେ ଚାଲିଗଲା।ମତେ ସେଠିକାର ଖାଇବା ଭଲ ଲାଗୁ ନଥାଏ ନା ମୋ ମନ ସେଠି ଲାଗୁଥାଏ।ଖଟ ସାରା ବିଛାଡ଼ି ହୋଇ ପଡ଼ିଥିଲା ମୋର କିଛି ନିତ୍ୟ ବ୍ୟବହୃତ ଜିନିଷ।ସେଗୁଡ଼ାକ ସେଠି ଫୋପାଡି ମୁଁ ଶୋଇଗଲି। ଉଠି ଦେଖେତ ସବୁ ସଜଡ଼ା ହୋଇ ମୋ ମୁଣ୍ଡ ପାଖ ଆଲମିରାରେ ଥୁଆ ହୋଇଛି।ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ଏ ଅପରିଚିତ ଘରେ ପୁଣି ମୋ ନିଜର କିଏ?ମୋ ପାଖରେ ଘେରି ରହିଥିଲେ ମୋ ପରି ଆହୁରି ଚମ ଯାକି ହୋଇ ଆଖି କୋରଡ ଧରିଥିବା ମଣିଷ।ଅତି ଆଦରରେ ମୋ ହାତ ଉଠେଇ ନେଇ କହିଥିଲେ ସମସ୍ତେ,”ଆମେ ଅଛୁ ନା,ଚିନ୍ତା କାହିଁକି!!”
ସେଦିନ ଠୁ ମୁଁ ସବୁ ଚିନ୍ତା ଛାଡ଼ି ସମ୍ପର୍କକୁ ଅନୁଭବ କରିବା ଆରମ୍ଭ କରିଦେଲି।ଜୀବନର ପ୍ରତିକ୍ଷଣକୁ ରୋମାଞ୍ଚକର କେମିତି କରିବାକୁ ହୁଏ ମତେ ଶିଖେଇଦେଇଥିଲେ ସେମାନେ।ଆମେ ମାନେ ମିଶି ବଗିଚା କାମ କରୁ,ଅନାଥ ପିଲାଙ୍କୁ ପଢାଉ।କିଛି ଦିନ ଭିତରେ ମୁଁ ଅନୁଭବ କଲି ମୋ ଯୌବନ ପୁଣି ବୟସର କବାଟ ପିଟୁଛି।ଏକେଲା ପଣ ଦୂରେଇ ଗଲା ପୁଣି ହଜିଲା ଖୁସି ଫେରି ଆସିଲା।
ଭାବିଲି ଘରେ ଥିଲେ ମୋର ଥାଆନ୍ତେ ସବୁ ମୋ ରକ୍ତର,ହେଲେ ଆଜି ଏ ବଖରାଏ ଘର ଦେଇଛି ମତେ ସମ୍ପର୍କ ହଜାର।ଏବେ ଏ ହିଁ ମୋ ପରିଚୟ ଓ ମୋର ଅତି ପ୍ରିୟର ଆପଣାର ଘର।
ସ୍ୱାଗତିକା ବେହେରା
କଟକ