କାହିଁ ମୁଁ ଯାଉନି ମରି?
ଅଦେଖା ନିଆଁରେ କୁହୁଳି ଜଳୁଛି
କେଉଁ ଜନ୍ମ କର୍ମ ଫଳ,
କା ଆଗେ କହିବି ଅନ୍ତର ବେଦନା
ପାଏ ନାହିଁ ଥଳ କୁଳ l
ନିଜର ଯାହାକୁ ଭାବିନେଇଥିଲି
ସିଏ କଲା ମୋତେ ପର,
ମିଛ ଦୁନିଆରେ କାହାକୁ ବା ଏଠି
କରିବି କୁହ ନିଜର?
ନିଜ ସ୍ୱାର୍ଥ ପାଇଁ ବନ୍ଧୁ ମୋ ସଭିଏଁ
ସ୍ୱାର୍ଥ ସରିଲେ ମୁଁ କିଏ?
ଯେତେ ଯାହାଠାରୁ ପଚାରି ବୁଝିଲେ
ଉତ୍ତର କେହି ନ ଦିଏ l
ପୂଣ୍ଣିମାର ରାତି ଆସିବ କେମିତି
ସେଇ କଥା ବସି ଭାଳେ,
ଉଜାଗର ରାତି ପାହୁଛି ସେମିତି
ପଲକ ନପଡେ ତିଳେ l
ସବୁ ଲୁହ କୋହ ଅଣ୍ଟିରେ ସାଉଁଟି
ବାଟ ମୁଁ ଚାଲଇ ଧିରେ,
କିଏ ସେ ଦେଖିବ ଅନ୍ତର୍ଦାହ ମୋର
ନିତି ଜିଏଁ ନିତି ମରେ l
ରହି ରହି ଆଜି ସମୁଦ୍ର ଗରଜେ
ଲିନ କରିବ ସେ ମୋତେ,
କେତେ ଆଉ ଲୁହ କୋହକୁ ଛାତିରେ
ସାଇତି ରଖିବି ସତେ!
ବେଦରଦୀ ମୋତେ କିଏ କହେ ପୁଣି
କିଏ କୁହେ ସ୍ୱାର୍ଥପର,
କାହା ଆଗେ ପୁଣି କି ପରୀକ୍ଷା ଦେବି
ସବୁତ ଲାଗେ ଜହର l
ଆଞ୍ଜୁଳା ଆଞ୍ଜୁଳା ଲୁହ ମୁଁ ପିଅଇ
ଶୋଷ ମୋର କିବା ମେଣ୍ଟେ !
ପାଦେ ପାଦେ ମୋର ଶିକୁଳି ପଡିଛି
ଜୀବନଟା ମୋତେ ଘାଣ୍ଟେ l
ଅଣନିଶ୍ୱାସୀ ଏ ଜୀବନ କଲାଣି
ନିଶ୍ୱାସ ଯାଉଛି ସରି,
ଧର୍ଯ୍ୟ ସୀମା ମୋର ଭାଙ୍ଗେ ବାରମ୍ବାର
କାହିଁ ମୁଁ ଯାଉନି ମରି?
ବର୍ଷା ଲଷ୍ମୀ ସ୍ୱାଇଁ, ଜଗତସିଂହପୁର