ନେତ୍ର ତୋ ମଧୁଶାଳା
ନେତ୍ର ତୋ ମଧୁଶାଳା ମୁହିଁ କବିତା
କିମ୍ବା ଗୀତଟେ ଲେଖିବି,
ଓଠରୁ ମିଷ୍ଟଭାଷା ଝରାଉ କହ
ମୁଁ କେମିତି ଯେ ଭୁଲିବି ?
ମନ ଡାଏରୀରେ ଲେଖିଦେଲି ସବୁ
ଆଜୀବନ ସାଇତିବି,
ମନ ଦର୍ପଣେ ତୋ ନେତ୍ର ପ୍ରତିବିମ୍ବ
ମୁଁ ସର୍ବଦା ଦେଖୁଥିବି।
ଖୋଜିବି କାହିଁକି ସୁବର୍ଣ୍ଣର ଧନ
ହୀରା ମୋତି ପରା ତୁହି,
ପାଇଗଲେ ତୋତେ ହାତ ପାପୁଲିରେ
ଭାଗ୍ୟବାନ ହେବି ମୁହିଁ।
ହୃଦୟ କୋଠରୀ ଏବେ ଯାଏଁ ଖାଲି
ଘେରି ଅଛି ଅନ୍ଧକାର,
କବାଟ ଖୋଲିଦେ ଦୀପଟେ ଜାଳିଦେ
ପ୍ରକାଶ ହେଉ ଜ୍ୟୋତିର।
ଅପେକ୍ଷାର ଅନ୍ତ ଘଟେଇଦେ ଗୋରୀ
ସତ କରେ ଇଚ୍ଛା ମୋର,
ହାତ ଧରି ପଥ ଚାଲିବାଲୋ ଦୁହେଁ
ଛାଡିବିନି ହାତ ତୋର।
ତପନ କୁମାର ସ୍ୱାଇଁ
ଗଞ୍ଜାମ, ବୁଗୁଡ଼ା