କ୍ଳାନ୍ତ ପଥିକ
ଆଶା ନିରାଶାର ମରୀଚିକା ପଥେ
ଚାଲୁ ଚାଲୁ କ୍ଳାନ୍ତ ଶ୍ଲାନ୍ତ
ଜୀବନରେ ଝଡ କେତେ ଯାଏ ଆସେ
ତା ଜାଣେ କ୍ଳାନ୍ତ ପଥିକ।
ପ୍ରତି ପଦପାତେ ଅନୁଭବ କରେ
ସାଥେ ଅଛ ସତେ ମୋର
କ୍ଳାନ୍ତ ଅବସନ୍ନ ହୋଇବି ଆଗକୁ
ଚାଲିବାକୁ ନାହିଁ ଡର।
କେବେ କଣ୍ଟକିତ କେବେ ପୁଲକିତ
ଜୀବନର ଏହି ରାସ୍ତା
ଆଗକୁ ଚାଲିବା ପ୍ରକୃତି ନିୟମ
ନଇଁବନି କେବେ ମଥା।
କ୍ଳାନ୍ତ ଜୀବନରେ ତୁମେ ଥିଲେ ସାଥେ
କଣ୍ଟକିତ ରାସ୍ତା ଫୁଲ
କରମ ଧରମ ନିକିତି ଧରିଛ
କରୁଅଛ ସମତୁଲ।
ଆଶା ବୈତରଣୀ ଜୀବନ ତରଣୀ
ଝଡ଼ ଖଞ୍ଜା କେତେ ସହେ
କ୍ଳାନ୍ତ ଅବସନ୍ନ କାୟାର କଷଣ
ପ୍ରୀତି ମୁକ୍ତି ଗୀତି ଗାଏ।
କେତେ ଅଭିଳାଷା ମନେ ବାନ୍ଧେ ବସା
ସ୍ବପ୍ନକୁ ତୋଳିବା ପାଇଁ
କ୍ଳାନ୍ତ ବାଟୋଇ କିଞ୍ଚିତ ଆଶା ନେଇ
ଚାଲେ ଆଗଭର ହୋଇ।
କେତେ ଅସଜଡା କେତେ ଅଧାଗଢ଼ା
ସ୍ୱପ୍ନ ଆଶା ରଚିରଚି
ଜୀବନ ରାସ୍ତାରେ କ୍ଳାନ୍ତ ପଥିକଟି
ଚାଲିଛି ସପନ ବିଞ୍ଚି।
ବୈଶାଖ ବସନ୍ତ ଜୀବନର ମନ୍ତ୍ର
ଖୋଜେ ମଧୁ ବୋଳା ସ୍ୱର
କୋମଳ ପରଶ ହରେ ଅବଶୋଷ
ସ୍ୱପ୍ନ ତୋଳଇ ଝଙ୍କାର।
ଅନ୍ତାହୀନ ଆଶା ପୁଣି ଯେ ନିରାଶା
ଭରିଦିଏ କ୍ଳାନ୍ତ ମନେ
କାର ସ୍ନେହ ସ୍ପର୍ଶ କରେ ପୁଲକିତ
ଉନ୍ମାଦ ଜଗାଏ କ୍ଷଣେ।
ଭୁବନେଶ୍ୱର।