ସୁନ୍ଦର ମନ
…….
ଏକ ସୁନ୍ଦର ମନ…
ଅନ୍ୟ ର ସଦ୍ଗୁଣ ହିଁ ଲକ୍ଷ କରେ,
ଓ ଅବିଗୁଣ କୁ ଅଣଦେଖା କରେ
ସମୟ କ୍ରମେ ଅବିଗୁଣ…
ସଦ୍ଗୁଣ ରେ ପରିବର୍ତ୍ତନ ପାଇଁ
କରେ ସହାୟତା ପ୍ରଦାନ.
ମନ ର ପବିତ୍ରତା ରେ…
ଅପବିତ୍ର ହୁଏ ପବିତ୍ର….
ଅନୁଭବ..ବି ପ୍ରୀତି କ୍ଷରା
ନୈସର୍ଗିକ.
ନିଷ୍ଠା ଭକ୍ତି ଆଉ ଶ୍ରଦ୍ଧାରେ
ବାଲୁକା ରେ ତର୍ପଣ….
ପୂର୍ବଜ କରିଥିଲେ ଗ୍ରହଣ..
ଓ ବିଦୁର କୁଡ଼ିଆ ର ଶାଗ ଭଜା ରେ
ଛପନ ଭୋଗୀ ଙ୍କ ତୃପ୍ତିର ଆସ୍ଵାଦନ…
ପୁରାଣୁ ପୁରୁଣା ଉପାଖ୍ୟାନ.
ଶବରୀ ର ଉଚ୍ଚିଷ୍ଟ…
ସୁଦାମା ର ଖୁଦ ଭଜା..
ଗୁହକ ର ଆତିଥ୍ୟ
ଜାହ୍ଣବୀ ରେ କୈବର୍ତ୍ତ ର
ଭଙ୍ଗା ନାଵ ର ସୁବର୍ଣ୍ଣ ନାଵ ରେ
ପରିବର୍ତ୍ତନ….
ପ୍ରତ୍ୟେକ ଏକ ଏକ ସୁନ୍ଦର ମନ ର
ପରିଚୟ ଓ ତାର ମହାର୍ଗ ପ୍ରତିଫଳନ.
ମନର ପବିତ୍ରତା
ମାନବ ର କାର୍ଯ୍ୟ ରେ
ପରି ଦୃଷ୍ଟ ଓ ପରିଲକ୍ଷିତ…
ସଂସାର କୁ କରେ ଆକୃଷ୍ଟ.
ଦୀନ ଜନ,ହୀନ ଜନ ହୁଏ ମହୀୟାନ
ପାଏ ଆଦୃତ୍ତି ଓ ଏକ ପରିପୂର୍ତ୍ତି ଜୀବନ.
ପ୍ରତ୍ୟେକ ମନୁଷ୍ୟ ଏକ ଏକ
କସ୍ତୁରୀ ମୃଗ…ସମ..
ଚିହ୍ନେନା ସ୍ୱୀୟ ଅଭ୍ୟନ୍ତର ର
ସ୍ୱତନ୍ତ୍ରତା…. ଶ୍ରେୟପଣ…
ଖୋଜୁଥାଏ ଅନ୍ୟଠି ଆନନ୍ଦ
ଶାନ୍ତି ପ୍ରାଣ ପ୍ରାଚୁର୍ଯ୍ୟ…
ମଧୁକ୍ଷରା କ୍ଷଣମାନ,
ସେ ଯେ ଆତ୍ମ ସର୍ବସ୍ୱ…
ସମସ୍ତ ସୁଖ ର ଆକର
ଆତ୍ମ ସମୀପ ରେ
ସର୍ବସ୍ୱ ଉପଲବ୍ଧ ଅନୁକ୍ଷଣ…
ହେଉ ସକଳ ଜନ ର
ଧ୍ୟେୟ ଲୟ ଅନୁଶୀଳନ
ମନନ ଆଉ ଚିନ୍ତନ.
ମିନତି ଦାଶ
ବାରିପଦା