ଦାଦନ ଶ୍ରମିକ
ଖଟିଖଟି ହେଲୁ କଙ୍କାଳ ପରି
ଆଖିର ଲୁହକୁ ଓଠରେ ମାରି
ରକତ ନିଗାଡି କରୁଛୁ ଶ୍ରମ
ଦାଦନ ଶ୍ରମିକ ଆମରି ନାମ ।।
ଗାଁ ମାଟି ସାତ ସପନ ହେଲା
ପରିବାର ସୁଖ ଚୁଲିକି ଗଲା
ବାପାଙ୍କ ଗାଳିକୁ ଖୋଜୁଛି ମନ
ବଞ୍ଚିବା ପାଇଁକି ଲୋଡା ଯେ ଧନ ।।
ଜନମ ମାଟିରୁ ହୋଇଲୁ ପର
ଅଜଣା ରାଇଜେ କରିଲୁ ଘର
ସ୍ତ୍ରୀ ଛୁଆ ମୁହଁ ହେଉନି ଦେଖି
ମାଆ ହାତରନ୍ଧା ପାରୁନୁ ଚାଖି ।।
ସରକାର ଯଦି ଅଯୋଗ୍ୟ ହୁଏ
ରାଷ୍ଟ୍ରର ଦୁଃଖକୁ ବୁଝିବ କିଏ
ଯୋଜନାର ଫର୍ଦ୍ଦ ସରୁନି ଏଠି
ଆମେରେ ଗରିବ ଖଟୁଛୁ ବେଠି ।।
କରୋନା କାଳରେ ପାଇଲୁ କଷ୍ଟ
ଜୀବନଟା ଆମ ହୋଇଲା ନଷ୍ଟ
ପୋକମାଛି ପରି ମରିଲୁ ଆମେ
ଆସିଲୁନି କେବେ କାହାରି କାମେ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର