ପ୍ରାରବ୍ଧ…
ସକଳ କର୍ମ ର ଅନୁରୂପ ଫଳ
ଅଟେ ସଂସାର ସଂହିତା,
ସତ୍କର୍ମ ସାରଣୀ ସମାଜେ ଆଦୃତ
ଦୁଷ୍କର୍ମ ପ୍ରାରବ୍ଧ ଦାତା.
କର୍ମ ଠାରୁ ଗୁରୁ ନାହିଁ କେ ସଂସାରେ
ହୋନ୍ତୁ ଧାତା, କର୍ତ୍ତା, ହର୍ତ୍ତା,
କର୍ମ ଅନୁସାରେ ସେ ବି ତ ଭୋଗନ୍ତି
ସଭିଙ୍କ ଜ୍ଞାତ ଏ ବାର୍ତ୍ତା.
ଆରବ୍ଧ ସଂକଳ୍ପେ ସତ୍ୟ ନିଷ୍ଠ କର୍ମେ
ମହାଜନ ଖ୍ୟାତି ମିଳେ,
ମହାଜନ ହୋଇ ଅକର୍ମ କରଣେ
ପ୍ରାରବ୍ଧ ଟି ଥାଏ ଭଲେ.
ନିଜ ସୁଖ ଖୁସି ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ
ପାଇଁ ଆନେ ଦେଇ କଷ୍ଟ,
ଲଭିଲେ ବିଷୟା ନକରି ସୁଦୟା
କେବେ କେ ପାଇଛି ଇଷ୍ଟ.
ପାପ ର ଘଡ଼ା ଟି ଭରେ କ୍ରମେ କ୍ରମେ
ଗର୍ହିତ ରେ ହୁଏ ପୂର୍ଣ୍ଣ,
ସେ ପାପ ର ଫଳ ଆଗେ ଆଗେ ଧାଁଏ
ଭୋଗ ଜନ୍ମ ପରେ ଜନ୍ମ .
ସୁଖ ଦୁଃଖ ଯେତେ ଭୋଗଇ ମାନବ
ନକ୍ସା ତା ଆଙ୍କିଛି ନିଜେ,
ଆତ୍ମୀୟ ସ୍ୱଜନେ ଦୋଷାରୋପ ଖାଲି
ମିଛ ଆତ୍ମ ତୃପ୍ତି ସାଜେ.
ଆଚରଣ ଠାରୁ ଉଚ୍ଚାରଣ ଯାକେ
ସଂସାର ନିୟମେ ପାଳି,
ଚଳେ ଯେଉ ନର ସୁଖ ଭୋଗ ତାର
ପ୍ରାରବ୍ଧ ର ଭୟ ଟାଳି.
ମିନତି ଦାଶ
ବାରିପଦା