ଆସ ସବୁଜ ହୋଇବା
ଧନ ଦଉଲତ ସାଇତି ରଖୁଛୁ
ସୁଖରେ ବଞ୍ଚିବା ପାଇଁ
ପୁଅ ନାତି ପାଇଁ ଅସୁମାରି ସ୍ଵପ୍ନ
ଦେଖୁଛୁ ବିକଳ ହୋଇ
ଚିନ୍ତା କି କରିଛୁ କେବେ
ବୃକ୍ଷ ବିନା ଯଦି ସୃଷ୍ଟି ନାଶ ହୁଏ
ସେମାନେ କିସ କରିବେ ।
ଗଛ କାଟି ସଫା କରି ତୁ ସେଠାରେ
ଗଢୁ କଳ କାରଖାନା
ସବୁଆଡେ ତୋଳି କଂକ୍ରିଟ ଜଙ୍ଗଲ
ଉଡାଉ ବିଜୟ ବାନା
ଟିକିଏ ମନରେ ହେଜ
ଆମ ପରିବେଶ ଆଗପରି ଆଉ
ଦିଶୁଅଛି କି ସବୁଜ ।
ବାୟୁମଣ୍ଡଳରେ ଛିଦ୍ର ହୋଇଲାଣି
ବଢୁଛି ସୂର୍ଯ୍ୟଙ୍କ କର
ନିୟମିତ ବର୍ଷା ଆଉ ହେଉନାହିଁ
ଚାଷୀ କୂଳ ଥରହର
ସରି ଆସେ ଅମ୍ଳଜାନ
ପଶୁ ପକ୍ଷୀ ଧୀରେ ଲୋପ ପାଇଲେଣି
ମୂର୍ତ୍ତିକା କ୍ଷୟ ବି ଜାଣ ।
ଛାଡ଼ି ମନ୍ଦଭ୍ୟାସ ସଜାଗ ହୁଅରେ
ସବୁଜ ହୋଇବା ଆସ
ଧରଣୀ ମାଆର ଓଠେ ଫୁଟାଇବା
ଆମେ ପୁଣି ନୂଆ ହସ
ସଭିଏଁ ହୋଇବା ଏକ
କୃତ୍ରିମ ଜଙ୍ଗଲ ତିଆରି କରିବା
ଲଗାଇ ନୂତନ ବୃକ୍ଷ ।
ପଥଧାରେ ଅବା ପାହାଡ଼ କୋଳରେ
ଅବା ଗାଆଁ ପଡିଆରେ
ଖାଲି ଜାଗା ଦେଖି ଲଗାଇବା ଗଛ
ଆମେ ଆମରି ହାତରେ
ପ୍ରାକୃତିକ ବିପର୍ଯ୍ୟୟ
ନିଶ୍ଚୟ ଆମେ ରେ ଏଡାଇ ପାରିବା
ରହିବନି ଜମା ଭୟ ।
ସୁନ୍ଦର ପୃଥିବୀ ଆମେ ଗଢିଦେବା
ସବୁଜିମା କରି ଧରା
ଫୁଲର ମହକ ଛୁଟାଇ ଦେବାରେ
ଆମେ ଚଉଦିଗ ସାରା
ପାଳିବା ଯତନ କରି
ମନେ ଭାବିନେବା ପ୍ରତିଟି ଗଛ ଯେ
ଠିକ ଆମ ପୁଅ ପରି ।
କାହ୍ନୁ କୁଟୀର, କଳିଙ୍ଗା, ହାଟଡିହୀ, କେନ୍ଦୁଝର