ବୁନ୍ଦାଏ ଲୁହ
ବୁନ୍ଦାଏ ଲୁହରେ କୁରୁ ବଂଶ ନାଶ
ଇତିହାସ ଦିଏ ସାକ୍ଷୀ,
ସେଇ ଲୁହ ପୁଣି ଆନନ୍ଦେ ବହିଲେ
ହସୁଥାଏ ଚକା ଆଖି।।
କୋହରେ କାନ୍ଦିଲେ ଉତ୍ତପ୍ତର ଅଶ୍ରୁ
ଚକ୍ଷୁ କୋରଡ଼ରୁ ଝରେ,
ଆନନ୍ଦେ ଗଡ଼ିଲେ ଆଖିରୁ ଲୋତକ
ଶୀତଳ ପରଶ ଭରେ।।
ଭକ୍ତ ଭଗବାନ ମିଳନ ବେଳାରେ
ଆନନ୍ଦେ ଲୁହ ଝରଇ,
ଧନ୍ୟ ହୁଏ ଭକ୍ତ ଈଶ୍ୱରଙ୍କୁ ପାଇ
ପାପଯାଏ ତାର ଧୋଇ।।
ପ୍ରେମ ଓ ଘୃଣାର ପରିଭାଷା କୁହେ
ବୁନ୍ଦାଏ ଆଖିର ଲୁହ,
କେବେସେ ମିଳନ ବିଚ୍ଛେଦ କେବେସେ
କୁରୁ କ୍ଷେତ୍ର ସାଜେ କୋହ।।
ଦୁଃଖେ ବୋହିଯାଏ ସୁଖେ ଝରି ପଡେ଼
ଟୋପା ଟୋପା ଜଳ ବିନ୍ଦୁ,
ଦୁଃଖରେ ମଉନ ହତାଶ ଜୀବନ
କେବେ ପୂର୍ଣ୍ଣିମା ର ଇନ୍ଦୁ।।
Chumki Dash Mishra
Santi pada,Balangir