ବିଷୟ:- ବୁନ୍ଦାଏ ଲୁହ
ପ୍ରାପ୍ତ କରିବାର ଦୁର୍ବାର ପ୍ରୟାସ
ତଥାପି ଏ ମନ ହାରେ,
ଝୁଣ୍ଟି ସମ୍ଭାଳିବା ଆଗକୁ ବଢ଼ିବା
ମହାଶିକ୍ଷା ସଂସାରରେ ।।
ଦୁଃଖ ଯେବେ ଆସେ ମନ ବି ବୁଝେନା
ଆପେ ଆସି ଯାଏ କୋହ,
ମନ ଦହନରେ ନେତ୍ର ପଥ ଦେଇ
ଝରେ ଦୁଇ ବୁନ୍ଦା ଲୁହ ।।
ସର୍ବଦା ସ୍ମରଣେ ସନ୍ତାନ ଯତନେ
ହେଳା ନାହିଁ ଜୀବନରେ ,
ପ୍ରତ୍ୟକ୍ଷ ଦେବତା ଆମ ମାତାପିତା
ଅଦ୍ୱିତୀୟ ଏ ସଂସାରେ ।।
ପ୍ରାପ୍ତ ବୟସରେ ମାତା ପିତାଙ୍କର
ବୁନ୍ଦାଏ ଲୁହର ମୂଲ୍ୟ,
ଉନ୍ନତି ପଥର ଶେଷ ସୀମାରେ ବି
ପୁତ୍ର ହୁଏ କଲବଲ ।।
ସମର୍ପଣ ଭାବ ବୁଝିଥାନ୍ତି ଦେବ
ମରୀଚିକା ମାୟା ମୋହ,
ଶାନ୍ତି ଥିବ ପାଶେ କାମନା ବିନାଶେ
ଭକ୍ତିରେ ଝରିଲେ ଲୁହ ।।
ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା
Saroj Kumar Sahu
Laikera, Jharasuguda