ବୁନ୍ଦାଏ ଲୁହ
ଅନ୍ଧୁଣୀ ମାଆଟିର ଏକମାତ୍ର ପୁତ୍ର ବ୍ୟତୀତ ସଂସାରରେ ଆଉ କେହି ନିଜର ନଥାଏ। ବୁଢ଼ୀ ପ୍ରତିଦିନ ପୁଅକୁ ବିଦ୍ୟାଳୟ କୁ ସାଥିରେ ଧରି ଯାଏ, ପୁଣି ପାଠ ପଢା ଶେଷ ହେଲେ ସାଥିରେ ଧରି ଘରକୁ ଫେରେ।
ଦିନକର ଘଟଣା ବିଦ୍ୟାଳୟରୁ ଫେରିବା ଉତ୍ତାରୁ ପୁଅଟି ମାଆକୁ କହେ, କାଲିଠାରୁ ତୁ ଆଉ ମୋ ସହିତ ବିଦ୍ୟାଳୟ ଯିବୁନି।ସାଂଙ୍ଗ ପିଲାମାନେ ଅନ୍ଧୁଣୀର ପୁଅ କହି ମୋତେ ଥଟ୍ଟା କରୁଛନ୍ତି। ମୋତେ ଭଲ ଲାଗୁନି। ତହିଁ ପରଦିନ ଠାରୁ ମାଆ ଆଉ ବିଦ୍ୟାଳୟ କୁ ଗଲାନାହିଁ। ପିଲାଟି ଗାଆଁ ବିଦ୍ୟାଳୟରୁ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାପରେ ସହରକୁ ପଢିବାକୁ ଗଲା।ପାଠ ପଢା ଶେଷ ହେଲାପରେ ଭଲ ଚାକିରୀଟିଏ ମଧ୍ୟ ପାଇଗଲା ।ମାତ୍ର ନିଜ ମାଆ କଥା ଭୁଲିଗଲା।
ବହୁବର୍ଷ ପରେ ଗାଆଁ ବିଦ୍ୟାଳୟକୁ ବାର୍ଷିକ ଉତ୍ସବ ପାଇଁ ପୁଅଟି ମୁଖ୍ୟ ଅତିଥି ହୋଇ ଆସିଥାଏ। ଏକଥା ମାଆ କାନରେ ପଡ଼ିଲା।ଅନ୍ୟ ଦ୍ବାରା ଚିଠିଟିଏ ଲେଖି ପୁଅ ପାଖକୁ ପଠାଇଲା।
ସେଥିରେ ଲେଖାଥିଲା – ବାବୁରେ ଜାଣିବୁ ,ତୋ ଜନ୍ମପରେ ଜାଣିବାକୁ ପାଇଲି, ତୁ ଜନ୍ମରୁ ଅନ୍ଧ। ଡାକ୍ତରଙ୍କ ପରାମର୍ଶ କ୍ରମେ ମୋର ଦୁଇଟି ଯାକ ଆଖି ତୋତେ ଦେଲି ,ଆଶା ଥିଲା ତୋ ଆଖିରେ ଦୁନିଆ ଦେଖିବି।
କିନ୍ତୁ ମୋ ଆଶା ଆଶାରେ ରହିଗଲା।ହେଉ ବାପା ତୁ ଖୁସିରେ ରହ ,ସେତକ ମୋ ପାଇଁ ଯଥେଷ୍ଟ।ଇତି ହତଭାଗିନୀ ମାଆ।
ଚିଠି ପଢ଼ି ପୁଅ ହତବାକ୍। ଧାଇଁ ଗଲା ତା’ର ଜନ୍ମଦାତ୍ରୀ ପାଖକୁ , କିନ୍ତୁ ବିଚିତ୍ର ଥିଲା ନିୟତୀର ନିର୍ଦ୍ଦେଶ ।ପୁଅ ପହଞ୍ଚିଲା ବେଳକୁ ମାଆର ପ୍ରାଣପକ୍ଷୀ ଉଡିଯାଇଥିଲା।ଭୋ ଭୋ କାନ୍ଦି ମାଆର ଚରଣ ତଳେ ଲୋଟିଗଲା ପୁଅ। ଅଜାଣତରେ ମାଆର ପାଦ ଉପରେ ଝରି ପଡ଼ିଲା “ବୁନ୍ଦାଏ ଲୁହ”
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର।