- ଗଳ୍ପ- ବୁନ୍ଦାଏ ଲୁହ
ରଘୁନାଥ ବାବୁ ଭାରି ଅହଙ୍କାରୀ ମଣିଷଟିଏ । ପାଖରେ ପୁଳାଏ ଟଙ୍କା ଅଛି ବୋଲି ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ । ଗରିବ ଲୋକଙ୍କୁ ପୋକମାଛି ଭଳି ବ୍ୟବହାର କରନ୍ତି । କାହାରିକୁ ବି ଖାତିରି ନାହିଁ । ବଡ଼ ଲୋକ ବୋଲି ଦେଖେଇ ହେବାକୁ ଭାରି ପସନ୍ଦ କରନ୍ତି । ବଡ଼ ବଡ଼ ଗାଡ଼ିକୁ ଅତି କ୍ଷିପ୍ର ବେଗରେ ଚଲାଇ ଦୁଇ ତିନି ଜଣଙ୍କୁ କ୍ଷତି ପହଞ୍ଚାଇବା ତାଙ୍କର ନିତି ଦିନିଆ କାମ । ଏଥିରେ କେହି ବିରୋଧ କରିଲେ କିଛି ଟଙ୍କା ସିଧା ସେ ଲୋକର ମୁହଁକୁ ଫୋପାଡ଼ି କୁହନ୍ତି “ଯେତିକି ଟଙ୍କା ଏଥିରେ ଅଛି ସେତିକିରେ ତୋ କ୍ଷତି ପୂରଣ ହେଇ ଆହୁରି ଅଧିକ ହେଇଯିବ” । ତାଙ୍କର ଏଭଳି ବ୍ୟବହାର ପାଇଁ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡୁଥାଏ । ଲୋକମାନେ ଭାବନ୍ତି ” ହେ ଭଗବାନ ! ଆମକୁ କାହିଁକି ଗରିବ କରି ଜନ୍ମ ଦେଇଛ, ଯୋଉଁଠି କି ଗରିବ ଲୋକର କିଛି ସମ୍ମାନ ନାହିଁ ” ?
ରଘୁନାଥ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି । ଏବଂ ତାଙ୍କ ସ୍ତ୍ରୀ ଗର୍ଭବତୀ ଥାଆନ୍ତି । ସ୍ତ୍ରୀ କୁ ଖୁସି କରିବା ପାଇଁ ସବୁଦିନ ଦାମୀ ଦାମୀ ଉପହାର ଦେଇଥାନ୍ତି ରଘୁନାଥ ବାବୁ । ତାଙ୍କ ସ୍ତ୍ରୀ ବହୁତ ବୁଝାନ୍ତି ତାଙ୍କୁ ଟଙ୍କାର ମୂଲ୍ୟ ବିଷୟରେ, ମଣିଷଙ୍କ ଜୀବନର ମୂଲ୍ୟ ବିଷୟରେ । ହେଲେ ରଘୁନାଥ ବାବୁଙ୍କ ଆଖିରେ ତ ଅହଙ୍କାରର ଅନ୍ଧ ପୁଟୁଳି ବନ୍ଧା ହେଇଛି । ସେ ବା କେମିତି ବୁଝିବେ ଏସବୁ ? ସ୍ତ୍ରୀ କୁହନ୍ତି” ଶୁଣ ! ତୁମେ ଆଜି ବୁଝୁନାହଁ , ହେଲେ ସମୟ ଆସିବ ଯେବେ ତୁମେ ସବୁ ବୁଝିବ, ଆଉ ସେତେବେଳେ ପଶ୍ଚ୍ୟାତାପ କରିବା ଛଡ଼ା ଆଉ କିଛି ନଥିବ ତୁମ ହାତରେ” ।
ଏମିତି କିଛି ଦିନ ବିତିଗଲା । ରଘୁନାଥ ବାବୁଙ୍କ ସ୍ତ୍ରୀଙ୍କର ପ୍ରସବ ସମୟ ହେଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥାଏ । ଡାକ୍ତର ବାବୁ ରଘୁନାଥ ବାବୁଙ୍କୁ କହିଲେ” ଆପଣଙ୍କ ସ୍ତ୍ରୀ ବହୁତ ଦୂର୍ବଳ ଅଛନ୍ତି । ତେଣୁ ପ୍ରସବ ପାଇଁ କିଛି ଟା ଅସୁବିଧା ହେଉଛି” । ରଘୁନାଥ ବାବୁ କହିଲେ ” ଯେତେ ଟଙ୍କା ଖର୍ଚ୍ଚ ହେଉଛି ହେଉ, ସବୁ ମୁଁ ଦେବି, ଆପଣ ମୋ ସ୍ତ୍ରୀ ଆଉ ପିଲାକୁ ବଞ୍ଚାଇ ଦିଅନ୍ତୁ ।
ଡାକ୍ତର କୁହନ୍ତି” ଆମେ କିଏ ତାଙ୍କୁ ବଞ୍ଚାଇବା ପାଇଁ, ସବୁ ସେଇ ଭଗବାନଙ୍କ ଇଚ୍ଛା , ଆମେ ଖାଲି ମାଧ୍ୟମ” ।
କିଛି ସମୟ ପରେ ନର୍ସ (ସେବିକା) ରଘୁନାଥ ବାବୁଙ୍କ ଶିଶୁ କନ୍ୟାକୁ ଆଣି ତାଙ୍କ ହାତରେ ଦେଇ କହିଲେ ” କ୍ଷମା କରିବେ ! ଆମେ ସତ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ସ୍ତ୍ରୀଙ୍କୁ ବଞ୍ଚାଇ ପାରିଲୁ ନାହିଁ । ପ୍ରସବ ଯନ୍ତ୍ରଣା ସହିନପାରି ଆପଣଙ୍କ ସ୍ତ୍ରୀ ଆଖି ବୁଜିଲେ ।
ରାଘୁନାଥ ବାବୁଙ୍କର ମନେ ପଡ଼ିଗଲା ତାଙ୍କ ସ୍ତ୍ରୀଙ୍କର ସେହି କେଇ ପଦ କଥା । ଏବଂ ସେ ବୁଝି ପାରିଲେ ଯେ ଟଙ୍କା ଆମ ଜୀବନର ସବୁକିଛି ନୁହେଁ, ଏବଂ ଜୀବନର ମୂଲ୍ୟ ମଧ୍ୟ ସେ ବୁଝି ପାରିଲେ ।ଏବଂ ଦୁଃଖରେ ତାଙ୍କ ଆଖିରୁ ଝରି ପଡ଼ିଲା “ବୁନ୍ଦାଏ ଲୁହ” ।
ସୁଭଦ୍ରା ପଟ୍ଟାୟତ, ବ୍ୟାସଭୂମି ବାଲେଶ୍ଵର
Subhadra Pattayat, Balasore