ସନ୍ତାପିତ ହୃଦୟ
ଦୀର୍ଘ ପଞ୍ଚାବନ ବର୍ଷର ସାଇତା ଲୁହ ଗୁଡା ଆଷାଢ଼ ର ବର୍ଷା ବିନ୍ଦୁ ପରି ଗଙ୍ଗା ଯମୁନା ଦୁଇ ଧାର ହୋଇ ଅବାରିତ ଧାରାରେ ବହି ଚାଲିଛି ସରିତା ଦେବୀଙ୍କ ଦୁଇ ଆଖିରୁ । ହୃଦୟର କୋହ ଗୁଡ଼ା ପରିପ୍ରକାଶ କଲାବେଳେ ମୁଣ୍ଡ ଟି କେତେବେଳେ କାନ୍ଥରେ ତ କେତେବେଳେ ଭୂମିରେ କଚାଡ଼ି ହୋଇ ଯାଉଥାଏ। ବାକ୍ ଶୂନ୍ୟ ହୋଇ ଯାଇଥାନ୍ତି ମଳୟ ବାବୁ । ଆକାଶକୁ ଚାହିଁ ରହିଛନ୍ତି ।ପାଦ ତଳର ଭୂଇଁ ଯେପରି ଦୁଇଫାଳ ହୋଇ ଯାଉଛି । ନା କାନ୍ଦି ପାରୁଛନ୍ତି ନା ଅନ୍ତରର କୋହ କୁ କାହା ଆଗରେ ଦେଖାଇ ପାରୁଛନ୍ତି । ସଂପୂର୍ଣ୍ଣ ଅନ୍ଧ ମୂକ ବଧିର ପାଲଟି ଯାଇଛନ୍ତି । କେମିତି ବା ନ ହେବେ ? ଗୋଟିଏ ମାତ୍ର ଭେଣ୍ଡିଆ ପୁଅ । ସବୁ ଆଶା ଭରସା ର କେନ୍ଦ୍ର ବିନ୍ଦୁ । ପାଞ୍ଚବର୍ଷ ପୂର୍ବେ ଝିଅ ବାହାଘର ସରିଛି। ଏହି ପରିଣତ ବୟସରେ ଅନ୍ଧର ଲଉଡ଼ି ସାଜି ସାହା ଭରଷା ହୋଇଥାନ୍ତା । ତୁଣ୍ଡରେ ଟିକେ ତୁଳସୀ ଜଳ ଦେଇ ଶେଷ ବେଳେ ନିଜେ କାନ୍ଧେଇ ମଶାଣିକୁ ନେଇଥାନ୍ତା । ହେଲେ କେଉଁ ଜନ୍ମରେ କି ପାପ କରିଥିଲେ କେଜାଣି ତାଙ୍କୁ ନିଜ ପୁଅର ଶବ କୁ ଆଜି କାନ୍ଧେଇବାକୁ ପଡୁଛି । ଗତ ପରଦିନ ରାତିରେ ପୁଅ ସୁମନ୍ତ ସହ ଫୋନ୍ କରି ବହୁତ ସମୟ ଧରି କଥା ହୋଇଥିଲେ ବାପା ମାଆ ଦୁହେଁ । ଅଠାଇଶି ଟି ଫଗୁଣ ଅତିକ୍ରମ କରି ସାରିଥିଲେ ବି ଏଯାଏଁ ତାର ପିଲାଳିଆ ସ୍ୱଭାବ ଛାଡିନି । କେତେ କଅଁଳ କଣ୍ଠରେ କହୁଥିଲ ମାଆ ମୁଁ ଆଉ ଦୁଇ ସପ୍ତାହ ପରେ ଛୁଟି ପାଇଲେ ଗାଁ କୁ ଆସିବି । ତୁ ତ ଜାଣିଛୁ ସୈନ୍ୟ ବିଭାଗରେ କାମ କଲେ ଏତେ ଶୀଘ୍ର ଛୁଟି ମିଳେନାହିଁ । ତଥାପି ବହୁତ କଷ୍ଟରେ ପନ୍ଦର ଦିନ ପାଇଁ ଛୁଟି ପାଇବି।ମୋ ପାଇଁ ଶଙ୍ଖୁଆ ରାଇ, ପୋଡ଼ ପିଠା, ସଜନା ଶାଗ ସବୁ ତିଆରି କରିବୁ । ବହୁତ ଦିନ ହେଲା ବାପାଙ୍କ ସହିତ ବସି ଖାଇନି । ଏଇଥର ଗଲେ ଖାଇବି । ଦିଦି ଘରକୁ ଯାଇ ମୋ ଭଣଜା ସହିତ ବହୁତ ଖେଳିବି । ଆହୁରି କେତେ କ’ଣ…..
ଦୁଇ ସପ୍ତାହ ପରେ ଗାଡିରୁ ଓହ୍ଲାଇ ପାଦରେ ଚାଲି ଚାଲି ଆସି ବାପା ମାଆଙ୍କୁ ଜୁହାର ହେବା ପୁଅ ଆଜି ଗୋଟେ କଫିନ୍ ଭିତରେ ଶୋଇ ଆସିଛି । ଆଉ ତାକୁ ସମସ୍ତେ ସଲାମ କରୁଛନ୍ତି । ତ୍ରିରଙ୍ଗା ପତାକା ଘୋଡେ଼ଇ ହୋଇ କହୁଛି “ବାପା ମୋତେ ଭୁଲ୍ ବୁଝିବନି, ମାଆ ଲୋ ତୁ ବି । ମୋ କଥା ମନେ ପକେଇ କାନ୍ଦିବ ନାହିଁ । ବହୁତ କମ୍ ବାପା ମାଆଙ୍କ କୋଳରେ ମୋ ପରି ପୁଅ ଜନ୍ମ ନିଅନ୍ତି, ଯିଏ କି ସୀମାନ୍ତରେ ରହି ନିଜ ଜନ୍ମଭୂମିକୁ ସୁରକ୍ଷା ଦେବା ସହିତ କୋଟି କୋଟି ବାପା ମାଆଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ” । ଏଇଟା କ’ଣ ତୁମ ପାଇଁ ଗର୍ବ ନୁହେଁ । ଜଣେ ସହୀଦ ର ବାପା ମାଆ ହେବା କେତେ ଜଣଙ୍କ ଭାଗ୍ୟରେ ମିଳେ ।
ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଶୂନ୍ୟ ରୁ ଫେରି ଆସୁଥିବା ଠୋ ଠୋ ଶବ୍ଦ ଅପେକ୍ଷା ସୁମନ୍ତ, ସୁମନ୍ତ କହି ଭୁଇଁରେ ଲୋଟି ଯାଉଥିବା ଅସହାୟ ବାପା ମାଆଙ୍କ ଆର୍ତ୍ତ ଚିତ୍କାର ବେଶୀ ଶୁଣା ଯାଉଥିଲା ।
✍️ ରମେଶ କୁମାର ସାହୁ
କାହ୍ନୁ କୁଟୀର, କଳିଙ୍ଗା, ହାଟଡିହୀ, କେନ୍ଦୁଝର