ସନ୍ତାପିତ ହୃଦୟ
ଗୋଟିଏ ସନ୍ତାନ ର ପ୍ରଥମ ଶିକ୍ଷକ ହୋଇଥାନ୍ତି ତାଙ୍କର ପୂଜ୍ୟ ପିତା ଓ ମାତା । ସେହିପରି ଭାବରେ ସନ୍ତାନ ଟି ପ୍ରଥମେ ତାର ଶିକ୍ଷା ,ସ୍ନେହ, ଉପଯୁକ୍ତ ସଂସ୍କାର ସେହି ପରିବାର ରୁ ଶିକ୍ଷା କରିଥାଏ। ପିତା ଘର ର ଛାତ ସଦୃଶ ହେଲେ ମାତା ଘର ର ଖମ୍ବ ସଦୃଶ। ଦୁଇ ଜଣ ଙ୍କ ଭିତରୁ କେହି ଜଣେ ହଜିଗଲେ ସନ୍ତାନ ମାନଙ୍କ ଜୀବନ ର ପରିଚ୍ଛେଦ ଅନ୍ଧକାରମୟ ହୋଇଯାଏ ।
ନିରାକର ମହାନ୍ତି ବ୍ୟବସାୟ କରି ଘରେ ଥିବା ତାଙ୍କ ଧର୍ମପତ୍ନୀ ଅଳକା ଦେବୀ , ଆଉ ଦୁଇ ଝିଅ ( ବଡ଼ ଝିଅ ସୋନି ଓ ସାନ ଝିଅ ରାନୀ ) ଆରାମ ରେ ଚଳିଯାଉଥିଲେ । ନିରାକର ବାବୁ ଙ୍କ ର ଯୈାଥ ପରିବାର ଥିଲା। ପିଲା ମାନଙ୍କ ର ଭବିଷ୍ୟତ କୁ ଦେଖି ସେ ବାହାର କୁ ଚାଲି ଆସିଥିଲେ। ନିଜେ କଷ୍ଟ କରିବା ସହିତ ତାଙ୍କ ଧର୍ମପତ୍ନୀ ଓ ତାଙ୍କ ଦୁଇ ଝିଅ ମିଶି କାର୍ଯ୍ୟ କରି ଯାହା ରୋଜଗାର ହେଉଥିଲା ସୁଖ ଶାନ୍ତି ରେ ରହୁଥିଲେ । ତା ଭିତରେ ତାଙ୍କ ବଡ଼ ଝିଅ ସୋନି (ଶିକ୍ଷା ବିଭାଗ) ରେ ସ୍ନାତକୋତ୍ତର ସାରି ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଘରେ ଘରେ ଯାଇ ଇଂରାଜୀ ମାଧ୍ୟମ ପିଲା ମାନଙ୍କୁ ପଢ଼ାଉଥିଲେ । ତାଙ୍କ ସାନ ଭଉଣୀ ରାନୀ (ଓଡ଼ିଆ ବିଭାଗ) ରେ ସ୍ନାତକୋତ୍ତର କରୁଥିଲେ।
ହଠାତ୍ ତାଙ୍କ ପରିବାର ଉପରେ ଏକ ବିପଦ ପଡ଼ିଲା। ନିରାକର ବାବୁ ଙ୍କୁ କର୍କଟ ରୋଗ ହୋଇଛି ବୋଲି ସମସ୍ତେ ଜାଣିଲେ । ଭଗବାନ ଙ୍କ କୃପା ରୁ ଏବଂ ଅନ୍ୟ ସମସ୍ତ ଙ୍କ ସାହାଯ୍ୟ ରେ ଅସ୍ତ୍ରୋପଚାର ହେଲା ଓ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ । ତିନି ଚାରି ମାସ ଆରାମ୍ କରିସାରିବା ପରେ ବଡ଼ ଝିଅ ଙ୍କ ଉପରେ ବୋଝ ହେବେନି ଭାବି ନିଜେ ପୁଣି ଥରେ ସମସ୍ତ ଙ୍କ ବାରଣ ସତ୍ତ୍ୱେ ବ୍ୟବସାୟ ଆରମ୍ଭ କଲେ ।
ତାଙ୍କ ପରିବାର ର କର୍କଟ ରୋଗ କୁ ନେଇ ମନ ରେ ଡର ଥିଲେ ମଧ୍ୟ ମନ ର କଷ୍ଟ କୁ ମନ ରେ ଚାପି ଖୁସି ରେ ରହିବାକୁ ବାଧ୍ୟ ହେଉଥିଲେ। ଏବଂ ପ୍ରତ୍ୟେକ ମାସରେ ନିରାକର ବାବୁ ଡାକ୍ତର ଙ୍କ ପାଖୁ ତାଙ୍କ ରୋଗ ର ପରୀକ୍ଷା ପାଇଁ ଯାଉଥିଲେ । ସେହି ସମୟରେ କୋରନା ମହାମାରୀ ଚାରିଆଡ଼େ ତା’ର ତାଣ୍ଡବଲୀଳା ଆରମ୍ଭ କରିଲା। ଯାହାଫଳରେ ଗାଡ଼ି ମଟର ସବୁ ଚଳାଚଳ ବନ୍ଦ ହୋଇଗଲା। ନିରାକର ବାବୁ ସାତ ମାସ ପରୀକ୍ଷା ପାଇଁ ଡାକ୍ତର ଙ୍କ ପାଖକୁ ଯାଇ ପାରିଲେନି। ଭାଗ୍ୟ ର ବିଡ଼ମ୍ବନା ବୋଧେ ଅନ୍ୟ କିଛି ଥିଲା । ସାତ ମାସ ପରେ ଯେତେବେଳେ ଗାଡ଼ି ଚଳାଚଳ ଆରମ୍ଭ ହେଲା ସେ ସମୟରେ ନିରାକର ବାବୁ ଡାକ୍ତର ଙ୍କ ପାଖକୁ ଗଲେ। ଡାକ୍ତର ଙ୍କ କଥା ଶୁଣି ସମସ୍ତ ଙ୍କ ପାଦ ତଳୁ ମାଟି ଖସିଯିବା ପ୍ରାୟ ହୋଇଗଲା । ରୋଗ ଟା ପୁରା ଦେହ ସାରା ଖେଳେଇ ଯାଇଥିଲା ।
ଆଉଥରେ ଅସ୍ତ୍ରୋପଚାର ହେଲା । ଅସ୍ତ୍ରୋପଚାର ହେବା ପରେ ଟିକେ ଭଲ ହେଇଯିବେ ଭାବି ତାଙ୍କ ର ଦୁଇ ଝିଅ ଏବଂ ଘର ଲୋକ ଖୁସି ହୋଇଗଲେ । କିନ୍ତୁ ଭଗବାନ ତାଙ୍କ ଜୀବନ ରେ ଅନେକ ଦୁଃଖ ଲେଖିଥିଲେ ବୋଧେ । ଅସ୍ତ୍ରୋପଚାର ହେବା ର ଆଠ ମାସ ପରେ ପ୍ରଥମ ରଜ ଦିନ ନିରାକର ବାବୁ ସମସ୍ତ କୁ ଛାଡି଼ ଆରପାରିକୁ ଚାଲିଗଲେ। ତାଙ୍କ ଧର୍ମପତ୍ନୀ ,ଆଉ ତାଙ୍କ ଦୁଇ ଝିଅ ଆଜି ପର୍ଯ୍ୟନ୍ତ ସୁଖ ରେ ନାହାନ୍ତି । ସନ୍ତାପିତ ହୃଦୟ ରେ ସବୁଦିନ ସବୁ ସମୟରେ ଆଖି ରୁ ଲୁହ ଢାଳିବା ଛଡ଼ା ଆଉ କିଛି ବି ସୁଖ ନାହିଁ । ତାଙ୍କ ବଡ଼ ଝିଅ ଶିକ୍ଷକତା ଓ ଟିୟୁସନ୍ କରି ଘର ଚଳାଉଛନ୍ତି । ଏମିତି ଦୁଃଖ ଭଗବାନ କାହାକୁ ବି ନ ଦିଅନ୍ତୁ । ଭବିଷ୍ୟତ ରେ କ’ଣ ହେବ ସେମାନେ କିଛି ଭାବୁ ନାହାନ୍ତି । ବାସ୍ ସବୁ ଭଗବାନଙ୍କ ଉପରେ ଛାଡ଼ି ଦେଇ ନିଜ ନିଜର କର୍ମ କୁ ଆପଣେଇ ନେଇଛନ୍ତି ।
ସୁଶ୍ରୀ ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର