ଶଯ୍ୟାଶାୟୀ
କରମ ଜ୍ୱାଳାରେ ଫସିଗଲି ଆଜି
ଦୁର୍ଭାଗ୍ୟର ବନ୍ଦୀ ଘରେ
ଜୀବନ ମୋହର ଦୁର୍ବିସହ ସାଜେ
ଏକା ମୁହିଁ ଶଯ୍ୟାପରେ।।
ଜନ୍ମ ଜନ୍ମାନ୍ତର ପ୍ରାରବ୍ଧ ଭୋଗୁଛି
ଚକ୍ଷୁକୁ ଦିଶୁନି କିଛି
କାନେ ଶୁଭେ ନାହିଁ ପାଟି ଫିଟେ ନାହିଁ
ମିଛେ ଯାହା ବଞ୍ଚିଅଛି।।
ଜୀବନ ମୁକୁରେ ଦେଖୁଛି ନିଜକୁ
ବିତେଇଛି ଯେଉଁ କ୍ଷଣ
ଦଇବ ଲେଖିଛି କପାଳରେ ମୋର
ଅସହ୍ୟ ହୁଏ କଷଣ।।
ଦିନପରେ ରାତି ଯାଉଥାଏ ବିତି
ବିତେ ପୁଣି ମାସ ବର୍ଷ
ମୃତ୍ୟୁର ଅପେକ୍ଷା କରି ଚାଲିଥାଏ
ଓଠରୁ ଲିଭୁଛି ହସ।।
ପର ହାତ ଟେକା ଦରବ ପାଇଁକି
ଅପଲକେ ଚାହିଁଥାଏ
କ୍ଷୁଧା ତୃଷ୍ଣା ମୋର ମେଣ୍ଟାଇବା ପାଇଁ
ଶକ୍ତି ନାହିଁ ମୋର ଦେହେ।।
ଶରୀରଟା ମୋର କ୍ଷୀଣ ହୋଇଚାଲେ
ଜଖମରେ ରକ୍ତ ପୂଜ
ସାମାନ୍ୟ ଯନ୍ତ୍ରଣା ସହି ତ ହେଉନି
ରକ୍ଷାକର ଚତୁର୍ଭୁଜ।।
ଗାଳି ମାଡ଼ ଆଉ ଦେହ ସହୁନାହିଁ
ଜୀବନ ଯାଉନି ମୋର
ନିଶ୍ୱାସ ଥମୁନି ଯମ ବି ନେଉନି
ବଞ୍ଚିବାକୁ ଲାଗେ ଡର।।
ଶେଜ କୁ କରିଛି ଦୁନିଆ ମୋହର
ଜିହ୍ଵାରେ ନାହିଁ ଲାଳସା
ବସନ ଭୂଷଣ ଦେହେ ରହୁନାହିଁ
ହୁଏ ମୁହିଁ ଲୋକହସା।।
ସେବା ଯେ’କରନ୍ତି ଗାଳି ସେ ଦିଅନ୍ତି
ରାଗିନାହିଁ କେବେ ଜମା
ହୃଦୟ କୋଣରୁ ଆଶୀର୍ବାଦ ଦିଏ
କରି ସାରିଅଛି କ୍ଷମା।।
ସେବା ଅପରାଧ କ୍ଷମା କରିଅଛି
ମୃତ୍ୟୁ ପାଈଁକି ଆଶାୟୀ
ଆହେ ଦୟାମୟ କାହାକୁ କେବେହେଁ
ନକରହେ ଶଯ୍ୟାଶାୟୀ।।
©️®️ତପସ୍ୱିନୀ ଷଢ଼ଙ୍ଗୀ
ଖୁବ୍ ସୁନ୍ଦର ଉପସ୍ଥାପନା ଭଉଣୀ♥️
God bless you dear❤