ନିଶାସକ୍ତ ଜୀବନ
____________
ବାହ୍ୟ ଜଗତକୁ ଭ୍ରମି ଆସ ବାରେ
ଭ୍ରାମ୍ୟମାଣ ପ୍ରେମେ ନରୁହ ଭ୍ରମି,
ଆହେ ବିଶ୍ୱବାସୀ କହୁଛି ଆଶ୍ଵାସି
ପ୍ରକୃତିର ପ୍ରେମେ ହୁଅ ହେ ପ୍ରେମି ।।
ମୋବାଇଲ ଦୁନିଆରେ ମାୟା ଆବର୍ତ୍ତରେ
ମିଥ୍ୟା ନିଶାସକ୍ତେ ନଯାଅ ଫଶି,
ନୁହଁଇ ବାସ୍ତବ ତାହା ଅବାସ୍ତବ
ଯାଏ ଧିରେ ଧିରେ ମସ୍ତିଷ୍କ ଗ୍ରାସି ।।
ବାଳୁତ ରୁ ବୃଦ୍ଧ ପ୍ରତ୍ୟୁଷୁ ପ୍ରଦୋଷ
ତା’ ସହିତ ଲାଖି ମିଶେଇ ଆଖି,
ମାୟା କଳ୍ପେ ଝୁଲି ହୋଇ ବାଉଳି
ଜୀବନର ନାମ ଅଳ୍ପାୟୁ ରଖି ।।
ଭୁଲି ଭୋକଶୋଷ ନିଦ୍ରା ଦେହଯତ୍ନ
ମୋବାଇଲ ଫର୍ଦ୍ଦରେ ଜୀବନ ଚୁକ୍ତି,
ଶିଶୁ ଭବିଷ୍ୟତ ମୋବାଇଲ ଗହ୍ୱରେ
ମୋବାଇଲ ଜଗତୁ ଦିଆଯାଉ ମୁକ୍ତି ।।
ମୁଦା ନେତ୍ର ମେଲ କରିଣ ଉନ୍ମୁକ୍ତ
ମାୟା ଛାୟା ଯାଉ ଏବେ ଅପସରି,
ପୂରୁବ ଦିଗରେ ଦେଖ ବାଳାରୁଣ
ହେବ କି ମୋବାଇଲ ତାଠାରୁ ସରି ।।
ବିମୁଗ୍ଧ ବିହଙ୍ଗ କାକଳିର ସ୍ୱନ
ବିଶ୍ୱ ମଧୁମୟ ଚର୍ଚ୍ଚରୀ ଯୋଗ,
ଝର୍ଝରୀ ଶବଦ କରେ ଆହ୍ଲାଦିତ
ପ୍ରକୃତିର ତୁଲ୍ୟ ସିଏ କି ହେବ ।।
ଏ ଜୀବନ ଚୋରାବାଲି ହେ ମାନବ
ବୁଝିଯାଅ ସର୍ବେ ବେଳ ଥାଉଁ ଥାଉଁ,
ଆତ୍ମୀୟ ସ୍ବଜନ ନପାଆନ୍ତୁ କ୍ଷଣ
ମୋବାଇଲ ନିଶାର ବର୍ଜନ ହେଉ ।।
ଉର୍ମିଳା ଗଉଡ଼,
କଳାହାଣ୍ଡି
God bless you dear❤
ବାଃ…! ସୁନ୍ଦର ପ୍ରୟାସ କବିତା ମାଧ୍ୟମରେ ♥️
.
ଏ କବିତା ନିଶ୍ଚୟ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ
ଅନେକ ଅନେକ ଶୁଭେଚ୍ଛା ଭଉଣୀ