ପୂଜା ଆଉ ଲୋଡା ନାହିଁ ✍️
********************
ସଜାଅ ନା ମତେ
ପୂଜା ମଣ୍ଡପରେ
ସୁନା ଅଳଙ୍କାର ଦେଇ ,
ନବଦିନ ଧରି
କରନି ଅର୍ଚ୍ଚନା
ଉପବାସ ରୁହ ନାହିଁ।
ଆରାଧନା ମତେ
କରନାହିଁ ଆଉ
ପାପୀର ବିନାଶ ପାଇଁ,
କାହାକୁ ଆଉ ମୁଁ
କରିବି ସଂହାର
ପାପରେ ପୁରିଛି ମହୀ।
ମାଆ ବୋଲି ମତେ
କରୁଅଛ ପୂଜା
ଘରେ ମାଆ କାନ୍ଦୁଥାଇ,
ଫଳ ମୂଳ ଦିଅ
ମୋ ପାଖରେ ଭୋଗ
ସିଏ ଖାଇବାକୁ ପାରେନାହିଁ।
ନୂଆ ବସ୍ତ୍ର ଦିଅ
ମୋ ଦେହେ ସଜେଇ
କର କା ବସ୍ତ୍ର ହରଣ,
ଯା ଦେହ ସାଥିରେ
ଖେଳୁଛ ପାପିଷ୍ଠ
ସିଏ ତୋ ଜନ୍ମ କାରଣ ।
ବିପଦ ଆସିଲେ
ଦୂର କରିବାକୁ
ପଶୁଛୁ ମୋର ଶରଣ,
ସେଇ ନାରୀ ମୋର
ଆଉ ଏକ ଅଂଶ
ସାଜୁ ତା ମୃତ୍ୟୁ କାରଣ ।
ଆଉ ଲୋଡା ନାହିଁ
ଏ ମିଛ ନାଟକ
ଲୋକ ଦେଖାଣିଆ ପୂଜା,
ନାରୀ କୁ ସମ୍ମାନ
ରଖ ତାର ମାନ
ଉଡିବ କିରତୀ ଧ୍ୱଜା ।
ମମତା ବାରିକ୍
ଭଦ୍ରକ
ଖୁବ ସୁନ୍ଦର… ଭଗବାନ ମଙ୍ଗଳ କରନ୍ତୁ
ବାଃ…! କବିତାର ପ୍ରତିଟି ଧାଡ଼ି ଛୁଇଁଲା ଭଉଣୀ
.
ଆବୃତ୍ତି ଶୈଳୀରେ ବିପ୍ଲବୀର ସ୍ୱର ଶୁଭିଲା
ଶୁଭେଚ୍ଛା