ସକାଳର ଅର୍ଘ୍ୟ
ହେ ବିଶ୍ଵପିତା ଘେନ ନିବେଦନ
ହୃଦୟରୁ ଆଜି କହେ,
ମଣିଷଟେ କରି ପଠେଇଲ ମତେ
ମୁଁ କିନ୍ତୁ ମଣିଷ ନୁହେଁ l
ମୋ’ରି ମାଧ୍ୟମେ ବିଶ୍ୱର ମଙ୍ଗଳ
ହେଉବୋଲି ତୁମେ ଚାହଁ,
ପାଶୋରୀ ଦେଇଛି ତୁମରି ଇଛାକୁ
ଆଚ୍ଛନ୍ନ କରିଛି ମୋହ l
ପଞ୍ଚଭୂତେ ଗଢ଼ା ଶରୀର ଟି ମୋର
ପଞ୍ଚଭୂତେ ହେବ ଲୀନ,
ସଜେଇ ଦେହକୁ ହୁଏ କେତେଖୁସି
ମିଥ୍ୟାକର୍ମେ ବ୍ରତୀମନ l
କେତେପୁଣ୍ୟ କଲି କେତେ ପାପକଲି
ଗୁଣୁଛ ହରୁଛ ତୁମେ,
ମଣିଷ ଦେହଟି ପାଇଅଛି ସିନା
ପଡିଅଛି ଲୋଭଭ୍ରମେ l
ନାହିଁ ମୋ ବିବେକ ଭାରି ଅଵିଵେକୀ
ମୁଁ ରେ ରହିଛି ବୁଡି,
ପଞ୍ଚ ଇନ୍ଦ୍ରିୟ ମୋ ଅବାଟେ ଧାବନ୍ତି
ସତ୍ୟ,ଧର୍ମ ପଥଛାଡି l
ଆତ୍ମ ଅଭିମାନ ନେଇଯାଏ ମତେ
ପଶୁର ପ୍ରକୃତି ପଥେ,
ନିଜେ ମୁଁ ବଞ୍ଚିବି କିଏ ମରିଯାଉ
ମୋର ଯାଏ ଆସେ କେତେ?
ଏସବୁକୁ ଦେଖି ଦୁଃଖ କରୁଥିବ
କହୁଥିବ ମନେ ମନେ,
ଯାହା ଯାହାକରୁ ସବୁ ମୁଁ ଦେଖୁଛି
ଆସିବୁ ଫେରି ତୁ ଦିନେ l
ଆଉତତେ କେବେ ମଣିଷ ଜନମ
ଦେବିନାହିଁ ମନେରଖ,
ପଶୁମେଳେ ଜନ୍ମି ଭ୍ରମିବୁ ସଂସାରେ
ପଶୁ ସ୍ଵଭାବରୁ ମୂର୍ଖ l
ସୁରାପାନେ ମତ୍ତ ଭୁଲୁ ହିତାହିତ
ପଶୁଠାରୁ ଗଲୁବଳି,
ଲାଞ୍ଚ,ମିଛ ଅସ୍ତ୍ରେ ସମାଜ ଲୁଟିଲୁ
କର୍ମକରୁ ପଶୁଭଳି l
ଦେଇଥିଲି ମନ, ହୃଦୟ ବିବେକ
ଭଲଚିନ୍ତା କଲୁନାହିଁ,
ମନ୍ଦପଥେ ଯାଇ କି ଲାଭ ପାଇଲୁ
ମଣିଷ ଜନମ ପାଇ l
ଅନ୍ୟକୁ ଠକିଲୁ ମତେ ଭୁଲିଗଲୁ
ଭାବିଛୁ ତୁ ଚିରଦିନ,
ରହିବୁ ସଂସାରେ ଅମରତ୍ୱ ପାଇ
ଲୁଟିବୁ ତୁ ପରଧନ l
ପୁଣ୍ୟତୋର ଦେହ ପୁଣ୍ୟ ତୋ ହୃଦୟ
ଯେଉଁଠାରେ ବ୍ରହ୍ମ ସ୍ଥାନ,
ଛାଡରେ ଆତ୍ମନ କୁଗୁଣ ଚାତୁରୀ
ଛାଡ଼ ମିଥ୍ୟା ଅଭିମାନ l
ଦିବ୍ୟ ଚିନ୍ତନରେ ଦିବ୍ୟଜ୍ଞାନ ପାଇଁ
ପ୍ରଯତ୍ନ କରିବୁ ଯେବେ,
ମଣିଷ ଜନମ ସଫଳ ହୋଇବ
ଫେରିବୁ ଖୁସିରେ ତେବେ ।
ସୁଜାତା ରାଉତ,
ଓରାସାହି, ଚାନ୍ଦବାଲି ,
ଭଦ୍ରକ