May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି*

ସୋପାନ – କ
☆☆☆☆☆

ଶୀର୍ଷକ -: ” ବାତ୍ସଲ୍ୟ ପ୍ରେମ”
°°°°°°°°°°°°°~°°°°°°°°°

ଓଡ଼ିଆ ସାହିତ୍ୟ ଆକାଶର ଧ୍ରୁବ ତାରା ତୁଲ୍ୟ ରୀତି ଯୁଗୀୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରସଙ୍ଗ ଉପସ୍ଥାପନ ନ କଲେ ଓଡ଼ିଆ ସାହିତ୍ୟର ମଧ୍ୟପର୍ବର ଆଲୋଚନା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ।କବିଙ୍କର ଜନ୍ମ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ ୧୭୬୦ ମସିହା ଫେବୃଆରୀ ମାସ ୨୩ ତାରିଖରେ।ମାତ୍ର ତାଙ୍କର ପୂର୍ବ ପୁରୁଷ ଉତ୍କଳୀୟ ନଥିଲେ ଏବଂ ସେମାନେ ରାଜସ୍ଥାନ ରାଜ୍ୟର ଜୟପୁରସ୍ଥିତ ଭାବନଗରରୁ ଆସିଥିଲେ ବୋଲି ବିଭିନ୍ନ ଲେଖାରୁ ପ୍ରମାଣ ମିଳେ।କବିଙ୍କର ପିତାଙ୍କର ନାମ ଥିଲା ଇନ୍ଦ୍ରଜିତ ସାମନ୍ତ ସିଂହାର ଏବଂ ମାତା ଥିଲେ ତୁଳସୀ ଦେବୀ। ମାଆ ଅତ୍ୟନ୍ତ ଧର୍ମ ପରାୟଣା ଥିଲେ।ଇନ୍ଦ୍ରଜିତ ସାମନ୍ତ ସିଂହାର ଥିଲେ ଅତ୍ୟନ୍ତ ବଳଶାଳୀ।କବି ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ରଚନା କରିଥିଲେ ‘ପ୍ରେମ ଚିନ୍ତାମଣି’,’ପ୍ରେମକଳା’,’ରସବତୀ’ଓ ‘ସୁଲକ୍ଷଣା’ ପରି ପ୍ରସିଦ୍ଧ କାବ୍ୟମାନ।

ମଣିଷର ଜୀବନ ଆରମ୍ଭ ହୁଏ ଯାହାଠାରୁ, ସେ ମାଆ। ମାଆଙ୍କ କଥା ମନକୁ ଆସିଲେ ମନେ ପଡ଼ନ୍ତି ଯଶୋଦା ମାଆ। ଜନ୍ମଦାତ୍ରୀ ନ ହୋଇ ମଧ୍ୟ ଯେଉଁ ବାତ୍ସଲ୍ୟ ମମତା ମାଆ ଶ୍ରୀ କୃଷ୍ଣଙ୍କୁ ଦେଇଛନ୍ତି ତାହା ଅବର୍ଣ୍ଣନୀୟ।ସନ୍ତାନ ଓ ମାଆଙ୍କର ସ୍ନେହ କଥା ପଡିଲେ ମନରେ ଉଙ୍କି ମାରେ ଏକ ଉକ୍ତି-:

“ଆମରି ପାଦରେ ଫୁଟିଗଲେ କଣ୍ଟା
ଯାଏ ତା ଠାରୁ ରକତ ଝରି
ବିନା ଦ୍ବିଧାରେ ସହିଥାଏ ଯିଏ
ଆମ ପ୍ରତିଟି ଅଳି ଅର୍ଦ୍ଦଳି।।”

ଏମିତି ହୋଇଥାଏ ସଂପର୍କ ଯେ,ସନ୍ତାନକୁ ଆଘାତ ଲାଗିଲେ ମାଆ ପାଅନ୍ତି କଷ୍ଟ।ଯଶୋଦାଙ୍କ ହୃଦୟର ଏମିତି ପୁତ୍ରସ୍ନେହ-ପ୍ରେମକୁ ବର୍ଣ୍ଣନା କରିଛନ୍ତି ବିଦଗ୍ଧ କବି ତାଙ୍କ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ସତଷଠି ତମ ଛାନ୍ଦରେ।ଶ୍ରୀକୃଷ୍ଣଙ୍କ ବର୍ଣ୍ଣ ଶ୍ୟାମଳ ଥିବାରୁ ଏବଂ ମାଆ ତାଙ୍କୁ ନିଜର ସର୍ବଶ୍ରେଷ୍ଠ ସମ୍ପତ୍ତି ବୋଲି ମାନୁଥିବାରୁ ଏହି କବିତାର ଶୀର୍ଷକ ‘କଳା ମାଣିକରେ’।ବାଳୁତ କୃଷ୍ଣ ନିତିଦିନିଆ ଗୋରୁପଲ ଧରି ବଣକୁ ଯାଇଛନ୍ତି।ହେଲେ ଫେରିବାର ନିର୍ଦ୍ଧାରିତ ସମୟ ଅତିକ୍ରମ ହୋଇ ସଞ୍ଜ ଗଡି ଯାଇଥିଲେ ମଧ୍ୟ ଘରକୁ ଫେରି ଆସି ପାରି ନାହାନ୍ତି। ଏଣୁ ଭୟ ଓ ବ୍ୟସ୍ତ ଭିତରେ ବିବ୍ରତ ହୋଇ ବିଳାପି ଉଠିଛି ମାଆଙ୍କର ହୃଦୟ।ଏବଂ ଏହି ବାତ୍ସଲ୍ୟପ୍ରେମୀ ହୃଦୟର ଆବେଗ ହୋଇଛି କବିଙ୍କ ଲେଖନୀ ନିଃସୃତ।

ପ୍ରଥମ ପଦରେ ପଣ୍ଡିତ ଗଣଙ୍କୁ ଶୁଣିବା ନିମନ୍ତେ ସମ୍ବୋଧନ କରି ଶ୍ରୀ କୃଷ୍ଣଙ୍କ ବଣରୁ ଫେରିବାକୁ ହୋଇଥିବା ବିଳମ୍ବ କିପରି ମା ଯଶୋଦାଙ୍କ ଚିନ୍ତାକୁ ବଢ଼ାଇଛି ତାହା କବି ଆଲୋଚନା କରିଛନ୍ତି।ସେ ସମୟରେ ଗୋପପୁରରେ ଆଜିକା ଭଳି ଶ୍ରମିକ ଗୋଷ୍ଠୀ ଆଉ ଶାସକ ଗୋଷ୍ଠୀ ନଥିଲେ।ରାଜା ମଧ୍ୟ ବିଳାସ ବ୍ୟସନରେ ବ୍ୟସ୍ତ ନରହି ନିଜ ଜୀବନଧାରଣ ପାଇଁ ପ୍ରଜାଙ୍କ ଭଳି ପରିଶ୍ରମ କରୁଥିଲେ। ମାତା ଯଶୋଦା ଏଠି ନିଜକୁ ଦରିଦ୍ର କହି ଏକମାତ୍ର ପୁତ୍ର ଶ୍ରୀ କୃଷ୍ଣଙ୍କୁ କରିଛନ୍ତି ତାଙ୍କ ଶ୍ରେଷ୍ଠ ସମ୍ପତ୍ତି,ନିଜ ଗଳାର ରତ୍ନହାର।ଯେପରି ବାଡ଼ିଟିଏ ଅନ୍ଧ ଲୋକର ଜୀବନର ଏକାନ୍ତ ଅପରିହାର୍ଯ୍ୟ ଅଙ୍ଗ,ସେମିତି ହିଁ ଅପରିହାର୍ଯ୍ୟ ଶ୍ରୀ କୃଷ୍ଣ ମାଆଙ୍କ ପାଇଁ।

ଶ୍ରୀ କୃଷ୍ଣ ହିଁ ମାତାଙ୍କ ‘ଜୀବର ଜୀବନ’ ଅର୍ଥାତ୍ ବଞ୍ଚିବାର ଏକମାତ୍ର ସାହାରା।ଏହାକୁ ହୃଦୟଙ୍ଗମ କରି କବି ଲେଖିଛନ୍ତି -:

“ମୋ ଜୀବ ଜୀବନ ତୁହି ଦରିଦ୍ର ପସରା
ତତେ କି ପାସୋରି ହେବ ହୃଦ ରତ୍ନହାରା, କଳା ମାଣିକରେ!”

ଯେମିତି ହୃଦୟ ଭୁଲିପାରିବନି ସ୍ପନ୍ଦନକୁ,ସେହିଭଳି ମାଆ ମଧ୍ୟ ପୁଅକୁ ଦଣ୍ଡେ ପାସୋରିବା ଅସମ୍ଭବ।କାରଣ ମାଆଙ୍କର ଖୁସିର ସୀମା ପୁତ୍ର ପର୍ଯ୍ୟନ୍ତ ହିଁ ପରିବ୍ୟାପ୍ତ। ମାଆ ମନେ ପକେଇଛନ୍ତି ଅନ୍ଧାରକୁ ଖୁବ୍ ଡରନ୍ତି ପୁଅ କଳାକାହ୍ନୁ।ତେଣୁ ପୁତ୍ରଙ୍କୁ ସୁମରଣା କରି ମା କହୁଛନ୍ତି ଯେ,”ଯଦି ଅନ୍ଧାରକୁ ତୁ ଏତେ ଡରୁ ତେବେ ଏତେବେଳ ଯାଏଁ ବଣରୁ ଫେରି ନ ଆସି କଣ ପାଇଁ ବାପା ମାଆଙ୍କର ସୁଖକୁ ଚିନ୍ତାରେ ବଦଳାଉଛୁ?”

ବିଳମ୍ବରେ ଆସିଥିବା ଜିନିଷ ପ୍ରତି ଥାଏ ଆବଶ୍ୟକତା ଠାରୁ ବେଶୀ ଲୋଭ।ଯେହେତୁ ବିବାହର ପରେ ବହୁ ଡେରିରେ ନନ୍ଦ-ଯଶୋଦାଙ୍କ କୋଳକୁ ଆସିଥିଲେ କାହ୍ନା ତେଣୁ ମାଆଙ୍କର ତାଙ୍କ ପ୍ରତି ଥିଲା ମାତ୍ରାଧିକ ଭଲ ପାଇବା।ସେ ପୁଣି ତୁଳନା କରିଛନ୍ତି ତାଙ୍କର ଏକୋଇର ବଳା ବିଶିକେଶନଙ୍କୁ ଚନ୍ଦନ ସହିତ।କାରଣ ଏକମାତ୍ର ସେ ହିଁ ତ ଶାନ୍ତ କରିପାରନ୍ତି ତାଙ୍କ ହୃଦୟର ଦୁଃଖ ବେଦନା ରୂପୀ ଜ୍ୱାଳାକୁ।

ମାଆ ମନେ ପକାନ୍ତି ପୁଣି ପୁଅର ଅଳି ଅଝଟକୁ।ସ୍ନେହରେ ତିଆରି କରିଥିବା ରାବିଡି,ସର, ପେଡା ଇତ୍ୟାଦି ନ ଖାଇ ଶ୍ରୀକୃଷ୍ଣ ଗୋଡ଼କୁ କଚାଡ଼ି ଲାଞ୍ଚ ଭାବରେ ଜିଦ୍ କରି ମାଗନ୍ତି ଲବଣୀ।ଆଉ ଏହି ଗୋଡ଼ କଚାଡ଼ିବା ଦୃଶ୍ୟ ସ୍ନେହମୟୀ ମାଙ୍କୁ ଦେଖା ଯାଏ ନାଚିବା ପରି।ଆଉ ପୁଲକିତ ହୋଇ ଉଠନ୍ତି ମାଆ ଏଇ ଅନୁଭୂତିକୁ ନେଇ। ମାଆ ଯେତେବେଳେ କୋଳେଇଧରନ୍ତି ନନ୍ଦସୁତଙ୍କୁ ସତେ ଅବା ଲାଗେ ତାଙ୍କୁ ପୁଅ ମୋର ଏତେ ଦୁର୍ବଳ ଯେ ସେ ହାତକୁ ଲାଗୁନାହିଁ।ଏବଂ ଏହି ଦୁର୍ବଳ ଶରୀରକୁ ଦେଖି ମାଆ କହିଛନ୍ତି -:

“ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି
ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ, କଳା ମାଣିକରେ!”

ସାରା ଗୋପପୁର ଦେଖିଛି ପୂର୍ବରୁ ବକାସୁର,ଧେନୁକାସୁର,ପୂତନା,ଶକଟାସୁର,ବତ୍ସାସୁର,ଅର୍ଘାସୁର ଇତ୍ୟାଦି କାହ୍ନାଙ୍କୁ ଲୋଭ କରି ଟାଣି ହୋଇ ଆସିଛନ୍ତି ଗୋପକୁ।ଏହି ଡରରେ ସେ କହ୍ନେଇଙ୍କୁ ବଣକୁ ଛାଡ଼ିବା ପାଇଁ ବି ବାରମ୍ବାର ମନା କରନ୍ତି ଏବଂ ଆଜି ଶ୍ରୀ କୃଷ୍ଣଙ୍କର ବିଳମ୍ବ ଆହୁରି ଘନୀଭୂତ କରିଛି ମାଆଙ୍କ ମନର ଭୟକୁ।ଏହାକୁ ପରି ପ୍ରକାଶ କରି କବି ଲେଖିଛନ୍ତି-:

“ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ
ବାର ବାର ବାରୁଥାଇ ଯିବା ପାଇଁ ବନେ, କଳା ମାଣିକରେ!”

ଆହୁରି ପୁଣି ମାତାଙ୍କ କାନରେ ବାଜୁଛି ନିଶାଚର ଅର୍ଥାତ୍ ଭୂତ ପିଶାଚ ବା ରାତିରେ ବୁଲୁଥିବା ପ୍ରାଣୀଙ୍କର ସ୍ୱର। କାଳେ ପୁଅ ସେଥିନିମନ୍ତେ କିଛି ଅସୁବିଧାରେ ପଡ଼ିବ ତେଣୁ ମାଆ ସବୁ ଅସୁବିଧା ପାଇଁ ନିଜକୁ ଦାୟୀ କରି ଧିକ୍କାର କରିଛନ୍ତି ନିଜକୁ ଡାହାଣୀର ଆଖ୍ୟା ଦେଇ।ଦିନବେଳେ ଝାଞ୍ଜିଖରାରେ ଝାଳବୋହି ହାଲିଆ ହୋଇ ପୁଅ ଯାଇ ବସିଥିବେ ଗଛ ମୂଳରେ।ପୁଣି ଆଜି କଳାକହ୍ନେଇ ବିସ୍ମରି ଯାଇଛନ୍ତି ତାଙ୍କର କଠଉ ଏବଂ ଛତା ନେବାକୁ। କାଳେ କୋମଳ ପାଦରେ କଣ୍ଟା ଫୁଟି ରକ୍ତ ଝରାଉଥିବ ଏହା ପୁଣି ମାଆଙ୍କର ଚିନ୍ତା ବଢାଇଛି।ପରିଶେଷରେ କବି କହିଛନ୍ତି ମାଆ ସବୁବେଳେ କାନେଇ ବସିଥାନ୍ତି ପୁଅର ବଂଶୀର ସ୍ଵରକୁ। ସେ ମନମୋହକ ସୁର ଯେତେ ପାଖେଇ ଆସେ ମାଆ ପାଆନ୍ତି ପୁଅର ଆଗମନର ଆଭାସ।କିନ୍ତୁ ଆଜି ଯେତେ କାନେଇଲେ ବି ଶୁଭୁନାହିଁ ସେ ସ୍ୱର।ତେଣୁ ପୁତ୍ରର ଚିନ୍ତାରେ ମାଆ ହୋଇପଡିଛନ୍ତି ବିଚଳିତ।

ପ୍ରକୃତରେ କବିଙ୍କର ଏହି ଆଲେଖ୍ୟ ‘କଳା ମାଣିକରେ’ ରେ ଆଜିର ସମାଜ ପାଇଁ ଲୁଚି ରହିଛି ଏକ ସୁନ୍ଦର ବାର୍ତ୍ତା।ଆଜିକାଲିର ଶିକ୍ଷିତ ବାପା ମାଆମାନେ ନିଜ ସୁଖ ସୌଖିନରେ ବା କର୍ମରେ ଏତେ ବ୍ୟସ୍ତ ଯେ ତାଙ୍କ ଛୁଆଟି କେତେବେଳେ କ’ଣ ଭାବୁଛି,କରୁଛି ତାହାର କିଞ୍ଚିତ ଆଭାସ ବି ନାହିଁ।ତେଣୁ ପିଲାଟିର ମଧ୍ୟ ଆବଶ୍ୟକ ପରିମାଣର ଶ୍ରଦ୍ଧା ରହୁନାହିଁ ନିଜ ପିତାମାତାଙ୍କ ପ୍ରତି।ଏହି କବିତାଟିରେ ମାଆ ଯଶୋଦାଙ୍କର ପୁତ୍ରପ୍ରେମ ବେଶ୍ ପ୍ରଶଂସାଯୋଗ୍ୟ। ସାମ୍ପ୍ରତିକ ମାଆ ମାନେ ମା’ ଯଶୋଦାଙ୍କର ବାତ୍ସଲ୍ୟ ପ୍ରେମରେ ଉଦବୁଦ୍ଧ ହୋଇ ସନ୍ତାନକୁ ଉଚିତ୍ ସ୍ନେହ ଦେଲେ ତାଙ୍କ ସନ୍ତାନ ବି ଦିନେ ନିଶ୍ଚିତ କହି ଉଠିବେ-: “ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ।।”

” ସରଘା ପରାଏ ଅଳ୍ପବୁଦ୍ଧି ଶକ୍ତିହୀନ
ସଂସାରେ କେବଳ ମଧୁକୋଷ କିର୍ତ୍ତୀଘେନ।।”

ବାସ୍ତବରେ ଜଣେ ପଣ୍ଡିତଙ୍କ ପାଣ୍ଡିତ୍ୟକୁ ପ୍ରତିପାଦନ କରେ ତାଙ୍କର ବିନମ୍ରୀ ଗୁଣ।ନିଜର ମସ୍ତିଷ୍କ ରୂପକ ମହୁଫେଣାରେ ଉଚ୍ଚକୋଟୀର ବୁଦ୍ଧି,ରୀତି ବୋଧ,କୃତିତ୍ୱ ଏବଂ ବିଗବତ୍ତା ଭରି ରହିଥିଲେ ମଧ୍ୟ ନିଜକୁ ଅଳ୍ପବୁଦ୍ଧି ମାନି କବି ଲେଖିଥିବା ଏହି ଉକ୍ତିଟି କବିଙ୍କର ପ୍ରକୃତ କବିତ୍ୱର ପରିଚୟ ଦେଇଥାଏ।ଏମିତି ବୈଷ୍ଣବ ପ୍ରେମର ଭକ୍ତିରେ ଭିଜି ଅନେକ ସାହିତ୍ୟ କୃତି ସୃଷ୍ଟି କରି କବି ୧୮୦୬ ମସିହା ଜୁନ ମାସ ୫ ତାରିଖରେ ଧରାପୃଷ୍ଠରୁ ବିଦାୟ ନେଲେ ସିନା,ହେଲେ ସାହିତ୍ୟ ଆକାଶରେ ବିଚ୍ଛୁରଣ କରି ଯାଇଥିଲେ ତାଙ୍କର ରକ୍ତିମ ଆଭା।

ମୁଁ ନବ ପ୍ରତିଭା,ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,୨୦୨୩-
ନାମ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଠିକଣା-କଟକ,ବାଙ୍କୀ,ଡମପଡ଼ା

*** *** ***

ସୋପାନ -‘ଖ’
☆☆☆☆☆

ଶୀର୍ଷକ -: “ଶାନ୍ତିର ସନ୍ଧାନରେ ପ୍ରତ୍ୟାବର୍ତ୍ତନ”
¤¤¤¤¤¤¤¤¤¤¤¤¤¤¤¤¤¤¤¤

ବର୍ତ୍ତମାନର ଓଡ଼ିଆ ସାହିତ୍ୟ ଆକାଶରେ କବି ଆର୍ତ୍ତତ୍ରାଣ ପାଣିଗ୍ରାହୀ ଜଣେ ଶ୍ରେଷ୍ଠ ସତୀର୍ଥ।କବିଙ୍କର ଜନ୍ମ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ।ସେ କେବଳ ଜଣେ କବି ନୁହନ୍ତି,ଏକାଧାରରେ ସେ ଜଣେ ସାମ୍ବାଦିକ,ସମାଜସେବୀ,ନିତିଦିନିଆ ଓଡ଼ିଆ ଖବର କାଗଜ ଓଡ଼ିଶା ଏକ୍ସପ୍ରେସର ସମ୍ବାଦଦାତା ଏବଂ କଳାହାଣ୍ଡି ଦ୍ୱିଭାଷିକ ଖବର କାଗଜ କଳାହୀରାର ସେ ପ୍ରକାଶକ ଓ ସମ୍ପାଦକ।ବର୍ତ୍ତମାନ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ପାଣି ତାଳଚେର ସାମ୍ବାଦିକ ସଂଘର ସଭାପତି ରୂପେ କାର୍ଯ୍ୟରତ।ସାଂପ୍ରତିକ ସମାଜପାଇଁ ସଚେତନଧର୍ମୀ ହେଉ ଅବା ଅନ୍ୟାୟ ଅନୀତି ବିରୁଦ୍ଧରେ କବି ଲେଖନ୍ତି ଅନେକ ଅନୁଚ୍ଛେଦ ଏବଂ ତାହା ମଣ୍ତନ କରେ ଖବର କାଗଜର ପୃଷ୍ଠା।ସମାଜର ଚତୁର୍ଥ ସ୍ତମ୍ଭରେ ନିଜକୁ ସାମିଲ କରିଥିବା ଏବଂ ସମାଜ ସେବାରେ ନିଜ ଜୀବନକୁ ବ୍ରତୀ କରିଥିବା ଜଣେ ଅନନ୍ୟ ସାମ୍ବାଦିକ ରୂପେ ଖ୍ୟାତି ରହିଛି କବିଙ୍କର।କବି ଭଲ ପାଆନ୍ତି ମଣିଷ ପଣିଆକୁ ଆଉ ସର୍ବଦା ସମାଜର ହିତରେ ତାଙ୍କର ମନ ଓ ହୃଦୟ ସମର୍ପିତ। କବି କୁହନ୍ତି -:

“ଦୁସ୍ଥ ପରାଣରେ ହସଟିଏ ଲେଖି
ସରିଯିବ ଯେବେ ଦିନ
ସାଫଲ୍ୟ ମଣିବି ନିଜକୁ ହେ,ନାଥ
ଧନ୍ୟ ହେବ ଏ ଜୀବନ।।”

କବିଙ୍କର ଲେଖା ଭିତରେ ଉହ୍ୟ ଭାବରେ ଥାଏ ମାନବିକତାର ଉଦ୍ରେକ ପାଇଁ ଆକୁଳ ଆବେଦନ।ବର୍ତ୍ତମାନ ଯୁଗରେ ବିକାଶ ନାଁରେ ହେଉଥିବା ବ୍ୟଭିଚାରକୁ ଦେଖି ବିଳପି ଉଠିଛି କବିଙ୍କର ଦରଦୀ ହୃଦୟ।ତେଣୁ କବି ତାଙ୍କର ଏହି କବିତା ‘ମଣିଷ’ ମାଧ୍ୟମରେ ଆହ୍ଵାନ ଦେଇଛନ୍ତି ସମୟକୁ କିଛି ଦଶନ୍ଧି ପଛକୁ ଫେରାଇ ନେବାକୁ।ଯେଉଁଠି ମଣିଷକୁ କବଳିତ କରି ରଖିଥିଲା ସରଳତା।ଆସନ୍ତୁ ଆଲୋଚନା କରିବା କବିଙ୍କର ବିଚାରଧାରାକୁ ତାଙ୍କର ଏହି କବିତାର ପ୍ରତିଟି ପଦରେ।

ପ୍ରଥମ ପଦଟିରେ କବି ମଣିଷକୁ କହିଛନ୍ତି କିଛି ବର୍ଷ ପଛକୁ ଫେରିଯିବାକୁ ଯେଉଁଠି ମୋବାଇଲରୁ ଚାର୍ଜ ସରିଲେ ରାତି ଆଉ ମଧ୍ୟାହ୍ନ ବାରଟାରେ ଦିନ ନୁହେଁ, ସୂରୁଜ ବୁଡ଼ିଲେ ରାତି ଆଉ ସୂରୁଜ ଉଇଁଲେ ହେଉଥିଲା ଦିନ।ସେ ଯୁଗରେ ନଥିଲା ଏ ଆଧୁନିକ ଉଜ୍ଜଳ ଆଲୁଅ,ତଥାପି ବହଳ ଅନ୍ଧକାର ଭିତରେ ବି ହସୁଥିଲେ ଆକାଶରେ ଫୁଲ ସଦୃଶ ଫୁଟି ଉଠିଥିବା ତାରା ଫୁଲ ଆଉ ମଣିଷ ଶାନ୍ତିର ନିଃଶ୍ୱାସ ନେଉଥିଲା ଝାପସା ଡିବିରି ଆଉ ଲଣ୍ଠନ ଆଲୁଅରେ।କିନ୍ତୁ ଆଜି ତୋଫା ସି.ଏଫ୍.ଏଲ.ର ଆଲୁଅ ବି ବୋଳୁଛି ବହଳ ଅନ୍ଧକାର ମଣିଷ ଜୀବନରେ।

ଦ୍ଵିତୀୟ ଓ ତୃତୀୟ ପଦରେ କବି ଆଲୋଚନା କରିଛନ୍ତି ବଦଳିଥିବା ପ୍ରକୃତି ଓ ମଣିଷର ସମ୍ପର୍କ ବିଷୟରେ।ସେ ଯୁଗର ମଣିଷ ପୂଜା କରୁଥିଲା ପ୍ରକୃତିକୁ।ଯୋଡ଼ିଥିଲା ପୁଣି ସମ୍ପର୍କ ପ୍ରାକୃତିକ ଉପାଦାନକୁ ସମ୍ପର୍କୀୟ କରି। ଏଇ ଯେମିତି ଜହ୍ନ ମାମୁଁ,ତାରା ମାଉସୀ…।ହେଲେ ଆମେ ପ୍ରକୃତି ସହ ଆମ ସମ୍ପର୍କକୁ ଭୁଲି ଆମକୁ ବଞ୍ଚିବାର ରାହା ଯୋଗାଉଥିବା ଗଛକୁ କାଟି ତାର ହତ୍ୟା କରିବାକୁ ମଧ୍ୟ ପଛେଇଲୁ ନାହିଁ। ମଣିଷ ସାଜିଲା ଏଠି ବିଶ୍ୱାସ ଘାତକ।ସବୁ ଜିନିଷରେ କରୁଥିବା ଭେଜାଲର ନା ପୁଣି ଦେଲା ବିକାଶ ।ହେଲେ ସେହି ବିକାଶ ହିଁ ତାକୁ ତାର ପ୍ରକୃତ ସ୍ତର ଦେଖାଇଥିଲା କରୋନା ସମୟରେ ଯେତେବେଳେ ନିଃଶ୍ୱାସ ଟିକେ ପାଇଁ ଚାଲିଥିଲା କିଣା ବିକା ଆଉ କାନ୍ଧ ଭାରୀ ହୋଇଥିଲା ଅମ୍ଳଜାନ ଥଳିରେ।

ଏବେ ସବୁ ସମ୍ପର୍କ ସ୍ବାର୍ଥ ସରିଗଲା ପରେ ନିର୍ଜୀବ ବସ୍ତୁ ତୁଲ୍ୟ।ସ୍ବାର୍ଥ ସରିଗଲେ ପୁଅ ନେଇ ଛାଡ଼ି ଆସୁଛି ମାଆ ବାପାଙ୍କୁ ବୃଦ୍ଧାଶ୍ରମରେ,କେବେ ପୁଣି ଯୌବନଜ୍ଵାଳା ରୁ ସୃଷ୍ଟ ଅବୈଧ ସନ୍ତାନଟି ବଢୁଛି ଯାଇ ଅନାଥାଶ୍ରମରେ ତ ଆଉ କେବେ ପୁଣି ମୂଲ ମଜୁରୀ ଲାଗି ସ୍ବାମୀଟି ପାଠ ପଢ଼ାଇଥିବା ସ୍ତ୍ରୀ ଅଫିସର ହେଲା ପରେ ଧରି ନେଉଛି ଆଉ କାହା ହାତ।ସତେ ଯେମିତି ସ୍ୱାର୍ଥ ସାଜିଛି ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କ ଓ ସମ୍ପର୍କୀୟଙ୍କ ମଧ୍ୟରେ।

ମଣିଷ ଏବେ ପ୍ରଚେଷ୍ଟାରତ ଏକ ନୂତନ ପୃଥିବୀ ଗଢିବାରେ। ହଁ! ସେଇ ଏକ ଚାଟିଆ ଅଧିକାରୀ ହେବାର ପ୍ରଚେଷ୍ଟାରେ ହିଁ ସେ ବିଲୁପ୍ତ କରିଦେଲାଣି ନାନା ପଶୁପକ୍ଷୀଙ୍କ ପ୍ରଜାତିକୁ। ଏଇ ଯେମିତି ପୃଥିବୀ ବଦଳିଲା ଚାଳ ଘରୁ ଛାତ ଘରକୁ ଆଉ ଫୁର୍ ଫୁର୍ ହୋଇ ଉଡ଼ିଲେନି ଘର ଚଟିଆ।ତାଳଗଛ ଅଭାବରୁ ପୁଣି ଦେଖିବାକୁ ମିଳୁନାହିଁ ବାଇଚଢ଼େଇ ବସା ଆଉ ବିଲ ହୁଡ଼ାକୁ ଦାନ୍ତ ହାତ ଥିବା ଗାଡ଼ି ସମତୁଲ କରିଦେଲା ପରେ ଶୁଭୁନି ପୁଣି ‘ହୁକେ ହୋ’ ରଡ଼ି।

କବି ଭଲ ପାଆନ୍ତି ଗାଁ ଓ ଗ୍ରାମୀଣ ପରିବେଶକୁ।ସେଥିପାଇଁଲେଖନ୍ତି –

” ରିମିଝିମି ସୁରେ ଗୀତ ଗାଇ ଗାଇ
ଶ୍ରାବଣ ଛୁଇଁଲେ ଦେହ
ମୋ ଗାଁଆ ବତୁରା ମାଟିର ମହକ
ବାସି ଯାଏ ମହ ମହ।”

ହେଲେ ଗାଁ ପାହାଡ଼ ପର୍ବତର ସବୁଜିମା ଏବେ ଧୂସର ବର୍ଣ୍ଣ।ପାହାଡ଼ରେ ମନୁଷ୍ୟକୃତ ପଥରବନ୍ଧ ବେଡି ପକାଉଛି ଖୁସିରେ ନାଚିବୁଲୁଥିବା ନିର୍ଝରିଣୀର ପାଦରେ ଏବଂ ପ୍ରକୃତିକୁ ନଚାଉଛି ମଣିଷ ନିଜ ଇସାରାରେ।ଝରଣା ପୁଣି ମାଗୁଛି ଅନୁମତି ଏଠି ସାଗର ସହ ମିଶିବାକୁ।ଚାରିଆଡ଼େ ଏବେ ମାଟି ବଦଳରେ ସିମେଣ୍ଟ।ସେଥିପାଇଁ ବୋଧେ ଅସରାଏ ବର୍ଷାରେ ବୁଡ଼ିଯାଉଛି ସହରର ଆଭିଜାତ୍ୟ।

ଷଷ୍ଠ ପଦରେ କବି କହିଲେ, ଭଲ ପାଇବା ଏବେ ବଦଳି ଗଲାଣି ହିଂସ୍ରତାରେ।ସ୍ନେହର ଆଳରେ ଶରୀର ଲୋଭୀ ମନ ଖିନଭିନ କରି ଖାଇ ଯାଉଛି ଫୁଟି ଆସୁଥିବା ଫୁଲ କଢ଼ିଟିକୁ। ଇଜ୍ଜତ କଣ ଜାଣିବା ପୂର୍ବରୁ ଚରିତ୍ର ସଂହାର ହେଉଛି ୭/୮ ବର୍ଷର ଶିଶୁଟିର।କେବେ କୂଅ ଭିତରୁ ତ କେବେ ପୁଣି ଗଛର ଡାଳରୁ ମିଳୁଥିବା ଗଳିତ ମୃତଦେହ ଲେଖି ଯାଉଛି ଏମିତି ହୃଦୟ ବିଦାରକ କାହାଣୀ ସବୁ।

ଏମିତି ଉକୁଟି ଆସୁଥିବା ପଚାଗନ୍ଧ ସତରେ ଅଣନିଃଶ୍ବାସୀ କରୁଛି କବିଙ୍କ ହୃଦୟକୁ ଏବଂ କବି ମାଧ୍ୟମ କରିଛନ୍ତି ତାଙ୍କର ହୃଦୟକୁ,ସମାଜକୁ ସଚେତନ କରିବାକୁ।ଆଧୁନିକତାର ସୁଖ ବଦଳରେ କବି ଆତୁର ହେଉଛନ୍ତି ଆଦିମ ଯୁଗରେ ମିଳୁଥିବା ଶାନ୍ତି ଟିକେ ପାଇବାକୁ।ଫେରିବାକୁ ଚାହିଁଛନ୍ତି କବି ଆଈମା କାହାଣୀ ଯୁଗକୁ।ଯେଉଁଠାରେ ସମତଳ କଳା ମଚମଚ୍ ପିଚୁ ରାସ୍ତା ବଦଳରେ ଥାଉ ପଛେ ଖାଲ ଖମଣ ମାଟି ରାସ୍ତା,ଆଧୁନିକତାକୁ ଲୁଚାଇଦେଉ ପଛେ ପ୍ରାଚୀନତା ହେଲେ ଚାରିଆଡ ମହକୁଥିଲା ମାନବିକତା,ସ୍ନେହ ଆଉ ପ୍ରେମର ସୁଗନ୍ଧରେ।

ଏହି କବିତା ମାଧ୍ୟମରେ କବି ଆମର ଉନ୍ନତିକୁ ନିନ୍ଦା କରି ନାହାନ୍ତି ମାତ୍ର ବିକାଶ ନାମରେ ହେଉଥିବା ବ୍ୟଭିଚାରରେ ଅଣନିଃଶ୍ବାସୀ ହୋଇ ଉଠିଛନ୍ତି। କବି ନିଜକୁ ନିରବଚ୍ଛିନ୍ନ ଭାବରେ ସମାଜସେବାରେ ନିୟୋଜିତ କରି ରଖନ୍ତି।ତାଙ୍କର ଉଚ୍ଚ ଚିନ୍ତା ଓ ଚେତନା ଶକ୍ତି ପରିପୁଷ୍ଟ କରେ ତାଙ୍କର ଲେଖା ସବୁକୁ।ଏଣୁ ତାଙ୍କର କବିତାମାନ ଭିନ୍ନ ବାରି ହୋଇପଡେ ଅନ୍ୟମାନଙ୍କ ଲେଖାଠାରୁ। କବି ପୁଣି ପ୍ରେମ କବିତା ଲେଖିବାକୁ ଆଗ୍ରହ ରଖନ୍ତି।ନିଜର ପ୍ରେୟସୀଙ୍କୁ ଠିକଣା କରି ସେ ଲେଖନ୍ତି-:

“ତୃଷାର୍ତ୍ତ ହୃଦୟ ଉଷ୍ମତା ଓଠର
ଲେଖନୀରେ ଶବ୍ଦ ଧରି
ଲେଖୁଛି କବିତା ତୁମ ପାଇଁ ଆଜି
ଆସନ୍ତକି ପୁଣି ଫେରି ।।”

ସାଂପ୍ରତିକ ଯୁଗରେ ଅମାନବିକତାର କାଳିମା ବିକଶିତ ସମାଜର ପୃଷ୍ଠଭୂମିକୁ ଆଚ୍ଛାଦିତ କରି ରଖିଥିବା ବେଳେ,ପୂର୍ବର ସେ ସରଳ ଯୁଗକୁ ଫେରିଯାଇ ଏକ ଶାନ୍ତିର ଦୁନିଆ ଗଢ଼ିବାକୁ କବିଙ୍କର ଦରଦୀ ହୃଦୟର ଆହ୍ବାନ ବେଶ୍ ଗ୍ରହଣ ଯୋଗ୍ୟ।ଆମେ ଏହି ଆହ୍ଵାନରେ ସାମିଲ ହୋଇ ଚେଷ୍ଟା କଲେ ଗଢି ପାରିବା ଏକ ସୁନ୍ଦର ପୃଥିବୀ,ଯେଉଁଠି ସ୍ବାର୍ଥ ବଦଳିଥିବ ପରସ୍ପର ପ୍ରତି ସ୍ବାର୍ଥ ରହିତ ଭଲ ପାଇବାରେ ଆଉ ଥିବ ଜୀବେ ଦୟା।ନଥିବ ସେଇଠି କୌଣସି ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ଦିନର ଆଲୁଅ ସହିତ ରାତିର ଅନ୍ଧାର କଳୁଷିତ ହେଉନଥିବ ନାରୀର ଚିତ୍କାରରେ।ତେବେ ବିଳମ୍ବ ହେବା ପୂର୍ବରୁ -:

” ଚାଲ, ଫେରିଯିବା ଶାନ୍ତିର ଯୁଗକୁ
ଯେଉଁଠି ଥିବ ପ୍ରଶାନ୍ତି
ନିର୍ଦ୍ଵନ୍ଦେ ଶୋଇବା ପ୍ରକୃତିର କୋଳେ
ଆବୋରିବା ଜହ୍ନ ରାତି।।”

ମୁଁ ନବ ପ୍ରତିଭା,ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,୨୦୨୩-
ନାମ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି
ଠିକଣା-କଟକ,ବାଙ୍କୀ,ଡମପଡ଼ା

*** *** *** *** *** ***

Loading

3 thoughts on “*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି*

  1. Ati uchha kotira bhasa ku nei upasthapana ti bahut sundar heichi… Vagaban karantu amti lekha agaku jari rahu…

Leave a Reply

Your email address will not be published. Required fields are marked *