*ଶୀତ ଋତୁର ଗାଥା*
କି ସୁନ୍ଦର ଆହା କି ଆନନ୍ଦମୟ
ଶୀତ ଋତୁ ରୂପଶିରୀ
କଳ୍ପନା ରାଇଜେ ଛୁଇଁ ନପାରଇ
ଗାଇବାକୁ ମନଭରି ।
ଉତ୍ତରା ପବନ ଦେହକୁ ଲାଗଇ
ଶୀତର ଲହରୀ ମେଳେ
କପୋତୀର ନାହିଁ ବିରହର ଗୀତ
ବୃକ୍ଷ ଅଗଣାର ତଳେ ।
ଶୀତ ଆସିଅଛି ଶିଶିର ମୁକ୍ତାରେ
ନିର୍ଜନ ନିଶାର୍ଦ୍ଧ ସାଥେ
ନାନା ଜାତିପୁଷ୍ପ ମହକ ହେଉଛି
କୁଆଁରୀର ସ୍ୱପ୍ନ ପଥେ ।
ଶୀତ ଶୋଇ ଅଛି ସୋରିଷ କ୍ଷେତରେ
ପ୍ରଭାତର ସ୍ଵପ୍ନ ନେଇ
ବାଡ଼ି ବଗିଚାରେ କାକର ବିନ୍ଦୁରେ
ଫୁଲାଣିଆ ଗୀତ ଗାଇ ।
ଶୀତ କାବୁ କରେ ଗରୀବ ପ୍ରାଣକୁ
ଖଟିଖିଆ କୁଡ଼ିଆରେ
ଶୀତର ଲହରୀ ଉତ୍ତରା ପବନ
ଥିରି ଥିରି ଅଶାନ୍ତରେ ।
ଶୀତ ଲୁଚି ଯାଏ ଛିଣ୍ଡା କମଳ ରେ
ମାଦଳର ତାଳେ ତାଳେ
ରଜନୀ ଗାଉଛି ଶୀତର ଗଜଲ
କୁନା ମୁନା ମା କୋଳେ ।
ବଜାର ଘାଟରେ ଗରମ ପୋଷାକ
ପଶମ ହାଟର ମେଳା
ଆତ୍ମୀୟ ସ୍ୱଜନ ଏକାଠି ହେଲେଣି
ବଣ ଭୋଜି ସାଙ୍ଗ ମେଳା ।
ପ୍ରକୃତି କୋଳରେ ସବୁଜ ବନାନୀ
ବିଭିନ୍ନ ପରିବା ସାଥେ
ଘର ଅଗଣାରେ ଝୋଟିର ଅଙ୍କନ
ଆଗମନ ଲକ୍ଷ୍ମୀ ପଥେ ।
ସାରା ରାତି କାନ୍ଦେ ଦାରିଙ୍ଗ ବାଡ଼ିତ
କିଏତ ମହୁଲି ନିଶା
ଶୀତର ଲହରୀ ଅନ୍ଧାର କୁହୁଡି
ଦୁର୍ଘଟଣାର ପରଶେ ।
ଶୀତ ଚୁମି ଦିଏ ନବ ବଧୂ ଦେହେ
ଲାଜକୁଳୀ ଓଢଣାରେ
ଶୀତ ଆଗମନେ ଚାଷୀର ଘରଣୀ
ତା ଖୁସି ଧାନ ଖଳାରେ ।
ରାଜପଥରେ ଦୂର୍ଘଟଣା ଘଟଇ
ଘନ କୁହୁଡି ରାତିରେ
ଆଶା ନିରାଶାର ଅନ୍ଧାର ଭିତରେ
ଗରୀବ କ୍ଷୁଧା ପେଟରେ ।
ମାଣବସା,ଧନୁସଂକ୍ରାନ୍ତି ସହିତ
ବାଟ ଓଷା ପଣ୍ଡୁ ଓଷା
ଶୀତର ପର୍ବାଣୀ ସଂସ୍କୃତିର ଗାଥା
ଶାମ୍ବ ଦଶମୀଟି ପୌଷେ ।
ଶୀତ ସକାଳର କଅଁଳ ଖରାଟି
ଦେହ ପାଇଁ ଭାରି ହିତ
ବିଭୋରିତ ମନ ସପନ ସାଉଁଟେ
ଶୀତ ହୋଇଗଲେ ମିତ ।
ଶୀତ ଆସିଅଛି ଗୃହଦୁଆରକୁ
ମାଲକ୍ଷ୍ମୀଙ୍କୁ ସଙ୍ଗେ ନେଇ
ଶଙ୍ଖ ହୁଳହୁଳି ଚାରିଆଡେ ଶୁଭେ
ଲକ୍ଷ୍ମୀଙ୍କ ବନ୍ଦନା ଗାଇ ।
କାଞ୍ଜିପାଣି ବାଡ଼ି ବାଇଗଣ ଭର୍ତ୍ତା
ଖାଇବାକୁ ଭାରି ମଜା
ସକାଳ ସଞ୍ଜରେ ନିଆଁ ପୁଆଁ ଚାଲେ
ସାଙ୍ଗ ସାଥି ସହ ମଜା ।
ମକର ଆସିଲେ ଶୀତ ବାହୁଡ଼ିବ
ମକର ଚାଉଳ ଖାଇ
ଶୀତ ମାଉସୀଟି ଦୁଃଖେବସି ଅଛି
ଯିବା ପାଇଁ ଇଚ୍ଛା ନାହିଁ ।
*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।*