*ତୁମେ ମନେପଡ଼*
ଜାଣେନା, ଆଜି କାହିଁ ସେ ଖୁବ୍ ମନେପଡେ
ଦିଗହଜା ସମ୍ପର୍କକୁ ସ୍ମୃତି ତା’ର ଯୋଡେ ।
ଭୁଲିନି ମୁଁ ,ଆଜିବି ତା’ ସ୍ବୀକୃତି ସ୍ବାକ୍ଷର
ଭିନ୍ନ ପ୍ରତିଶ୍ରୁତି ପୁଣି ଅବ୍ୟକ୍ତ ଶବ୍ଦର ।।
ତନ୍ମୟୀ ତନୁରେ ତା’ର ପ୍ରୀତିର ପୁଲକ
ଫଗଣ ଟା ଆଙ୍କୁଥିଲା ବହଳେ ମାଦକ ।।
ହଜାରେ ଅଳସ ଭାଙ୍ଗେ କୃଷ୍ଣଚୂଡା ରଙ୍ଗ ।
ଅଭିସାର ରଚୁଥାଏ ମଗ୍ନ ପ୍ରୀତିରାଗ ।।
ଅତୀତ କାନ୍ଥ ରେ ଲେଖା ସେହି ଅନ୍ତାକ୍ଷରୀ ।
ହୃଦୟ ତଥାପି ଗାଏ ପୁରୁଣା ସାୟେରୀ ।।
ସମୟର ବ୍ୟତିକ୍ରମେ ବିଦଗ୍ଧ ଆଳାପ ।
ହୃଦୟ ସ୍ପନ୍ଦନ ଲେଖେ ଅଳ୍ପ ରେ ଅନେକ ।।
ଜାଣିଛି ଅଫେରା ସେ’ତ ଫେରିବାର ନାହିଁ ।
ସାଇତା ବିରହ ଝୁରେ ସ୍ମୃତି ନୀଳନଈ ।।
*ସସ୍ମିତା ପଣ୍ଡା*
*ଅସୁରେଶ୍ବର, କଟକ*