ପବିତ୍ରା ତଟିନୀ
କୁଳୁ କୁଳୁ ନାଦେ ଛଳ ଛଳ ଛନ୍ଦେ
ବହେ ପବିତ୍ରା ତଟିନୀ
ପବିତ୍ର ଭୂଇଁରେ ପବିତ୍ର ପାବନୀ
ଝରେ ନିର୍ମଳ ମାନିନୀ।
ଜୀବନ ଦାୟିନୀ ଶସ୍ୟ ସୁଶୋଭିନୀ
ବନାନୀର ସେ ଜନନୀ
ଚାରୁ ହାସ୍ୟମୟୀ ଅଧୀରା ପ୍ଲାବିନୀ
ସ୍ରୋତସ୍ବିନୀ ତରଙ୍ଗିଣୀ।
ଲକ୍ଷ୍ୟ ତା ଜୀବନେ ସେବାରେ ଲାଗିବ
ବନଲତା ଗାଆଁ ଭୂଇଁ
ମଧୁର ଶୀତଳ ଜଳରେ ତୋଷିବ
ବୃକ୍ଷ ଲତା ଯେ ବାଟୋଇ।
ଚଳନ୍ତି ରାସ୍ତାରେ କେତେ ବନ୍ଧୁରତା
ଅତିକ୍ରମେ କରେ ଗତି
ଥକେ ନାହିଁ କେବେ ଆଗେ ଧାଇଁ ବାରେ
ଗାଏ ସଦା ସାମ୍ୟଗୀତି।
ବାଧାବିଘ୍ନ ଅତିକ୍ରମେ ସେ ଆନନ୍ଦେ
ଜଗତକୁ ସୁଖ ଦେଇ
ପୂଣ୍ୟମୟୀ ଚିର ପବିତ୍ରା ତଟିନୀ
ସମୁଦ୍ରେ ମିଶିବ ଯାଇଁ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।