ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ
ନିଶି ହେଲେ ଅନ୍ତ
ପ୍ରାତ ହୁଏ ପ୍ରକଟ
ବାଜେ ଶଙ୍ଖ ଘଣ୍ଟା
ଖୋଲେ ମନ୍ଦିର ମଠ।
ନିଦରୁ ଉଠି ମୁଁ
ପ୍ରଣମି ପିତା ମାତେ
ଗୁରୁ ପାଦ ସ୍ମରି
ଭଣେ ଗୁରୁଙ୍କୁ ସତେ।
ନିତ୍ୟ କର୍ମ ସାରି
ତୋଳେ ପୂଜାର ଫୁଲ
ପୂଜେ ଗଣପତି
ଦେଇ ଚନ୍ଦନ ଫୁଲ।
ଆମ ଗାଁ ମଠରେ
ଅଛନ୍ତି ଶ୍ରୀଚୈତନ୍ୟ
ପ୍ରାତ ଦର୍ଶନରେ
ତାଙ୍କୁ ମଣଇ ଧନ୍ୟ।
ଆମ ଗ୍ରାମ ଦେବୀ
ମଙ୍ଗଳା ଠାକୁରାଣୀ
ତାଙ୍କ ପାଦ ଧରି
ଜଣାଏ ମୁଁ ଦଇନି।
ଆମ ଗ୍ରାମ ଦେବ
ଶିବ ଝଗଡେଶ୍ଵର
ଦେଇ ବେଲ ପତ୍ର
କରଇ ନମସ୍କାର।
ମୋ ହୃଦୟରେଯେ
ଅଛନ୍ତି ଜଗନ୍ନାଥ
ମନେ ମନେ ତାଙ୍କୁ
ଯୋଡେ ଦୁଇ ହାତ।
ମନେ ଭାବି ନିଏ
ଅଛି ମୁଁ ନୀଳାଚଳେ
ଦୟଣା ମାଳକୁ
ଦିଏ କାଳିଆ ଗଳେ।
ପଢ଼େ ଭାଗବତ
ଶ୍ଳୋକମାନ ଗୀତାର
ସବୁ ନୀତିବାଣୀ
ମାନେଯେ ନିରନ୍ତର।
ମହାଭାରତର
କଥା ଶୁଣୁଥାଏ ତ
ରାମାୟଣ ଗାଥା
ଶୁଣେ ଦେଇଣ ଚିତ୍ତ।
ଜପି ହରେକୃଷ୍ଣ
ହରେ ରାମ ନାମକୁ
ଭୁଲେ ମୋହ ମାୟା
ଆଦରେ ଠାକୁରଙ୍କୁ।
ପ୍ରଭାତ କଟାଏ
ଏହି କର୍ତ୍ତବ୍ୟ କରି
ବାଟ ଚାଲୁଥାଏ
ଶ୍ରୀହରିଙ୍କୁ ଆଚରି।
ଶ୍ରୀ ବଂଶୀଧର ବେହେରା
ଜଳେଶ୍ଵର, ବାଲେଶ୍ଵର