” ମୁଁ ଦ୍ଵନ୍ଦ”
————-
କୁହେଲିକାମୟ ଆକାର ପ୍ରକାର
ଝାପ୍ସା ମୋର ପ୍ରତିବିମ୍ବ
କୁହୁକ ଜାଲରେ ସଦା ଦିଏ ଛନ୍ଦି
ତତ୍ପରତାରେ ମୁଁ ବିଳମ୍ବ ।
ପ୍ରାଣୀର ସାମ୍ନାରେ ଥୋଇଦିଏ ମୁହିଁ
ପସନ୍ଦର ଗନ୍ତାଘର
ସେଇ ଗନ୍ତାଘରେ ନିଜକୁ ହଜାଇ
ଖୋଜେ ପ୍ରଶ୍ନର ଉତ୍ତର ।
ମାନସିକ ତତ୍ତ୍ୱ ବିଶାଳ ମହତ୍ତ୍ୱ
ଧରିଛି ମୋର ବୁକୁରେ
ଭାବନା ସବୁକୁ ଖିନଭିନ କରି
ସଂସାର ଯେ ତୋଳି ଧରେ ।
ମୋହରି କାବୁରେ ଜୀବନ ବେକାବୁ
ହେଇଥାଏ ସଦାବେଳେ
ଶାନ୍ତ ସମୁଦ୍ରେ ଅଶାନ୍ତ ଲହରୀ
ଜାତ ହୁଏ ମୋ କବଳେ ।
ଚିନ୍ତା ଚେତନା ଠିକ ଭୁଲ ହିସାବ
ଅଧାରେ ହୁଅଇ ବନ୍ଦ
ମସ୍ତିଷ୍କ ର ଗତି ଏପଟ ସେପଟ
ଆସେ ଯେବେ ମୁଁ ଦ୍ଵନ୍ଦ ।
ସ୍ଥିତପ୍ରଜ୍ଞ ଯେବେ ପ୍ରାଣୀ ହେଇଯାଏ
ସ୍ଥିତି ମୋ ସେଠାରେ ଶୂନ୍ୟ
ଭୟରେ ମୁଁ ତାକୁ ତ୍ୟାଗ କରିଦିଏ
ଖୋଜେ ମସ୍ତିଷ୍କ ଟେ ଅନ୍ୟ ।
ମାନସିକ ଶାନ୍ତି ରଖିଲେ ମନରେ
ଦୂରକୁ ମୁଁ ଚାଲିଯିବି
ମୋର ବଶୀଭୂତ କେହି ହେବେନାହିଁ
ମୁକତି ମୁହିଁ ଲଭିବି ।
ଶ୍ରୀମତୀ ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼