*ଏମିତିକା ଆସ*
ତୁମେ ଏମିତିକା ଆସ
ଯେମିତି ତୁମରି ପ୍ରେରଣାର ଅବାରିତ ଧାରାରେ
ମୁଁ ଲେଖିବି କବିତା
ପ୍ରଜ୍ଞା ଓ ମନୀଷାର କେଇଟା ପୃଷ୍ଠାରେ,
ଦିର୍ଘଶ୍ବାସ ହୋଇ କରିଛି ପ୍ରତୀକ୍ଷା।
ତୁମେ ଏମିତିକା ଆସ
ତୁମକୁ ଦେଖି ଆଙ୍କି ଦେବି ଜୀବନ୍ତ ପ୍ରତିଛବି
ତୋଳିଦେବି ଏକ ନୂତନ କୋଣାର୍କ
ତୁମରି ହୃଦୟର ପୃଷ୍ଠଭୂମିରେ,
ମାପିଦେବି ପ୍ରେମର ସାନ୍ଧ୍ରତା।
ତୁମେ ଏମିତିକା ଆସ
ବୁଝିବ ମୋର ହୃଦୟର ଅବ୍ୟକ୍ତ ଭାଷାକୁ
ଓହ୍ଲାଇ ଆସିବ ଋତୁରାଜ ବସନ୍ତ,
ଆମର ମିଳନ ପର୍ବରେ କୋକିଳ ଗାଇବ
ସ୍ବାଗତ ଗୀତିକା।
ତୁମେ ଏମିତିକା ଆସ
ଆଦିମ ଉତ୍ତାପ ନେଇ ଅଦିନିଆ ଝଡ଼ ବର୍ଷା ପରି
ଯେମିତି ବର୍ଷା ଛିଟାରେ ଭିଜି ଯିବ ଓଠ
ପାଇବି ମୁଁ ଅନିବଚନୀୟ ଆନନ୍ଦ,
ଅନ୍ତତଃ ଥରୁଟିଏ ଆସ
ମୁଁ ଅଛି ତୁମ ପ୍ରତୀକ୍ଷାରେ।
ପ୍ରଭାକର ଦାଶ
ପାଟଣାଗଡ଼,ବଲାଙ୍ଗୀର